ପାଣାଜୀ: ଗୋଆରେ ଏକ ବିଶାଳ ଦସ୍ତଖତ ଅଭିଯାନ ଆରମ୍ଭ କରିଛି ଅରବିନ୍ଦ କେଜ୍ରିୱାଲ୍ଙ୍କ ଦଳ ଆମ୍ ଆଦ୍ମୀ ପାର୍ଟି ବା ଆପ୍। ଦଳ କହିଛି ଯେ ‘‘ଗୋଆର ରାସ୍ତାର ଅବସ୍ଥା ଦେଖିଲେ କାହାର ବି ହୃଦୟକୁ କଷ୍ଟ ଲାଗିବ। ପ୍ରତ୍ୟେକ ରାସ୍ତା ଭଙ୍ଗା, ଖାଲ ଏବଂ ବର୍ଷା ଋତୁରେ କାଦୁଅରେ ଭରା। ଗୋଆର ରାସ୍ତା ହେଉଛି ବିଜେପିର ୧୩ ବର୍ଷର ଶାସନର ପ୍ରକୃତ ବାସ୍ତବତା। ପ୍ରତିବର୍ଷ ବଜେଟରେ ହଜାର ହଜାର କୋଟି ଟଙ୍କା ବରାଦ କରାଯାଏ, କିନ୍ତୁ ରାସ୍ତା କାହିଁକି ନିର୍ମାଣ ହୁଏ ନାହିଁ? ସେହି ଟଙ୍କା କୁଆଡ଼େ ଯାଏ?’’
ଏହି ପ୍ରଶ୍ନର ଉତ୍ତର ଦାବି କରିବା ପାଇଁ ଦସ୍ତଖତ ଅଭିଯାନ ଆରମ୍ଭ କରାଯାଇଥିଲା। ଗୋଆର ମୋଟ ୩.୫ ଲକ୍ଷ ପରିବାର ମଧ୍ୟରୁ ୧,୦୦,୦୦୦ ପରିବାର ଏହି ଅଭିଯାନରେ ଅଂଶଗ୍ରହଣ କରିଥିଲେ ଏବଂ ରାସ୍ତାର ତୁରନ୍ତ ମରାମତି ଦାବି କରି ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଥିଲେ।
ସୋମବାର, ଏହି ଚିଠି ଭର୍ତ୍ତି ଏକ ଟ୍ରକ ମୁଖ୍ୟମନ୍ତ୍ରୀଙ୍କୁ ପ୍ରଦାନ କରାଯାଇଥିଲା। ଆପ କହିଛି ଯେ ‘‘ଏହା କୌଣସି ସାଧାରଣ ପ୍ରତିବାଦ ନୁହେଁ; ଏହା ପ୍ରତ୍ୟେକ ଗୋଆ ବାସିନ୍ଦାଙ୍କ ସ୍ୱରକୁ ପ୍ରତିନିଧିତ୍ୱ କରେ। ଯେଉଁମାନେ କି ଆଉ ଚୁପ୍ ରହିବାକୁ ଚାହାଁନ୍ତି ନାହିଁ। ଦୁର୍ନୀତି ଏତେ ବ୍ୟାପକ ଯେ ନିର୍ମିତ ରାସ୍ତାଗୁଡ଼ିକ ମଧ୍ୟ କିଛି ଦିନ ମଧ୍ୟରେ ପୁଣି ଭାଙ୍ଗିଯାଉଛି। ମିଥ୍ୟା ପ୍ରତିଶ୍ରୁତି ଏବଂ ଅସମ୍ପୂର୍ଣ୍ଣ କାମ ଦ୍ୱାରା ଜନସାଧାରଣଙ୍କୁ ଭ୍ରମିତ କରାଯାଇଛି, କିନ୍ତୁ ଏବେ ସେମାନେ ଜାଗ୍ରତ ହେଉଛନ୍ତି।’’
ପଞ୍ଜାବର ଆମ ଆଦମୀ ପାର୍ଟି ସରକାର ପ୍ରତ୍ୟେକ ଗାଁରେ ୧୮,୦୦୦ କିଲୋମିଟରରୁ ଅଧିକ ରାସ୍ତା ନିର୍ମାଣ କରିଛି। ଏଠାରେ କଠୋର ନିୟମ ଅଛି, ଯେଉଁଥିରେ କୁହାଯାଇଛି ଯେ ଯଦି ପାଞ୍ଚ ବର୍ଷ ପୂର୍ବରୁ ରାସ୍ତା ଖରାପ ହୁଏ, ତେବେ ଠିକାଦାର ନିଜ ଟଙ୍କାରେ ଏହାକୁ ମରାମତି କରିବାକୁ ବାଧ୍ୟ।
ଆପ ଆହୁରି ବି ଦାବି କରେ ଯେ ଗୋଆ ଏକ ଧନୀ ରାଜ୍ୟ, ତଥାପି ଲୋକମାନେ ଏବେ ବି ଟ୍ୟାଙ୍କରରୁ ପାନୀୟ ଜଳ ପିଆନ୍ତି। ବିଜେପି ପାଖରେ ହଜାର ହଜାର କୋଟି ଟଙ୍କା ଅଛି। କିନ୍ତୁ ନା ହସ୍ପିଟାଲ ନିର୍ମାଣ ହୋଇଛି, ନା ସ୍କୁଲ ଉନ୍ନତ ହୋଇଛି, ନା ରାସ୍ତା ମରାମତି ହୋଇଛି; କାରଣ ବିଜେପି କେବଳ ଶକ୍ତି ଏବଂ ଟଙ୍କା ବିଷୟରେ ଚିନ୍ତିତ, ଲୋକଙ୍କ ବିଷୟରେ ନୁହେଁ ବୋଲି ଆପ୍ ଅଭିଯୋଗ ଆଣିଛି।