ମେଣ୍ଟ ‌େନଇ ଦ୍ବନ୍ଦ୍ବରେ ଫସିଛି ଆପ୍:କାଉଣ୍ଟ୍‌ଡାଉନ୍‌ ୨୦୧୯

ନୂଆଦିଲ୍ଲୀ: ଗାନ୍ଧୀବାଦୀ ନେତା ଆନ୍ନା ହଜାରେଙ୍କ ନେତୃତ୍ବରେ ଦୁର୍ନୀତି ବିରୋଧୀ ଆନ୍ଦୋଳନ ଚାଲିଥିବା ବେଳେ ଏଥିରୁ ଜନ୍ମ ନେଇଥିଲା ଆମ୍ ଆଦମୀ ପାର୍ଟି ବା ଆପ୍। ୨୦୧୨ରେ ଏହି ଦଳର ଗଠନ କରିଥିଲେ ଅରବିନ୍ଦ କେଜ୍ରିୱାଲ। ସେତେବେଳେ ଏହି ଦଳ ଚର୍ଚାର କେନ୍ଦ୍ରବିନ୍ଦୁ ହୋଇଥିଲା। ତେବେ ୨୦୧୩ରେ ପ୍ରଥମ ଥର ଲାଗି ନିର୍ବାଚନ ଲଢ଼ି ଏହା ଦିଲ୍ଲୀରେ କଂଗ୍ରେସ ସରକାରକୁ ଗାଦିଚ୍ୟୁତ କରିଥିଲା। ଏହି ଘଟଣା ଜାତୀୟ ରାଜନୀତିକୁ ଦୋହଲାଇ ଦେଇଥିଲା। ଅବଶ୍ୟ କେଜ୍ରିୱାଲ ସରକାର ମାତ୍ର ୪୯ ଦିନ ପରେ ଇସ୍ତଫା ଦେଇଥିଲେ। କାରଣ ଥିଲା: ତାଙ୍କ ସରକାର ପ୍ରତି ସଂଖ୍ୟାଗରିଷ୍ଠ ବିଧାୟକଙ୍କ ସମର୍ଥନ ନଥିବାରୁ ସେ ଦୁର୍ନୀତି ବିରୋଧରେ‌ କୌଣସି ପଦକ୍ଷେପ (ଜନ ଲୋକପାଲ ବିଲ୍) ନେଇ ପାରୁ ନଥିଲେ। ୨୦୧୫ରେ ଅନୁଷ୍ଠିତ ଦିଲ୍ଲୀ ବିଧାନସଭା ନିର୍ବାଚନରେ ଏହାକୁ ଐତିହାସିକ ସଫଳତା ମିଳିଥିଲା। ୭୦ ଆସନ ମଧ୍ୟରୁ ଆପକୁ ମଳିଥିଲା ୬୬ଟି ଆସନ। ଏହି ସଫଳତା ପ‌େର କେଜ୍ରିୱାଲଙ୍କ ଆପ୍ ଦିଲ୍ଲୀ ବାହାରେ ଡେଣା ମେଲାଇବାକୁ ଉଦ୍ୟମ ଚଳାଇଛି। ପଞ୍ଜାବ ଓ ଗୋଆରେ ଏହାକୁ କିଛି ପରିମାଣରେ ସଫଳତା ମିଳିଛି। ପଞ୍ଜାବ ବିଧାନସଭାରେ ଏହାର ୨୨ ଜଣ ବିଧାୟକ ଅଛନ୍ତି। ସେହି ରାଜ୍ୟରୁ ଆପର ୪ ଜଣ ଲୋକସଭା ସଭ୍ୟ ମଧ୍ୟ ଅଛନ୍ତି। ଏବେ ଏହା ହରିଆଣା ଉପରେ ଆଖି ପକାଇଛି।
ତେବେ ୨୦୧୯ ଲୋକସଭା ନିର୍ବାଚନ ଏବଂ ୨୦୨୦ରେ ହେବାକୁ ଥିବା ଦିଲ୍ଲୀ ବିଧାନସଭା‌ ନିର୍ବାଚନରେ ଏହାର ରଣନୀତି କଣ ହେବ ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ‌େହାଇପାରି ନାହିଁ। କେଜ୍ରିୱାଲ ସୂଚନା ଦେଇଛନ୍ତି ଯେ ତାଙ୍କ ପାର୍ଟି ୧୦୦ଟି ଲୋକସଭା ଆସନରେ ପ୍ରାର୍ଥୀ ଦେବ। ଦିଲ୍ଲୀ, ପଞ୍ଜାବ, ହରିଆଣା ଓ ଗୋଆର ସମସ୍ତ ଆସନରେ ପ୍ରାର୍ଥୀ ଦେବ। ଏସବୁ ଘୋଷଣା ସତ୍ତ୍ବେ ଦଳ ଭିତରେ ମେଣ୍ଟ ରାଜନୀତିକୁ ନେଇ ଦ୍ବନ୍ଦ୍ବ ରହିଛି। କାରଣ ବିଜେପି ବିରୋଧରେ ମହାମେଣ୍ଟ ପାଇଁ ଅଣ-ବିଜେପି ଦଳମାନେ ଯେଉଁ ଅଭିଯାନ ଚଳାଇଛନ୍ତି ‌େସଥିରେ କେଜ୍ରିୱାଲ ସାମିଲ ହୋଇଥିଲେ ମଧ୍ୟ କଂଗ୍ରେସର ଅନେକ ନେତା ତାଙ୍କ ସହିତ ମେଣ୍ଟ କରିବାକୁ ରାଜି ନୁହନ୍ତି। କଂଗ୍ରେସର କେନ୍ଦ୍ରୀୟ ନେତାମାନେ ଏହିି ପ୍ରସଙ୍ଗରେ ନିରବ ରହିଥିଲେ ମଧ୍ୟ ପଞ୍ଜାବ ମୁଖ୍ୟମନ୍ତ୍ରୀ ସ୍ପଷ୍ଟ କରିଦେଇଛନ୍ତି ଯେ ଆପ୍ ସହିତ ମେଣ୍ଟର ପ୍ରଶ୍ନ ଉଠୁନାହିଁ। ଦିଲ୍ଲୀର ସମସ୍ତ ୭ଟି ଆସନ ବିଜେପି କବଜାରେ ରହିଛି। କିନ୍ତୁ ଆସନ୍ତା ନିର୍ବାଚନ କାହା ପାଇଁ ଏତେ ସହଜ ନୁହେଁ। ଦିଲ୍ଲୀରେ ତ୍ରିକୋଣୀୟ ଲଢ଼େଇ ନିଶ୍ଚିତ। ଏଥିରେ ମୁଖ୍ୟ ଖେଳାଳି ହେଉଛନ୍ତି ବିଜେପି, ଆପ୍ ଏବଂ କଂଗ୍ରେସ। ତେବେ ଗତ ବିଧାନସଭା ନିର୍ବାଚନରେ ଯେଉଁ ଦୁଇଟି ଦଳକୁ ମୂଳପୋଛ କରି ଆପ୍ ବିଜୟୀ ହୋଇଥିଲା ସେମାନେ ଏହାର ଏବେ ପରମ ଶତ୍ରୁ। ଆପ୍ ଆଖିରେ ବିଜେପି ଏହାର ଏକ ନମ୍ବର ଶତ୍ରୁ। ଏହାକୁ ହଟାଇବା ଲାଗି କଂଗ୍ରେସ ସହ ମେଣ୍ଟ କରିବାକୁ ଆପର କିଛି ନେତା ମତ ଦେଉଛନ୍ତି, କିନ୍ତୁ ଏହାକୁ ନେଇ ଦଳ ଭିତରେ ସହମତି ହୋଇ ପାରୁନାହିଁ। କଂଗ୍ରେସ ଭିତରେ ମଧ୍ୟ ମତଭେଦ ରହିଛି।
ବରିଷ୍ଠ ଆପ୍ ନେତା ଗୋପାଳ ରାୟ କହିଛନ୍ତି ଯେ କଂଗ୍ରେସ ସହ ମେଣ୍ଟ ସଂପର୍କରେ ଦଳର ରାଜନୈତିକ ବ୍ୟାପାର କମିଟି ନିଷ୍ପତ୍ତି ନେବ। କିନ୍ତୁ ଅଜୟ ମା‌େକନ ଏଭଳି ଯୋଜନାର ବିରୋଧ କରି ଦିଲ୍ଲୀ କଂଗ୍ରେସ ମୁଖ୍ୟ ପଦରୁ ଇସ୍ତଫା ଦେଇଛନ୍ତି। ଅନ୍ୟପକ୍ଷ‌େର ଶୀଲା ଦୀକ୍ଷିତ କହିଛନ୍ତି ଯେ କଂଗ୍ରେସ ହାଇକମାଣ୍ଡ ଯାହା ନିଷ୍ପତ୍ତି ନେବେ ତାହାକୁ ସେ ଗ୍ରହଣ କରିବେ।
ଇତିମଧ୍ୟରେ ବିଜେପି ବିରୋଧରେ ମହାମେଣ୍ଟ ପାଇଁ ଅଭିଯାନ ଜୋରଦାର ଚାଲିଥିବା ବେଳେ ଏସଂକ୍ରାନ୍ତ କେତେକ କାର୍ଯ୍ୟକ୍ରମରେ କେଜ୍ରିୱାଲ ସାମିଲ ହୋଇଛନ୍ତି। ଦିଲ୍ଲୀ ଚାଷୀ ସମାବେଶରେ ସେ ରାହୁଲ ଗାନ୍ଧୀଙ୍କ ସହିତ ମଧ୍ୟ ଉପସ୍ଥିତ ଥିଲେ। ଏହାପରେ କଂଗ୍ରେସ-ଆପ୍ ମେଣ୍ଟ ନେଇ କଳ୍ପନାଜଳ୍ପନା ଚାଲିଥିବା ବେଳେ ଗତ ରବିବାର ଦିନ ଏକ ସଭାରେ ଉଦବୋଧନ ନେଇ କଂଗ୍ରେସକୁ ଭୋଟ ନଦେବା ଲାଗି କେଜ୍ରିୱାଲ ଆହ୍ବାନ ଜଣାଇଛନ୍ତି। ତାଙ୍କର ଏଭଳି ଆଭିମୁଖ୍ୟ ଦିଲ୍ଲୀ ରାଜନୀତିରେ ପୁଣି ଦ୍ବନ୍ଦ୍ବ ସୃଷ୍ଟି କରିଛି।

ସମ୍ବନ୍ଧିତ ଖବର