ଦିଲ୍ଲୀ ମୁଖ୍ୟ ସଚିବଙ୍କୁ ମାଡ଼ ମରା ଯାଇଥିବାର ପ୍ରମାଣ ମିଳିଲା : ଆତ୍ମ ସମର୍ପଣ କଲେ ଆପ୍‌ ବିଧାୟକ

ନୂଆଦିଲ୍ଲୀ: ନୂଆଦିଲ୍ଲୀର ମୁଖ୍ୟଶାସନ ସଚିବଙ୍କୁ ମାଡ଼ ମାରିବା ଘଟଣାରେ ସଂପୃକ୍ତ ଥିବା (ଆମ୍‌ ଆଦ୍‌ମୀ ପାର୍ଟି) ଆପ୍‌ର ବିଧାୟକ ଅମନ୍‌ତୁଲ୍ଲା ଖାନ୍‌ ଆଜି ଦିଲ୍ଲୀ ପୋଲିସ୍‌ ନିକଟରେ ଆତ୍ମସମର୍ପଣ କରିଛନ୍ତି। ଅନ୍ୟ ପକ୍ଷରେ ପୁଲିସ ପକ୍ଷରୁ କରାଯାଇଥିବା ଡାକ୍ତରୀ ପରୀକ୍ଷାରୁ ଦିଲ୍ଲୀ ମୁଖ୍ୟ ଶାସନ ସଚିବ ଅଂଶୁ ପ୍ରକାଶଙ୍କୁ ମୁଥ ମରାଯାଇଥିବାର ପ୍ରମାଣ ମିଳିଛି। ଏହି ଘଟଣାରେ ଦିଲ୍ଲୀ ପୋଲିସ୍‌ ହାତରେ ଗିରଫ ହେବାରେ ଅମନ୍‌ତୁଲ୍ଲା ହେଉଛନ୍ତି ଦ୍ୱିତୀୟ ବିଧାୟକ। ପୂର୍ବରୁ ଏହି ଘଟଣାରେ ସଂପୃକ୍ତ ଥିବା ଆପ୍‌ର ଅନ୍ୟତମ ବିଧାୟକ ପ୍ରକାଶ ଜରଓ୍ଵାଲ୍‌ଙ୍କୁ ପୋଲିସ୍‌ ଗତ ମଙ୍ଗଳବାର ରାତିରେ ଗିରଫ କରିଥିଲା।

ତେବେ, ଏହି ଘଟଣାରେ ସଂପୃକ୍ତ ଥାଇ ଫେରାର୍‌ ଥିବା ଅନ୍ୟତମ ବିଧାୟକ ଅମାନ୍‌ତୁଲ୍ଲା ଖାନ୍‌ ଆଜି ପୂର୍ବାହ୍ନରେ ଆସି ଜାମିଆ ନଗର ପୋଲିସ୍‌ ଥାନାରେ ଆତ୍ମସମର୍ପଣ କାରବାପରେ ପୋଲିସ୍‌ ତାଙ୍କୁ ଗିରଫ କରିଥିଲା। ବିଧାୟକ ଅମାନ୍‌ତୁଲ୍ଲା ଖାନ୍‌, ସୋମବାର ରାତିରେ ମୁଖ୍ୟମନ୍ତ୍ରୀ କେଜ୍ରିଓ୍ଵାଲଙ୍କ ବାସଭବନରେ ଆୟୋଜିତ ଏକ ବୈଠକରେ ମୁଖ୍ୟ ଶାସନ ସଚିବ ଅଂଶୁ ପ୍ରକାଶ ଯୋଗ ଦେଇଥିବା ବେଳେ ତାଙ୍କ ମୁହଁକୁ ମୁଥ ମାରି ତାଙ୍କୁ ଆହତ କରିବା ସହ ତାଙ୍କ ଚଷମାକୁ ଭାଙ୍ଗି ଦେଇଥିବା ସଂପର୍କରେ ମୁଖ୍ୟ ସଚିବ ପୋଲିସ୍‌ ନିକଟରେ ଲିଖିତ ଅଭିଯୋଗ କରିଥିଲେ। ଅନ୍ୟପକ୍ଷରେ ମୁଖ୍ୟ ଶାସନ ସଚିବଙ୍କୁ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ଵାଲଙ୍କ ବାସଭବନରେ ମାଡ଼ମରା ଯିବାବେଳେ ଘଟଣାସ୍ଥଳରେ ଉପସ୍ଥିତ ଥିବା ମୁଖ୍ୟମନ୍ତ୍ରୀ କେଜ୍ରିଓ୍ଵାଲଙ୍କ ଉପଦେଷ୍ଟା ଭିକେ ଜୈନ୍‌ଙ୍କୁ ମଧ୍ୟ ପୋଲିସ୍‌ ଆଜି ଥାନାକୁ ଡକାଇ ଦୀର୍ଘ ତିନିଘଣ୍ଟା କାଳ ଜେରା କରିଛି।

http://www.india.com

ପ୍ରସଙ୍ଗକ୍ରମେ ଉଲ୍ଲେଖଯୋଗ୍ୟ, ଦିଲ୍ଲୀ ସରକାରଙ୍କ ତିନି ବର୍ଷ ପୂର୍ତ୍ତି ଅବସରରେ କିଛି ଟିଭି ବିଜ୍ଞାପନ ପ୍ରସଙ୍ଗରେ ଆଲୋଚନା ପାଇଁ ସୋମବାର ରାତିରେ ମୁଖ୍ୟମନ୍ତ୍ରୀ କେଜ୍ରିଓ୍ଵାଲ ତାଙ୍କ ବାସଭବନକୁ ମୁଖ୍ୟ ଶାସନ ସଚିବ ଅଂଶୁ ପ୍ରକାଶଙ୍କୁ ଡକାଇଥିଲେ। ସେଠାରେ ଉପମୁଖ୍ୟମନ୍ତ୍ରୀ ମନିଷ ଶିଶୋଦିଆଙ୍କ ସମେତ ଆପ୍‌ର କିଛି ବିଧାୟକ ମଧ୍ୟ ଉପସ୍ଥିତ ଥିଲେ। ତେବେ, ଆଲୋଚନା କାଳରେ ଅଂଶୁ ପ୍ରକାଶଙ୍କ ସହ ଯୁକ୍ତିତର୍କ ହେବା ସହ ଦୁଇ ତିନି ଜଣ ବିଧାୟକ ତାଙ୍କୁ ମୁଥ ଏବଂ ଧକ୍କା ମାରି ଘେରିଯାଇଥିଲେ। ଏଥିରେ ଅଂଶୁ ପ୍ରକାଶ ଆହତ ହେବା ସହ ତାଙ୍କର ଚଷମା ମଧ୍ୟ ଭାଙ୍ଗିଯାଇଥିଲା ବୋଲି ଜଣେ ବରିଷ୍ଠ ଆଇଏସ୍‌ ଅଧିକାରୀ କହିଛନ୍ତି। ଏହି ଘଟଣାକୁ ନେଇ କେଜ୍ରିଓ୍ଵାଲଙ୍କ ଆପ୍‌ ସରକାର ଏବେ ବିବାଦର ଜାଲରେ ଛନ୍ଦି ହୋଇ ପଡ଼ିଛନ୍ତି।

ମୁଖ୍ୟ ସଚିବଙ୍କ ଉପରେ ମାଡ଼ ହୋଇଥିବାର ପ୍ରମାଣ ଦେଲା ମେଡ଼ିକାଲ ରିପୋର୍ଟ:

ଏହି ଘଟଣା ସଂପର୍କରେ ପୋଲିସ୍‌ରେ ଅଭିଯୋଗ ହେବାପରେ ଦିଲ୍ଲୀ ପୋଲିସ୍‌ ଆଜି ମୁଖ୍ୟ ସଚିବ ଅଂଶୁ ପ୍ରକାଶଙ୍କର ଡାକ୍ତରୀ ପରୀକ୍ଷା କରାଇବା ପାଇଁ ତାଙ୍କୁ ଅରୁଣା ଅସଫ୍‌ ଅଲ୍ଲୀ ସରକାରୀ ଡାକ୍ତରଖାନାକୁ ନେଇଥିଲା। ସେଠାରେ ଡାକ୍ତରମାନେ ଅଂଶୁ ପ୍ରକାଶଙ୍କର ଶାରିରୀକ ପରୀକ୍ଷା କରି ଯେଉଁ ରିପୋର୍ଟ ଦେଇଛନ୍ତି ସେଥିରୁ ତାଙ୍କୁ ମାଡ଼ ମରାଯାଇଥିବା ନେଇ ସ୍ପଷ୍ଟ ପ୍ରମାଣ ମିଳୁଛି। ମୁଥମାଡ଼ ଆଘାତରେ ତାଙ୍କର ଆଖିତଳ, କାନମୁଣ୍ଡା ପ୍ରଭୃତି ସ୍ଥାନ ଫୁଲି ଯାଇଥିବା ବେଳେ ଆଖି ଉପର ପତାରେ କଟା ଚିହ୍ନ ଓ ଓଠ ଫାଟି ଯାଇଥିବା ନେଇ ଡାକ୍ତର ରିପୋର୍ଟ ଦେଇଛନ୍ତି।

ସମ୍ବନ୍ଧିତ ଖବର