ନୂଆଦିଲ୍ଲୀ: ସୁପ୍ରିମକୋର୍ଟରେ ଗତକାଲି ଦିଲ୍ଲୀ ସରକାରକୁ ଅଧିକାର ପରିସର ମାମଲାରେ ବଡ଼ ବିଜୟ ମିଳିବା ପରେ ଦିଲ୍ଲୀ ସରକାର ଆଜି ପୁଣି ସୁପ୍ରିମକୋର୍ଟଙ୍କ ଦ୍ବାରସ୍ଥ ହୋଇଛନ୍ତି। ସୁପ୍ରିମକୋର୍ଟ ଗତକାଲି ଏକ ଗୁରୁତ୍ବପୂର୍ଣ୍ଣ ନିର୍ଦ୍ଦେଶ ଦେଇ କହିଥିଲେ ଯେ ଦିଲ୍ଲୀ ସରକାରଙ୍କର ପ୍ରଶାସନ ସେବା କ୍ଷେତ୍ରରେ ନିୟନ୍ତ୍ରଣ ରହିବ। କେବଳ ଜମି, ପବ୍ଲିକ୍ ଅର୍ଡର ଓ ପୁଲିସ ସେବା ବ୍ୟତୀତ ସମସ୍ତ ପ୍ରଶାସନିକ ସେବା ଉପରେ ଦିଲ୍ଲୀ ସରକାରଙ୍କର ନିୟନ୍ତ୍ରଣ ରହିବ ବୋଲି କୋର୍ଟ କହିଥିଲେ। ସୁପ୍ରିମକୋର୍ଟଙ୍କ ରାୟ ଆସିବାର ମାତ୍ର କିଛି ଘଣ୍ଟା ଭିତରେ ଦିଲ୍ଲୀ ସରକାର ଗତକାଲି ସେବା ବିଭାଗର ଜଣେ ସଚିବଙ୍କୁ ବଦଳି କରିଥିଲେ।
କିନ୍ତୁ ଏହି ବଦଳିକୁ କେନ୍ଦ୍ର ସରକାର କାର୍ଯ୍ୟକାରୀ କରୁନଥିବା ନେଇ ଦିଲ୍ଲୀ ସରକାର ଆଜି ପୁଣିଥରେ ଅଭିଯୋଗ କରିଛନ୍ତି ଏବଂ ସୁପ୍ରିମକୋର୍ଟଙ୍କ ଦ୍ବାରସ୍ଥ ହୋଇଛନ୍ତି। କେନ୍ଦ୍ର ସରକାର କୋର୍ଟ ଆଦେଶର ଅବମାନନା କରୁଛନ୍ତି ଏବଂ ଏହାଦ୍ବାରା ଅଦାଲତ ଅବମାନନା ହେବ ବୋଲି ଦିଲ୍ଲୀ ସରକାର ସୁପ୍ରିମକୋର୍ଟରେ କହିଛନ୍ତି। ଦିଲ୍ଲୀ ସରକାରଙ୍କ ପକ୍ଷରୁ ଆଜି ବରିଷ୍ଠ ଓକିଲ ଅଭିଷେକ ମନୁ ସିଂଘଭୀ କୋର୍ଟରେ ଉପସ୍ଥିତ ଥିଲେ। ପ୍ରଧାନ ବିଚାରପତି ଡି ୱାଇ ଚନ୍ଦ୍ରଚୂଡ଼ ଏବଂ ଜଷ୍ଟିସ ପିଏସ୍ ନରସିଂହଙ୍କ ଖଣ୍ଡପୀଠରେ ସିଂଘଭୀ ଆଜି ଏହି ମାମଲାକୁ ଉପସ୍ଥାପନ କରିଥିଲେ। ପ୍ରଧାନ ବିଚାରପତି ଡି ୱାଇ ଚନ୍ଦ୍ରଚୂଡ଼ କହିଛନ୍ତି, ଆସନ୍ତା ସପ୍ତାହରେ ଏହି ମାମଲାର ଶୁଣାଣି ପାଇଁ ଖଣ୍ଡପୀଠ ଗଠନ ହେବ। ସିଂଘଭୀ କହିଛନ୍ତି, ସମ୍ବିଧାନର ଧାରା ୧୪୧ ଅଧୀନରେ ଏହା ଅଦାଲତ ଅବମାନନା ହୋଇପାରେ । ତେଣୁ ଉକ୍ତ ମାମଲା ଉପରେ ଜରୁରୀ ଶୁଣାଣି ପାଇଁ ଏକ ଖଣ୍ଡପୀଠ ଗଠନ କରାଯାଉ।