କଂଗ୍ରେସ ସହ ଆମ୍‌ ଆଦମି ପାର୍ଟିର ଆସନ ବୁଝାମଣା ନେଇ ଆଜି ହୋଇପାରେ ଘୋଷଣା!

ନୂଆଦିଲ୍ଲୀ: ଦିଲ୍ଲୀରେ ସମସ୍ତ ସାତଟି ଲୋକସଭା ଆସନ ଲାଗି ଆମ୍‌ ଆଦମି ପାର୍ଟି(ଆପ୍‌) କଂଗ୍ରେସ ସହ ମେଣ୍ଟ ହେବାର ପୁଣି ଆଶା ସଞ୍ଚରିତ ହୋଇଛି। ତିନିଥର ଦିଲ୍ଲୀର ମୁଖ୍ୟମନ୍ତ୍ରୀ ଥିବା ତଥା ପ୍ରଦେଶ କଂଗ୍ରେସ କମିଟିର ଅଧ୍ୟକ୍ଷ ଶୀଲା ଦୀକ୍ଷିତ ଏଭଳି କିଛି ସଙ୍କେତ ଦେଇଛନ୍ତି। ସେ କହିଛନ୍ତିଯେ ଆମ ଆଦମି ପାର୍ଟି ଏବଂ କଂଗ୍ରେସ ମଧ୍ୟରେ ଆସନ ବୁଝାମଣା ସଂପର୍କରେ ସୋନିଆ ଗାନ୍ଧୀଙ୍କ ସହ କଥା ହେବେ। ଏସଂପର୍କରେ ଦଳର ସଭାପତି ରାହୁଲ ଗାନ୍ଧୀ ଆଜି କିଛି ଘୋଷଣା କରି ପାରନ୍ତି ବୋଲି ମଧ୍ୟ କୁହାଯାଉଛି।

ଆପ୍‌ ଅନୁମାନ କରୁଛି ଯେ ଯଦି କଂଗ୍ରେସ ଓ ଦଳ ଅଲଗା ଅଲଗା ଲଢିବେ ତେବେ ଗତ ଥର ଭଳି ଏଥର ବି ଭାରତୀୟ ଜନତା ପାର୍ଟି ସବୁ ୭ଟି ଯାକ ଲୋକସଭା ଆସନରେ ଜୟଯୁକ୍ତ ହେବ। ହେଲେ ରାହୁଲ ଗାନ୍ଧୀ ଆପ୍‌ ସହିତ ମେଣ୍ଟ କରିବାକୁ ରାଜି ନଥିବା କୁହାଯାଉଥିଲା। ଏଥିପାଇଁ ଆପ୍‌ ମମତା ବାନାର୍ଜୀ,ଶରଦ୍‌ ପାଓ୍ଵାର୍‌ ଓ ଚନ୍ଦ୍ରବାବୁ ନାଇଡୁଙ୍କ ଭଳି ନେତାଙ୍କ ସହାୟତା ଲୋଡିଥିଲା। ଏମାନେ ରାହୁଲ ଗାନ୍ଧୀଙ୍କୁ ଦିଲ୍ଲୀରେ ଆପ୍‌ ସହ ମେଣ୍ଟ କରିବା ଲାଗି ପରାମର୍ଶ ଦେଇଥିବା କୁହାଯାଉଛି।

ଦିଲ୍ଲୀରେ ଲୋକସଭା ନିର୍ବାଚନରେ କଂଗ୍ରେସ ସହିତ ମେଣ୍ଟ ପାଇଁ ‘ଆପ୍‌’ର ନେତା ସଂଜୟ ସିିଂହ ନିକଟରେ ବରିଷ୍ଠ କଂଗ୍ରେସ ନେତା ଅହମ୍ମଦ ପଟେଲ ଓ ଗୁଲାମ ନବୀ ଆଜାଦ୍‌ଙ୍କୁ ଭେଟି ଏ ବିଷୟରେ ଆଲୋଚନା କରିଥିଲେ।

ସମ୍ବନ୍ଧିତ ଖବର