ନିଜ ଠାରୁ ୩୧ ବର୍ଷ ସାନ ସ୍କୁଲ ପଢୁଆ ଝିଅକୁ ତୃତୀୟ ବିବାହ କରିବେ ପାକିସ୍ତାନ ସାଂସଦ

ଇସଲାମାବାଦ: ପାକିସ୍ତାନର ପ୍ରସିଦ୍ଧ ବ୍ୟକ୍ତିମାନଙ୍କ ମଧ୍ୟରେ ଗଣାଯାଉଥିବା ଟେଲିଭିଜନ ଉପସ୍ଥାପକ ତଥା ଇମ୍ରାନ୍ ଖାନଙ୍କ ରାଜନୈତିକ ଦଳ ପାକିସ୍ତାନ ତେହରିକ୍-ଏ-ଇନ୍ସାଫ୍ (ପିଟିଆଇର)ର ସାଂସଦ ଆମିର୍ ଲିୟାକତ ତୃତୀୟ ଥର ପାଇଁ ବିବାହ କରିବାକୁ ଯାଉଛନ୍ତି। ପାକିସ୍ତାନର ପ୍ରଧାନମନ୍ତ୍ରୀ ଇମ୍ରାନ୍ ଖାନ୍ ମଧ୍ୟ ତିନି ଥର ବିବାହ କରିଛନ୍ତି। ଇମ୍ରାନ ଖାନ୍ ନିଜ ଦଳର ସାଂସଦଙ୍କୁ ଅଭିନନ୍ଦନ ଜଣାଇଛନ୍ତି।

ଉଲ୍ଲେଖନୀୟ, ଆମିର୍ ଲିୟାକତଙ୍କ ଦ୍ଵିତୀୟ ପତ୍ନୀଙ୍କ ସହ ତାଙ୍କର ଛାଡପତ୍ର ବୁଧବାର ହୋଇଛି। ଛାଡପତ୍ରର ୨୪ ଘଣ୍ଟା ବି ହୋଇ ନଥିବା ବେଳେ ଆମିର୍ ନିଜ ତୃତୀୟ ବିବାହ ବିଷୟରେ ଗର୍ବର ସହ ସୋସିଆଲ୍ ମିଡିଆରେ ଘୋଷଣା କରି ଦେଇଥିଲେ।

ପାକିସ୍ତାନର ମିଡିଆ ରିପୋର୍ଟ ଅନୁସାରେ, ଆମିର୍ ଲିୟାକତ୍ ଅନେକ ସମୟରେ ଆପତ୍ତିଜନକ ବୟାନବାଜି ପାଇଁ ଚର୍ଚ୍ଚାରେ ରହିଥାନ୍ତି। କିନ୍ତୁ ତାଙ୍କର ପ୍ରଶଂସକ ଅନେକ ଅଛନ୍ତି ଯାହାଫଳରେ ୨୦୧୮ ନିର୍ବାଚନରେ ଇମ୍ରାନ୍ ଖାନ୍ ତାଙ୍କୁ ଦଳୀୟ ଟିକେଟ୍ ଦେଇଥିଲେ ଓ ସେ ସାଂସଦ ଭାବରେ ନିର୍ବାଚିତ ହୋଇଥିଲେ।

ଆମିର୍ ସୋସିଆଲ୍ ମିଡିଆ ଜରିଆରେ କହିଛନ୍ତି, ଇମ୍ରାନ୍ ଖାନ୍ ମୋତେ ଫୋନ୍ କରି ବିବାହ ପାଇଁ ଅଭିନନ୍ଦନ ଜଣାଇଥିଲେ। ହୃଦୟର ସହ ମୁଁ ତାଙ୍କୁ ଧନ୍ୟବାଦ ଜଣାଉଛି। ତାଙ୍କ ବିବାହରେ ଇର୍ଷା କରୁଥିବା ଲୋକମାନଙ୍କୁ ସେ କହିଛନ୍ତି, ଦୁନିଆ ଜଳୁଛି ତ ଜଳୁ….। ତେବେ ସୋସିଆଲ୍ ମିଡିଆରେ ଜନତା ଆମିରଙ୍କୁ କଟାକ୍ଷ କରି ଅନେକ ପ୍ରକାର ପୋଷ୍ଟ୍ କରୁଛନ୍ତି। ଜଣେ ସୋସିଆଲ୍ ମିଡିଆ ବ୍ୟବହାରକାରୀ ଆମିରଙ୍କ ପୁରୁଣା ଫଟୋ ସହ ଏକ ନବଜାତ ଶିଶୁର ଫଟୋ ଲଗାଇ ଲେଖିଛନ୍ତି, ୧୮ ବର୍ଷ ପୂର୍ବରୁ ଲିୟାକତ ଓ ତାଙ୍କର ହେବାକୁ ଯାଉଥିବା ସ୍ତ୍ରୀ। ଅନ୍ୟ ଜଣେ ଲେଖିଛନ୍ତି, ଆମିରଙ୍କ ପାଖରେ କେବଳ ଗୋଟିଏ କାମ ଅଛି। ବାହାଘର-ଛାଡପତ୍ର, ବାହାଘର-ଛାଡପତ୍ର ଓ ବାହାଘର-ଛାଡପତ୍ର।
ସୂଚନା ଅନୁସାରେ ଆମିର୍ ଗୁରୁବାର ଦିନ ୧୮ ବର୍ଷରେ ପଦାର୍ପଣ କରିଥିବା ସୈୟଦା ଦାନିୟା ଶାହାଙ୍କ ସହ ବିବାହ କରିବାକୁ ଯାଉଛନ୍ତି। କିଛି ମିଡିଆରେ ପ୍ରକାଶ ପାଇଛି ଯେ ଦାନିୟା ଏବେ ସ୍କୁଲରେ ପଢୁଛନ୍ତି ଓ ଆମିର୍ ୪୯ ବର୍ଷୀୟ।

ସମ୍ବନ୍ଧିତ ଖବର