ବୈଠକରେ ବିଧାୟକଙ୍କୁ ମାଡ଼: ନିଜ କାର୍ଯ୍ୟକର୍ତ୍ତାମାନେ ପିଟିବାରୁ ବୈଠକ ଛାଡ଼ି ଦୌଡ଼ିଲେ ଆପ୍ ବିଧାୟକ

ନୂଆଦିଲ୍ଲୀ: ବୈଠକ ମଝିରେ ପିଟିଲେ ଲୋକେ। ଜୀବନ ବଞ୍ଚାଇବା ପାଇଁ ଦୌଡ଼ିଲେ ଆମ୍ ଆଦମୀ ପାର୍ଟି(ଆପ୍) ବିଧାୟକ। ଆପର ମଟିଆଲା ବିଧାୟକ ଗୁଲାବ ସିଂ ଯାଦବଙ୍କୁ ମାଡ ମରାଯାଉଥିବାର ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ସୂଚନାନୁସାରେ, ରାତି ପ୍ରାୟ ୮ଟାରେ ଶ୍ୟାମ ବିହାରରେ ବିଧାୟକ ତାଙ୍କ କାର୍ଯ୍ୟକର୍ତ୍ତାଙ୍କ ସହ ଏକ ବୈଠକ କରୁଥିବା ବେଳେ ଏହି ଘଟଣା ଘଟିଥିଲା। ବୈଠକରେ କୌଣସି ବିଷୟ‌କୁ ନେଇ ବିବାଦ ଆରମ୍ଭ ହେବା ପରେ କାର୍ଯ୍ୟକର୍ତ୍ତାମାନେ ବିଧାୟକଙ୍କୁ ମାଡ ମାରିବା ଆରମ୍ଭ କରିଥିଲେ। ତେବେ ଘଟଣାର ଭିଡିଓ ଭାଇରାଲ ହେଉଥିବା ବେଳେ ଆନୁଷ୍ଠାନିକ ଭାବେ ଆମ୍ ଆଦମୀ ପାର୍ଟି ପକ୍ଷରୁ ଏହି ପ୍ରସଙ୍ଗରେ କୌଣସି ବିବୃତି ପ୍ରକାଶ କରାଯାଇ ନାହିଁ।

ଭାଇରାଲ ଭିଡିଓରେ ଦେଖାଯାଇଛି ଯେ କିଛି ଲୋକ ତାଙ୍କୁ ମାଡ ମାରୁଥିବାବେଳେ ନିଜକୁ ବଞ୍ଚାଇବା ପାଇଁ ବିଧାୟକ ସଭାସ୍ଥଳରୁ ଦୌଡ଼ି ପଳାଉଛନ୍ତି। ଆପ୍ ଘଟଣାକୁ ନେଇ କୌଣସି ପ୍ରତିକ୍ରିୟା ରଖିନଥିବା ବେଳେ ଭିଡିଓ ସେୟାର କରି ଆପ୍ ଟିକେଟ ବିକ୍ରି କରୁଥିବାର ଅଭିଯୋଗ କରିଛି ବିଜେପି। ବିଜେପି ମୁଖପାତ୍ର ଟ୍ୱିଟ୍ କରି କହିଛନ୍ତି ଯେ, ‘ସଚ୍ଚୋଟ ରାଜନୀତି’ର ନାଟକରେ ଦଳର ବିଧାୟକଙ୍କ ସହ ଏଭଳି ଘଟୁଥିବାର ଦୃଶ୍ୟ। ଆପ୍ ଦୁର୍ନୀତିରେ ଏତେ ଲିପ୍ତ ଯେ, ଦଳର ସଦସ୍ୟମାନେ ମଧ୍ୟ ନିଜ ବିଧାୟକଙ୍କୁ ମାଡ଼ ମାରୁଛନ୍ତି। ଆଗାମୀ ଏମସିଡି ନିର୍ବାଚନରେ ​​ମଧ୍ୟ ସମାନ ଫଳାଫଳ ତାଙ୍କୁ ଅପେକ୍ଷା କରିଛି।

ସମ୍ବନ୍ଧିତ ଖବର