ଆମ୍ ଅାଦମି ପାର୍ଟିକୁ ୩୦ କୋଟିର ଆୟକର ନୋଟିସ୍

ଡିସେମ୍ବର ୭ ସୁଦ୍ଧା  ନୋଟିସର ଜବାବ ରଖିବାକୁ କହିଲା ଆୟକର ବିଭାଗ

ନୂଆଦିଲ୍ଲୀ : ଦୁର୍ନୀତି ବିରୋଧରେ ଆନ୍ଦୋଳନ କରି କ୍ଷମତାକୁ ଆସିଥିବା  ଆମ୍ ଆଦମୀ ପାର୍ଟିକୁ  ୩୦.୬୭ କୋଟି ଟଙ୍କାର  ନୋଟିସ ଜାରି କରିଛି ଆୟକର ବିଭାଗ । ଆସନ୍ତା ଡିସେମ୍ବର ୭ ସୁଦ୍ଧା ଏହି  ନୋଟିସର ଜବାବ ରଖିବାକୁ ଦଳକୁ ସମୟ ଦିଆଯାଇଛି ।

ଦଳର ଘୋଷିତ ଚାନ୍ଦା ପରିମାଣ ଓ ଦାତା ତାଲିକା ମଧ୍ୟରେ ତାଳମେଳ ରହୁନଥିବା ଆୟକର ବିଭାଗ ଜାଣିବା ପରେ ଦଳକୁ କାରଣ ଦର୍ଶାଅ ନୋଟିସ ଜାରି କରାଯାଇଥିଲା । ଏପରିକି ଗତ କିଛିମାସ ମଧ୍ୟରେ ଏଥିଲାଗି ଦଳକୁ ପ୍ରାୟ ୩୪ ଥର ସୁଯୋଗ ଦିଆଯାଇଥିଲା । କିନ୍ତୁ ଦଳ ତରଫରୁ ଏବାବଦରେ କୌଣସି ଜବାବ ନ ଆସିବାରୁ ଏହି ଜୋରିମାନା ନୋଟିସ ଜାରି କରାଯାଇଥିବା ଆୟକର ବିଭାଗ ପକ୍ଷରୁ କୁହାଯାଇଛି ।

କିନ୍ତୁ ଏହାକୁ ରାଜନୈତିକ ଆକ୍ରୋଶ ବୋଲି କହିଛି ଆମ ଆଦମୀ ପାର୍ଟି । ଏହା ରାଜନୈତିକ ଆକ୍ରୋଶର ସର୍ବୋଚ୍ଚ ସ୍ତର ବୋଲି  କହିଛନ୍ତି  ଦଳର ସଭାପତି ଅରବିନ୍ଦ କେଜ୍ରିୱାଲ ।

ଆୟକର ବିଭାଗ କହିଛି ଯେ ୨୦୧୫ ଦିଲ୍ଲୀ ନିର୍ବାଚନ ପୂର୍ବରୁ ବିଦେଶରୁ ଆସିଥିବା ପ୍ରାୟ ୧୩ କୋଟି ଟଙ୍କାର ଦାନ ବାବଦରେ କୌଣସି ଯୁକ୍ତିଯୁକ୍ତ ଉତ୍ତର ଦେଇପାରିନଥିଲା ଦଳ । ସେହିପରି ନିର୍ବାଚନ ପ୍ରଚାର ପାଇଁ ଅର୍ଥ ଦାନ କରିଥିବା ପ୍ରାୟ ୪୬୧ଜଣ ଦାତାଙ୍କ ସମ୍ପର୍କରେ କୌଣସି ସନ୍ତୋଷଜନକ ଉତ୍ତର ଦେଉନାହିଁ ଦଳ । ପୁଣି ଆପ୍ ନିଜର ୱେବସାଇଟ୍ ରେ ପ୍ରାୟ ୩୭ କୋଟି ଟଙ୍କାର ଚାନ୍ଦା ସଂପର୍କରେ କୌଣସି ବିବରଣୀ ଉଲ୍ଲେଖ କରିନାହିଁ । ଆହୁରି ମଧ୍ୟ ନିର୍ବାଚନ ଆୟୋଗଙ୍କ ନିକଟରେ ଦାଖଲ କରିଥିବା କାଗଜପତ୍ରରେ ମଧ୍ୟ ଦଳ ଦାତାମାନଙ୍କଠାରୁ ମିଳିଥିବା ପ୍ରାୟ ୩୦ କୋଟିର ଚାନ୍ଦା ସଂପର୍କରେ କୌଣସି ସୂଚନା ଦେଇନାହିଁ ।

ଆପ୍ ଏ ବର୍ଷ ନିଜ ପ୍ରତିଷ୍ଠାର ୫ ବର୍ଷ ପୂରଣ କରିଛି ।

ସମ୍ବନ୍ଧିତ ଖବର