ଆପ୍‌ ବିଧାୟକଙ୍କ ଗୁଣ୍ଡାରାଜ୍‌: ଦିଲ୍ଲୀ ମୁଖ୍ୟ ସଚିବଙ୍କୁ ମୁଥ ମାରି ଘେରିଲେ

ଉପଜିଲ୍ଲାପାଳଙ୍କୁ ରିପୋର୍ଟ ମାଗିଲେ ରାଜନାଥ: କେଜ୍ରିଓ୍ଵାଲ୍‌ଙ୍କ ଖଣ୍ଡନ, ବିଜେପି ଇସାରାରେ ପାଲା

ଦିଲ୍ଲୀ: ବିଭିନ୍ନ ପ୍ରସଙ୍ଗରେ ଦିନକୁ ଦିନ ଅଧିକ ବିବାଦୀୟ ହୋଇପଡୁଥିବା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ଵାଲ୍‌ଙ୍କ ଆମ୍‌ ଆଦ୍‌ମୀ ପାର୍ଟି(ଆପ୍‌) ଆଜି ଆଉ ଏକ ନୂଆ ବିବାଦରେ ଛନ୍ଦିହୋଇପଡ଼ିଛି। କେଜ୍ରିଓ୍ଵାଲ୍‌ଙ୍କ ବାସଭବନରେ ଗତକାଲି ରାତିରେ କିଛି ଆପ୍‌ ବିଧାୟକ ଦିଲ୍ଲୀର ମୁଖ୍ୟ ଶାସନ ସଚିବ ଅଂଶୁ ପ୍ରକାଶଙ୍କୁ ଧକ୍କା ମାରି ଠେଲାପେଲା କରିଥିଲେ ବୋଲି ସେ ଅଭିଯୋଗ ଆଣିଛନ୍ତି। ଏହାକୁ ଦିଲ୍ଲୀ ଅମଲା ସଂଘ ଗୁରୁତ୍ୱର ସହ ନେଇ ଅଂଶୁ ପ୍ରକାଶଙ୍କୁ ଅସମ୍ମାନ କରିଥିବା ଆପ୍‌ ବିଧାୟକମାନଙ୍କ ଠାରୁ କ୍ଷମାପ୍ରାର୍ଥନା ଲୋଡ଼ିବା ସହ ଏ ଦିଗରେ ସରକାର ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି କରିଛନ୍ତି। ଅପରପକ୍ଷେ, ବିଧାୟକଙ୍କ ବିରୋଧରେ ଏପରି ଅଭିଯୋଗ ଅମୂଳକ ବୋଲି ମୁଖ୍ୟମନ୍ତ୍ରୀ କେଜ୍ରିଓ୍ଵାଲ୍‌ କହିଥିବା ବେଳେ ବିଜେପି କଥାରେ ହିଁ ଅମଲାତନ୍ତ୍ର କାମ କରିବା ସହ ଏପରି ପାଲା ଲଗାଇଛି ବୋଲି ଆପ୍‌ ପକ୍ଷରୁ ପାଲଟା ଅଭିଯୋଗ କରାଯାଇଛି। ସେହିପରି କେନ୍ଦ୍ର ଗୃହମନ୍ତ୍ରୀ ରାଜନାଥ ସିଂହ ଘଟଣା ସମ୍ପର୍କରେ ସବିଶେଷ ବିବରଣୀ ଜଣାଇବା ପାଇଁ ଦିଲ୍ଲୀ ଉପରାଜ୍ୟପାଳ ଅନୀଲ୍‌ ବୈଜାଲ୍‌ଙ୍କୁ ରିପୋର୍ଟ ତଲବ କରିଛନ୍ତି। ମୁଖ୍ୟ ଶାସନ ସଚିବଙ୍କ ପ୍ରତି ଆପ୍‌ ବିଧାୟକମାନଙ୍କ ଏପରି ଗୁଣ୍ଡାରାଜ୍‌କୁ ବିରୋଧ କରି ଆଜି ସନ୍ଧ୍ୟାରେ ବିଜେପି କର୍ମୀମାନେ ମୁଖ୍ୟମନ୍ତ୍ରୀ କେଜ୍ରିଓ୍ଵାଲ୍‌ଙ୍କ ବାସଭବନ ଆଗରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି।
ସୂଚନାନୁଯାୟୀ, ଦିଲ୍ଲୀ ସରକାରଙ୍କ ତରଫରୁ ପ୍ରକାଶ ହୋଇପାରିନଥିବା କିଛି ଟିଭି ବିଜ୍ଞାପନ ପ୍ରସଙ୍ଗରେ ଆଲୋଚନା ପାଇଁ ସୋମବାର ରାତିରେ ମୁଖ୍ୟମନ୍ତ୍ରୀ କେଜ୍ରିଓ୍ଵାଲ୍‌ ତାଙ୍କ ବାସଭବନକୁ ମୁଖ୍ୟ ଶାସନ ସଚିବ ଅଂଶୁପ୍ରକାଶଙ୍କୁ ଡକାଇଥିଲେ। ସେଠାରେ ଉପମୁଖ୍ୟମନ୍ତ୍ରୀ ମନିଷ ଶିଶୋଡ଼ିଆଙ୍କ ସମେତ ଆପ୍‌ର କିଛି ବିଧାୟକ ମଧ୍ୟ ଉପସ୍ଥିତ ଥିଲେ। ତେବେ ଆଲୋଚନା କାଳରେ ଅଂଶୁ ପ୍ରକାଶଙ୍କ ସହ ଯୁକ୍ତିତର୍କ ହେବା ସହ ଦୁଇ ତିନି ଜଣ ବିଧାୟକ ତାଙ୍କୁ ମୁଥ ଏବଂ ଧକ୍କା ମାରି ଘେରିଯାଇଥିଲେ। ଏଥିରେ ଅଂଶୁପ୍ରକାଶଙ୍କର ଚଷମା ମଧ୍ୟ ଭାଙ୍ଗିଯାଇଥିଲା ବୋଲି ଜଣେ ବରିଷ୍ଠ ଆଇଏସ ଅଧିକାରୀ କହିଛନ୍ତି। ଏହି ଘଟଣା ପରେ ଅଂଶୁପ୍ରକାଶ ରାତାରାତି ଉପଜିଲ୍ଲାପାଳ ଅନୀଲ ବୈଜାଲଙ୍କୁ ଭେଟି ଘଟଣା ସମ୍ପର୍କରେ ଅବଗତ କରାଇଥିଲେ। ଆଜି ଦିଲ୍ଲୀ ଆଇଏସ୍‌ ଅଧିକାରୀ ସଂଘ ଅଂଶୁପ୍ରକାଶଙ୍କ ସହ ଆଲୋଚନା କରି ପରେ ଉପରାଜ୍ୟପାଳଙ୍କୁ ଭେଟି ଘଟଣାର ତୀବ୍ର ବିରୋଧ କରିବା ସହ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି।
ଅପରପକ୍ଷେ, ଆପ୍‌ ପକ୍ଷରୁ ଏଭଳି ଅଭିଯୋଗକୁ ଖଣ୍ଡନ କରାଯିବା ସହ ମୁଖ୍ୟ ଶାସନ ସଚିବଙ୍କୁ ବିଜ୍ଞାପନ ପ୍ରସଙ୍ଗରେ ନୁହେଁ, ବରଂ ରାସନ୍‌ ଯୋଗାଣ ବିଷୟରେ ଆଲୋଚନା ପାଇଁ ଡକାଯାଇଥିଲା ବୋଲି କୁହାଯାଇଛି। ଦିଲ୍ଲୀରେ ତ୍ରୁଟିପୂର୍ଣ୍ଣ ଆଧାର ପ୍ରକ୍ରିୟା ଯୋଗୁଁ ଗତମାସରେ ଅଢ଼େଇ ଲକ୍ଷ ହିତାଧିକାରୀ ସେମାନଙ୍କ ରାସନ୍‌ ସାମଗ୍ରୀ ପାଇପାରିନାହାନ୍ତି। ଏଥିପାଇଁ ବିଧାୟକମାନେ ପ୍ରବଳ ଚାପରେ ଅଛନ୍ତି। ତେଣୁ ମୁଖ୍ୟମନ୍ତ୍ରୀଙ୍କ ବାସଭବନରେ ଏହାର ସମାଧାନ ପାଇଁ ଏକ ବୈଠକ ବସିଥିଲା। ମାତ୍ର ମୁଖ୍ୟ ସଚିବ ଏ ପ୍ରସଙ୍ଗର କୌଣସି ଉତ୍ତର ଦେବାକୁ ମନାକରିଦେଇଥିଲେ। ସେ କୁଆଡ଼େ କୌଣସି ବିଧାୟକ କି ମୁଖ୍ୟମନ୍ତ୍ରୀଙ୍କ ପାଖରେ ଉତ୍ତରଦାୟୀ ନୁହେଁ ବୋଲି କହିବା ସହ ସବୁ କଥା କେବଳ ଉପରାଜ୍ୟପାଳଙ୍କୁ ଜଣାଇବେ ବୋଲି ରୋକଠୋକ ଶୁଣାଇଥିଲେ। ଏପରିକି କିଛି ବିଧାୟକଙ୍କ ବିରୋଧରେ ସେ ଆପତ୍ତିଜନକ ଟିପ୍ପଣୀ କରିଥିଲେ ବୋଲି ଆପ୍‌ ଅଭିଯୋଗ ଆଣିଛି। ସେହିପରି ମୁଖ୍ୟ ସଚିବଙ୍କ ସହ ବିଧାୟକମାନଙ୍କର ଯୁକ୍ତିତର୍କ ହୋଇଥିଲା, ମାତ୍ର ସେଭଳି କିଛି ହାତାହାତି ଯାଏ କଥା ଯାଇନଥିଲା ବୋଲି ମୁଖ୍ୟମନ୍ତ୍ରୀ କେଜ୍ରିଓ୍ଵାଲ କହିଛନ୍ତି।

ସମ୍ବନ୍ଧିତ ଖବର