ହରିଆଣା ବିଧାନସଭା ନିର୍ବାଚନରେ ନୋଟାଠାରୁ ବି କମ୍ ଭୋଟ ପାଇଥିବା ବେଳେ ମହାରାଷ୍ଟ୍ରରେ ଏଥିରୁ ଅଧିକ ଭୋଟ ପାଇଛି ଆପ୍

ନୂଆଦିଲ୍ଲୀ: ହରିଆଣାରେ ବିଧାନସଭା ନିର୍ବାଚନରେ ଆମ ଆଦମି ପାର୍ଟି (ଆପ୍) ପ୍ରାର୍ଥୀମାନଙ୍କୁ ନୋଟାଠାରୁ ବି କମ୍ ଭୋଟ ମିଳିଥିବା ବେଳେ ମହାରାଷ୍ଟ୍ରରେ କିନ୍ତୁ ଏଥିରୁ ଅଧିକ ଭୋଟ ମିଳିଥିବା ଜଣାଯାଇଛି । କିନ୍ତୁ ମୋଟାମୋଟିଭାବେ ମହାରାଷ୍ଟ୍ରରେ ଆପ ଦୁର୍ବଳ ପ୍ରଦର୍ଶନ କରିଛି । ଆମ ଆଦମି ପାର୍ଟିକୁ ମହାରାଷ୍ଟ୍ରରେ ବିଧାନସଭା ନିର୍ବାଚନରେ ମାତ୍ର ୦.୧ ପ୍ରତିଶତ ଭୋଟ ମିଳିଥିବା ଜଣାଯାଇଛି । ଅପରପକ୍ଷରେ ନୋଟାରେ ୧.୩୫ ପ୍ରତିଶତ ଭୋଟ ପଡ଼ିଛି ।

ଦିଲ୍ଲୀର ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ପ୍ରଚାରର ଅନ୍ତିମ ପର୍ଯ୍ୟାୟରେ ବିଦର୍ଭରେ ଦଳୀୟ ପ୍ରାର୍ଥୀ ପରୋମିତା ଗୋସ୍ୱାମୀଙ୍କ ପାଇଁ ପ୍ରଚାର କରିଥିଲେ, କିନ୍ତୁ ତାଙ୍କୁ କେବଳ ୩୫୯୬ ଖଣ୍ଡ ଭୋଟ ମିଳିଛି । ଏଥିରୁ ସ୍ପଷ୍ଟ ହେଉଛି ଯେ, ମହାରାଷ୍ଟ୍ରର ଜନତା ଆପକୁ ପସନ୍ଦ କରୁ ନାହାନ୍ତି । ସୂଚନାଯୋଗ୍ୟ,ଏଥର ଆପ ମହାରାଷ୍ଟ୍ର ବିଧାନସଭା ନିର୍ବାଚନରେ ୨୦ଟି ଆସନରେ ପ୍ରାର୍ଥୀ ଦେଇଥିଲା।

ସୂଚନାଯୋଗ୍ୟ, ଚଳିତ ନିର୍ବାଚନରେ ଆମ ଆଦମି ପାର୍ଟି ୯୦ଟି ଆସନରୁ ୪୬ଟି ବିଧାନସଭା ଆସନରେ ପ୍ରାର୍ଥୀ ଦେଇଥିଲା। ତେବେ ପ୍ରଚାର ସମୟରେ କେଜ୍ରିଓ୍ୱାଲ କିମ୍ବା ଅନ୍ୟ କୌଣସି ବଡ଼ ନେତା ହରିଆଣାର ବିଧାନସଭା ନିର୍ବାଚନରେ ପ୍ରଚାର କରିନଥିଲେ। ଦିଲ୍ଲୀର ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ୱାଲଙ୍କ ରାଜ୍ୟ ହରିଆଣା ହୋଇଥିବା ହେତୁ ସେଠାରେ ଦଳର ଶୋଚନୀୟ ପରାଜୟ ତାଙ୍କପାଇଁ ଚିନ୍ତାର କାରଣ ହୋଇଛି। ଏବେ ଦିଲ୍ଲୀରେ ନିର୍ବାଚନ ଅନୁଷ୍ଠିତ ହେବାକୁ ଯାଉଛି। ଏଣୁ ଦଳ ଏହାକୁ ଗମ୍ଭୀରତାର ସହ ନେଉଥିବା କୁହାଯାଉଛି।

ସମ୍ବନ୍ଧିତ ଖବର