ନୂଆଦିଲ୍ଲୀ: ଆମ ଆଦମୀ ପାର୍ଟିର ରାଜନୈତିକ ବ୍ୟାପାର କମିଟି (ପିଏସି) ବୈଠକରେ ଅନେକ ବଡ଼ ନିଷ୍ପତ୍ତି ନିଆଯାଇଛି। ଏହି ବୈଠକ ଦଳର ସଂଯୋଜକ ଏବଂ ଦିଲ୍ଲୀର ପୂର୍ବତନ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲଙ୍କ ଘରେ ହୋଇଥିଲା। ବୈଠକରେ ଦଳ ଦିଲ୍ଲୀର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆଙ୍କୁ ପଞ୍ଜାବର ପ୍ରଭାରୀ ନିଯୁକ୍ତ କରିଛି। ଏହା ସହ ଗୋପାଳ ରାୟଙ୍କୁ ଗୁଜରାଟର ପ୍ରଭାରୀ ନିଯୁକ୍ତ କରାଯାଇଛି। ଦଳ ପଙ୍କଜ ଗୁପ୍ତାଙ୍କୁ ଗୋଆର ପ୍ରଭାରୀ କରିବା ସହ ସନ୍ଦୀପ ପାଠକଙ୍କୁ ଛତିଶଗଡ଼ର ପ୍ରଭାରୀ ଭାବରେ ନିଯୁକ୍ତ କରାଯାଇଛି। ଏହା ସହ ଦଳ ସୌରଭ ଭରଦ୍ୱାଜଙ୍କୁ ଦିଲ୍ଲୀର ରାଜ୍ୟ ସଭାପତି କରିଥିବା ବେଳେ ଜମ୍ମୁ-କଶ୍ମୀରର ଅଧ୍ୟକ୍ଷ ପଦର ଦାୟିତ୍ୱ ମେହରାଜ ମଲିକଙ୍କୁ ଦିଆଯାଇଛି।
ଅରବିନ୍ଦ କେଜରିୱାଲଙ୍କ ଘରେ ଅନୁଷ୍ଠିତ ଏହି ବୈଠକରେ ସଂଗଠନର ସାଧାରଣ ସମ୍ପାଦକ ସନ୍ଦୀପ ପାଠକ, ମନୀଷ ସିସୋଦିଆ, ଗୋପାଳ ରାୟ, ଆତିଶୀ, ଇମ୍ରାନ ହୁସେନ, ପଙ୍କଜ ଗୁପ୍ତା, ସାଂସଦ ଏନଡି ଗୁପ୍ତା ଏବଂ ରାଘବ ଚଢା ଉପସ୍ଥିତ ଥିଲେ।
ଦିଲ୍ଲୀରେ ଅନୁଷ୍ଠିତ ହୋଇଥିବା ବିଧାନସଭା ନିର୍ବାଚନରେ ଆପ୍କୁ ପରାଜୟର ସାମ୍ନା କରିବା ପଡ଼ିବା ପରେ ଏହି ପରିବର୍ତ୍ତନ କରିଛି ଦଳ। ରାଜନୈତିକ ବିଶେଷଜ୍ଞମାନେ ବିଶ୍ୱାସ କରୁଛନ୍ତି ଯେ, ଏବେ ଦଳ ଆଗରେ ପଞ୍ଜାବକୁ ବଞ୍ଚାଇବାର ଚ୍ୟାଲେଞ୍ଜ ରହିଛି। ଏହି କାରଣରୁ ଅରବିନ୍ଦ କେଜରିୱାଲ, ମନୀଷ ସିସୋଦିଆଙ୍କୁ ପଞ୍ଜାବର ଦାୟିତ୍ୱ ହସ୍ତାନ୍ତର କରିଛନ୍ତି। ବିଶେଷ କଥା ହେଉଛି ଦିଲ୍ଲୀ ବିଧାନସଭା ନିର୍ବାଚନର ଫଳାଫଳ ଘୋଷଣା ହେବା ପରଠାରୁ ମନୀଷ ସିସୋଦିଆ ପଞ୍ଜାବରେ ବହୁତ ସକ୍ରିୟ ଥିଲେ।
arvind kejriwal | AAP leader Manish Sisodia