ସିସୋଦିଆଙ୍କୁ ସିନ୍ଦେ କରି ଆମ ସରକାର ଭାଙ୍ଗିବାକୁ ଚେଷ୍ଟା କରିଥିଲା ବିଜେପି: ଆପ୍

ନୂଆଦିଲ୍ଲୀ: ଦିଲ୍ଲୀ ଅବକାରୀ ଦୁର୍ନୀତି ମାମଲାକୁ ନେଇ ଦିଲ୍ଲୀରେ ଆପ ଏବଂ ବିଜେପି ମଧ୍ୟରେ ଲଢ଼େଇ ଚାଲିଛି। ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ଆପ ନେତା ସଞ୍ଜୟ ସିଂ କହିଛନ୍ତି ଯେ, ଆମେ ମୋଦୀ ସରକାରଙ୍କ ଅସଲ ଚେହେରା ସମସ୍ତଙ୍କ ସାମ୍ନାକୁ ଆଣିବୁ। ଦିଲ୍ଲୀରେ ଥିବା ସରକାରକୁ ଭାଙ୍ଗିବା ପାଇଁ କେନ୍ଦ୍ରୀୟ ଏଜେନ୍ସିଗୁଡିକୁ ବିଜେପି କିପରି ବ୍ୟବହାର କରୁଛନ୍ତି, ତାହା ଆମେ ସମସ୍ତଙ୍କ ସାମ୍ନାକୁ ଆଣିବୁ।

ସେ ଅଭିଯୋଗ କରିଛନ୍ତି ଯେ ଦିଲ୍ଲୀର ବିଧାୟକଙ୍କୁ କିଣିବା ପାଇଁ ବିଜେପି ଚେଷ୍ଟା ଚଳାଇଛି। ମନୀଷ ସିସୋଦିଆଙ୍କୁ ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ହୋଇଥିବା ଏକନାଥ ସିନ୍ଦେ କରିବାକୁ ଚାହୁଁଥିଲା ବିଜେପି। ସିସୋଦିଆଙ୍କୁ ବ୍ୟବହାର କରି ବିଜେପି ଦିଲ୍ଲୀରେ ନିଜର ସରକାର ଗଠନ ପାଇଁ ଚେଷ୍ଟା କରିଥିଲେ ବି ସଫଳ ହୋଇପାରିନାହିଁ। ଏହା ପରେ ବିଜେପି ଆମର ବିଧାୟକମାନଙ୍କୁ ଧମକ ଦେଇ ୨୦କୋଟି ଟଙ୍କାର ଅଫର ଦେବା ଆରମ୍ଭ କରିଛି। ୨୦କୋଟି ଦେଇ ବିଜେପି ସହ ହାତ ମିଶାଅ ନଚେତ ସିସୋଦିଆଙ୍କ ଭଳି ଅବସ୍ଥା ହେବ ବୋଲି କହି ବିଜେପି ଆପ୍ ବିଧାୟକମାନଙ୍କୁ ଧମକ ଦେଉଥିବା ସଞ୍ଜୟ ସିଂ ଦାବି କରିଛନ୍ତି।

ଏହା ସହ ଆପ୍ ପକ୍ଷରୁ କୁହାଯାଇଛି ଯେ, ବିଜେପି ଦିଲ୍ଲୀର ଶିକ୍ଷା ମଡେଲକୁ ନେଇ ଚିନ୍ତିତ। ସେମାନେ ଦେଶ ବିକ୍ରି କରିବାକୁ ଚାହୁଁଛନ୍ତି, ହେଲେ କେଜ୍ରିୱାଲ ଦେଶକୁ ବଞ୍ଚାଇବାକୁ ଚାହୁଁଛନ୍ତି। ସାବଧାନ, ଏହା ମହାରାଷ୍ଟ୍ର ନୁହେଁ, ଏ ହେଉଛି ଦିଲ୍ଲୀ। ଏଠାରେ ଆପ୍ ସରକାର ଅଛି। ଏ ସରକାର ବିକ୍ରି ହେବା ସରକାର ନୁହେଁ।

ସମ୍ବନ୍ଧିତ ଖବର