ନୂଆଦିଲ୍ଲୀ: ଦିଲ୍ଲୀ ବିଧାନସଭା ନିର୍ବାଚନ ପାଇଁ ଆପ୍‌  ପ୍ରଚାର ଆରମ୍ଭ କରି ସାରିଥିବା ବେଳେ ଦଳର ମୁଖ୍ୟ ଅରବିନ୍ଦ ‌କେଜ୍ରିୱାଲ ଆଜି ବିଜେପିର ବୈଚାରିକ ଅଭିଭାବକ ଆରଏସ୍‌ଏସ୍‌କୁ ଚିଠି ଲେଖିଛନ୍ତି ଏବଂ ବିଜେପିର ରାଜନୈତିକ ରଣନୀତି ପ୍ରସଙ୍ଗରେ ଅନେକ ପ୍ରଶ୍ନ କରିଛନ୍ତି।  ଆର‌ଏସ୍‌ଏସ୍‌ ବିଜେପିର ଭୁଲ୍‌ କାର୍ଯ୍ୟକୁ ସମର୍ଥନ କରୁଛି କି ବୋଲି କେଜ୍ରିୱାଲ ପ୍ରଶ୍ନ କରିଛନ୍ତି।  କେଜ୍ରିୱାଲ କହିଛନ୍ତି,ବିଜେପି ନେତାମାନେ ଖୋଲାଖୋଲି ଟଙ୍କା ବାଣ୍ଟୁଛନ୍ତି। ତେବେ ଆରଏସ୍‌ଏସ୍‌ କ’ଣ  ଭୋଟ୍‌ କିଣିବାକୁ ସମର୍ଥନ କରୁଛି କି ?  ଦଳିତ ଓ ପୂର୍ବାଞ୍ଚଳ ଭୋଟରଙ୍କ ନାଁ ଭୋଟର ତାଲିକାରୁ ବାଦ୍‌ ଦିଆଯାଇଛି। ଏହା କ’ଣ ଗଣତନ୍ତ୍ର ପାଇଁ ଭଲ କି ବୋଲି କେଜ୍ରିୱାଲ ପ୍ରଶ୍ନ କରିଛନ୍ତି।  ବିଜେପି ଆରଏସ୍‌ଏସ୍‌କୁ ଦୁର୍ବଳ କରୁଛି ବୋଲି ଆରଏସ୍‌ଏସ୍‌ ଅନୁଭବ କରୁଛି କି  ବୋଲି କେଜ୍ରିୱାଲ ପ୍ରଶ୍ନ କରିଛନ୍ତି।  ଦିଲ୍ଲୀ ବିଧାନସଭା ନିର୍ବାଚନ ପାଇଁ ଏବେ ପ୍ରଚାର ଜୋର୍‌ ଧରୁଥିବା ବେଳେ କେଜ୍ରିୱାଲ  ଏଭଳି  ପତ୍ର ପଠାଇ ବିଜେପିର ଅଡ଼ୁଆ ବଢ଼ାଇବା ଲକ୍ଷ୍ୟ ରଖିଛନ୍ତି। ବିଜେପି ନିର୍ବାଚନ ଜିତିବା ଉଦ୍ୟମରେ ଭୋଟର ତାଲିକାରୁ ଅନେକ ଭୋଟରଙ୍କ ନାଁ କାଟି ଦେଇଥିବା ଆପ୍‌ ଅଭିଯୋଗ କରିଥିବାବେଳେ ବିଜେପି ଅଭିଯୋଗ କରିଛି ଯେ ଆପ୍‌ ଏହାର ସମର୍ଥନକୁ ସୁଦୃଢ଼ କରିବାପାଇଁ ନକଲି ଭୋଟରଙ୍କୁ ଆଣିଛି।‌  ପ୍ରତାରଣା, ବିଭ୍ରାନ୍ତି ଓ ମିଥ୍ୟାରେ ବୁଡ଼ି ରହିଥିବା କେଜ୍ରିୱାଲଙ୍କ ସବୁ ଚାଲ୍‌ ପଣ୍ଡ କରାଯିବ ବୋଲି ବିଜେପି କହିଛି।

Advertisment

ବିଜେପି ରାଜ୍ୟ ସଭାପତି ବୀରେନ୍ଦ୍ର ସଚଦେବ କହିଛନ୍ତି,  ଆଜି ମୁଁ ଆପ୍‌ ନେତା ଏବଂ ପୂର୍ବତନ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ଚିଠି ଲେଖୁଛି। ମୁଁ ଆଶା କରୁଛି ଯେ ସେ ତାଙ୍କ ମିଛ କହିବା  ଅଭ୍ୟାସକୁ ଛାଡ଼ିଦେବେ ଏବଂ  ନିଜ ଭିତରେ ଏକ ମହତ୍ତ୍ବପୂର୍ଣ୍ଣ ପରିବର୍ତ୍ତନ ଆଣିବେ। ବିଜେପି ସାଂସଦ ସୁଧାଂଶୁ ତ୍ରିବେଦୀ କହିଛନ୍ତି, ଆରଏସ୍‌ଏସ୍‌ ମୁଖ୍ୟଙ୍କ ନିକଟକୁ କେଜ୍ରିୱାଲଙ୍କ ଚିଠି ଗଣମାଧ୍ୟମର ଦୃଷ୍ଟି ଆକର୍ଷଣ କରିବାର ଏକ ଉଦ୍ୟମ।  ସେ କହିଛନ୍ତି, କେଜ୍ରିୱାଲ ସଂଘ ପାଖକୁ ଚିଠି ନଲେଖି ବରଂ ସଂଘଠାରୁ କିଛି ଶିକ୍ଷା କରିବା ଆବଶ୍ୟକ।  ରାଜନୈତିକ  ଉଦ୍ଦେଶ୍ୟକୁ ପଛରେ ରଖି ଆପ୍‌ ନେତା କିଛି ସେବା ମନୋଭାବ ମଧ୍ୟ ଆପଣାଇବା ଉଚିତ ବୋଲି ତ୍ରିବେଦୀ କହିଛନ୍ତି।

ଉଲ୍ଲେଖଯୋଗ୍ୟ,  ରବିବାର ଗଣମାଧ୍ୟମରେ ଟିପ୍ପଣୀ ରଖି କେଜ୍ରିୱାଲ କହିଥିଲେ ଯେ ଦିଲ୍ଲୀ ନିର୍ବାଚନ ପାଇଁ ବିଜେପିର ଦୂରଦୃଷ୍ଟି ନାହିଁ କି ଏହାର ପ୍ରାର୍ଥୀ ମଧ୍ୟ ନାହାନ୍ତି।  ବେଆଇନ ଉପାୟରେ ବିଜେପି ଏହି ନିର୍ବାଚନ ଜିତିବା ପାଇଁ ଚାହେ। କିନ୍ତୁ  ଦିଲ୍ଲୀର ଲୋକମାନେ ଏହା କରିବାପାଇଁ ଦେବେନାହିଁ।  ମହାରାଷ୍ଟ୍ର ଏବଂ ହରିୟାଣାରେ ସେମାନେ ଯେଉଁ ରଣନୀତି ଅବଲମ୍ବନ କରିଥିଲେ ଆମେ ଏଠାରେ ତାହା କରିବାକୁ ଦେବୁନାହିଁ ‌ବୋଲି କେଜ୍ରିୱାଲ କହିଛନ୍ତି।  କେଜ୍ରିୱାଲ ଅଭିଯୋଗ କରିଛନ୍ତି ଯେ ବିଜେପି ବାହାରୁ ଭୋଟରଙ୍କୁ ଆଣି ସେମାନଙ୍କୁ  ଦିଲ୍ଲୀ ଭୋଟର ଭାବେ ପଂଜିକୃତ କରିବାପାଇଁ ଯୋଜନା କରିଛି। ସେହିପରି ବିଜେପି ଅଭିଯୋଗ କରିଛି ଯେ ନକଲି ଭୋଟରଙ୍କ ନାଁ ତାଲିକାରେ ରଖିବାପାଇଁ ନକଲି କାଗଜପତ୍ର ବ୍ୟବହାର ହୋଇଛି।