ଲୋକସଭାରେ ସାଂସଦଶୂନ୍ୟ ହେଲା ଆମ ଆଦମୀ ପାର୍ଟି

ନୂଆଦିଲ୍ଲୀ: ଜୁନ୍‌ ‌୨୩ ତାରିଖ ଦିନ ୩ଟି ଲୋକସଭା ଆସନ ଏବଂ ୫ଟି ରାଜ୍ୟର ୭ଟି ବିଧାନସଭା ଆସନ ନିମନ୍ତେ ହୋଇଥିବା ଉପନିର୍ବାଚନର ଫଳାଫଳ ଆଜି ସାମ୍ନାକୁ ଆସିଛି | ତେବେ ଆଜିର ନିର୍ବାଚନ ଫଳାଫଳ ଆସିବା ପରେ ଦିଲ୍ଲୀ ଓ ପଞ୍ଜାବରେ ଶାସନ କରୁଥିବା ଆମ ଆଦମୀ ପାର୍ଟି ଲୋକସଭାରେ ସାଂସଦ ଶୂନ୍ୟ ହୋଇଯାଇଛି | କାରଣ ପଞ୍ଜାବର ମୁଖ୍ୟମନ୍ତ୍ରୀ ଥିବା ଭଗବନ୍ତ ମାନ ଦଳର ଏକମାତ୍ର ସାଂସଦ ଥିଲେ। ୨୦୧୪ ଏବଂ ୨୦୧୯ରେ ମାନ ସଙ୍ଗରୁର ଆସନରୁ ଦୁଇଥର ଜିତିଥିଲେ | ୨୦୧୪ ପରଠାରୁ ସଙ୍ଗରୁରକୁ ଆପର ଗଡ଼ ବୋଲି ବିବେଚନା କରାଯାଉଥିଲା | ମାର୍ଚ୍ଚ ୨୦୨୨ ରେ ଅନୁଷ୍ଠିତ ବିଧାନସଭା ନିର୍ବାଚନରେ ​​ଦଳର ପ୍ରଦର୍ଶନ ବହୁତ ଭଲ ଥିଲା | ତେବେ ମାନ ମୁଖ୍ୟମନ୍ତ୍ରୀ ହେବା ପରେ ତାଙ୍କୁ ସାଂସଦ ପଦ ଛାଡିବାକୁ ପଡିଥିଲା । ଆଉ ଏହି ଆସନ ପାଇଁ ଏଥର ଉପନିର୍ବାଚନ ହୋଇଥିଲା |

ତେବେ ଏହି ଆସନରେ ନିଜର ସମ୍ମାନ ବଞ୍ଚାଇବାକୁ ଆମ୍ ଆଦମୀ ପାର୍ଟି ଜୋରଦାର ପ୍ରୟାସ କରାଯାଇଥିଲା | ଆପ ପକ୍ଷରୁ ଗୁରୁମେଲ ସିଂହଙ୍କୁ ପ୍ରାର୍ଥୀ କରାଯାଇଥିଲା | ଭଗବନ୍ତ ମାନ ଉପନିର୍ବାଚନରେ କିଭଳି ଜିତିହେବ ସେନେଇ ସ୍ୱତନ୍ତ୍ର ରଣନୀତି ମଧ୍ୟ କରିଥିଲେ | ଆପ ସଂଯୋଜକ ଅରବିନ୍ଦ କେଜ୍ରିୱାଲ ମଧ୍ୟ ଏଠାରେ ଏକ ରୋଡ୍ ସୋ କରିଥିଲେ | ଏହା ବ୍ୟତୀତ ଆମ୍ ଆଦମୀ ପାର୍ଟି ସରକାରଙ୍କ ସମସ୍ତ ମନ୍ତ୍ରୀ ଏବଂ ୯୨ ବିଧାୟକ ମଧ୍ୟ ପ୍ରଚାର କରିଥିଲେ। ଏଭଳି ପରିସ୍ଥିତିରେ ଆମ୍ ଆଦମୀ ପାର୍ଟିକୁ ବିଫଳତାର ସାମ୍ନା କରିବାକୁ ପଡିଛି |

କୁହାଯାଉଛି ଯେ କଂଗ୍ରେସ ନେତା ତଥା ପଞ୍ଜାବୀ ଗାୟକ ସିଦଧୁ ମୁସେୱାଲାଙ୍କ ସୁରକ୍ଷା ପ୍ରତ୍ୟାହାର କରାଯିବା ପରଦିନ ତାଙ୍କୁ ହତ୍ୟା କରାଯିବା ଘଟଣାକୁ ନେଇ ବିରୋଧୀ ମାନଙ୍କୁ ଟାର୍ଗେଟ କରିଥିଲେ | ନିର୍ବାଚନ ପ୍ରଚାର ସମୟରେ ବିରୋଧୀମାନେ ଲଗାତାର ଏହି ପ୍ରସଙ୍ଗ ଉଠାଇଥିଲେ | ଆଉ ଏହି ଘଟଣାକୁ ନେଇ ମାନ ସରକାର ଉପରେ ପଞ୍ଜାଵବାସୀ ତଥା ମୁସେୱାଲାଙ୍କ ପ୍ରଶଂସକଙ୍କର ଥିବା ଆକ୍ରୋଶ ପ୍ରତିଫଳିତ ହୋଇଛି ବୋଲି ଚର୍ଚ୍ଚା ଜୋର ଧରିଛି |

ସମ୍ବନ୍ଧିତ ଖବର