ନୂଆଦିଲ୍ଲୀ: ଇଣ୍ଡିଆ ମେଣ୍ଟ ପାଇଁ ଆଗକୁ ସବୁଠାରୁ ବଡ଼ ଚ୍ୟାଲେଞ୍ଜ ହେବାକୁ ଯାଉଛି ଆସନ ବୁଝାମଣା । ପ୍ରତି ଆସନରେ ମେଣ୍ଟ ସହମତି ଭିତ୍ତିରେ  ପ୍ରାର୍ଥୀଙ୍କ ଛିଡ଼ା କରିବ ବୋଲି କଂଗ୍ରେସ ଓ୍ବାର୍କିଂ କମିଟି ସଦସ୍ୟ ଗୁଲାମ ମହମ୍ମଦ ମିର କହିଛନ୍ତି । ସେ କହିଛନ୍ତି ଯେ ଯେପରି ଭୋଟ ବିଭାଜନ ନହୁଏ ସେଥିପାଇଁ ସହମତି ଭିତ୍ତିରେ ମେଣ୍ଟର ପ୍ରାର୍ଥୀମାନଙ୍କୁ ଛିଡ଼ା କରାଯିବ ।

Advertisment

ଗୋଟିଏ ପଟେ କଂଗ୍ରେସ ଏହା କହୁଥିବାବେଳେ ଅନ୍ୟପଟେ ମତଭେଦ ଦିନକୁ ଦିନ ବଢିବାରେ ଲାଗିଛି । ଏନଡିଟିଭିର ଏକ ରିପୋର୍ଟ ଅନୁସାରେ ଆମ୍ ଆଦମୀ ପାର୍ଟି (ଆପ୍)ର ପଞ୍ଜାବ ୟୁନିଟ୍ ଆସନ୍ତା ବର୍ଷ ହେବାକୁ ଥିବା ଲୋକସଭା ନିର୍ବାଚନ ପାଇଁ କଂଗ୍ରେସ ସହ ମେଣ୍ଟ କରିବାକୁ ଚାହୁଁନାହିଁ। ଦିଲ୍ଲୀରେ ଅନୁଷ୍ଠିତ ମେଣ୍ଟ ବୈଠକର ଗୋଟିଏ ଦିନ ପରେ ଏପରି ଖବର ଆସିବା ଇଣ୍ଡିଆ ମେଣ୍ଟ ମଧ୍ୟରେ ବଢୁଥିବା ମତଭେଦକୁ ଉଜାଗର କରିଛି। କଂଗ୍ରେସର ପଞ୍ଜାବ ୟୁନିଟ୍ ମଧ୍ୟ ଅତୀତରେ ମେଣ୍ଟକୁ ନେଇ ଚିନ୍ତା ପ୍ରକଟ କରିଥିଲା। କଂଗ୍ରେସର ପଞ୍ଜାବ ମୁଖ୍ୟ ଅମରିନ୍ଦର ସିଂହ ରାଜା ୱାରିଙ୍ଗ ଦାବି କରିଛନ୍ତି ଯେ ଦଳ ସମସ୍ତ ୧୩ଟି ଲୋକସଭା ଆସନରେ ଏକାକୀ ଲଢ଼ିବ। ବିନା ସମ୍ମତିରେ କୌଣସି ନିଷ୍ପତ୍ତି ନିଆଯିବ ନାହିଁ ବୋଲି ସେ ନିଶ୍ଚିତ ବୋଲି କହିଛନ୍ତି। ଆମ୍ ଆଦମୀ ପାର୍ଟି, କଂଗ୍ରେସ ଏବଂ ଭାରତୀୟ ମେଣ୍ଟର ଅନ୍ୟ ସଦସ୍ୟଙ୍କ ମଧ୍ୟରେ ଆଲୋଚନା ଚାଲିଛି। ତେବେ ଏହି ପ୍ରସଙ୍ଗରେ ଚୂଡ଼ାନ୍ତ ନିଷ୍ପତ୍ତି ନେବେ ଆମ୍ ଆଦମୀ ପାର୍ଟି ମୁଖ୍ୟ ଅରବିନ୍ଦ କେଜ୍ରିଓ୍ଵାଲ ।