ନୂଆଦିଲ୍ଲୀ : ରାଜଧାନୀ ଦିଲ୍ଲୀରେ ହିନ୍ଦୁ ଦେବଦେବୀଙ୍କ ଉପରେ ବିବାଦୀୟ ଟିପ୍ପଣୀ ଦେଇ ଚର୍ଚ୍ଚାରେ ଥିବା ଆପ୍‌ ସରକାରର ମନ୍ତ୍ରୀ ରାଜେନ୍ଦ୍ର ପାଲ ଗୌତମ ଆଜି ଇସ୍ତଫା ଦେଇଛନ୍ତି। ରାଜେନ୍ଦ୍ର ପାଲ ଓ ତାଙ୍କ ସମର୍ଥକମାନଙ୍କ ଦ୍ବାରା ହିନ୍ଦୁ ଧର୍ମାବଲମ୍ବୀଙ୍କୁ ଅନ୍ୟ ଧର୍ମ ଗ୍ରହଣ କରିବାକୁ ଯୋଜନାବଦ୍ଧ ଭାବେ ପ୍ରବାର୍ତ୍ତାଇବା ଏବଂ ଧର୍ମାନ୍ତରଣ ପାଇଁ କାର୍ଯ୍ୟକ୍ରମ ଆୟୋଜନ କରିବା ଅଭିଯୋଗ ହୋଇଥିଲା। ଏଥିପାଇଁ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ଅଡ଼ୁଆ ବଢ଼ିଥିବା ବେଳେ ଆପ୍‌ ନେତାଙ୍କ ହିନ୍ଦୁ ବିରୋଧୀ ବୟାନକୁ ନେଇ ଗୁଜରାଟରେ ମଧ୍ୟ ଦଳର ସମସ୍ୟା ବଢ଼ିଛି। ସମାଜ କଲ୍ୟାଣ ମନ୍ତ୍ରୀ ରାଜେନ୍ଦ୍ର ପାଲ ଆଜି ଇସ୍ତଫା ଦେବାପରେ କହିଛନ୍ତି ଯେ ମୋ ପାଇଁ ଦଳର କୌଣସି ସମସ୍ୟା ହେଉ ବୋଲି ମୁଁ ଚାହେନାହିଁ। ଅନ୍ୟପକ୍ଷରେ କେଜ୍ରିୱାଲ ରାଜେନ୍ଦ୍ର ପାଲଙ୍କ ଇସ୍ତଫା ସ୍ବୀକାର କରିନାହାନ୍ତି ଏବଂ ଆସନ୍ତାକାଲି ସେ ଗୁଜରାଟ ନିର୍ବାଚନ ପ୍ରଚାରରୁ ଫେରିବା ପରେ ଏ ବାବଦରେ ନିଷ୍ପତ୍ତି ନେବେ ବୋଲି ଜଣାପଡ଼ିଛି।

Advertisment

ଆପ୍‌ ମନ୍ତ୍ରୀଙ୍କ ଇସ୍ତଫା ପରେ ବିଜେପି ନେତା କପିଲ ଶର୍ମା ଟ୍ବିଟ୍‌ କରି କହିଛନ୍ତି ଯେ ହିନ୍ଦୁଦ୍ରୋହୀ, ରାମଦ୍ରୋହୀ ରାଜେନ୍ଦ୍ର ପାଲଙ୍କୁ ଶେଷରେ କେଜ୍ରିୱାଲ ହଟାଇବାବାକୁ ବାଧ୍ୟହେଲେ। ଏହା ଗୁଜରାଟର ବିଜୟ ଏବଂ ହିନ୍ଦୁଙ୍କ ବିଜୟ ବୋଲି ସେ କହିଛନ୍ତି। ସୂଚନାଯୋଗ୍ୟ, ଧର୍ମାନ୍ତରଣ ଓ ହିନ୍ଦୁ ଦେବଦେବୀଙ୍କୁ ନେଇ ବିବାଦୀୟ ବୟାନ ମାମଲାରେ କେଜ୍ରିୱାଲଙ୍କୁ ଗୁଜରାଟରେ କଡ଼ା ବିରୋଧର ସମ୍ମୁଖୀନ ହେବାକୁ ପଡ଼ିଥିଲା। କେଜ୍ରିୱାଲଙ୍କୁ ହିନ୍ଦୁ ବିରୋଧୀ ଦର୍ଶାଇ ରାଜ୍ୟର ବିଭିନ୍ନ ସ୍ଥାନରେ ପୋଷ୍ଟର୍‌ ଲାଗିଥିଲା।