ଗୋଆ ପାଇଁ ‘ଆପ୍‌’ର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ କିଏ? ବୁଧବାର ଘୋଷଣା କରିବେ କେଜ୍ରିଓ୍ଵାଲ

ପାନାଜୀ: ଗୋଆ ବିଧାନସଭା ପାଇଁ ଅନୁଷ୍ଠିତ ହେବାକୁ ଥିବା ନିର୍ବାଚନରେ ଦଳର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ କିଏ ହେବେ, ତାଙ୍କର ନାମ (ଆସନ୍ତାକାଲି) ବୁଧବାର ପାନାଜୀ ଠାରେ ଆୟୋଜିତ ହେବାକୁ ଥିବା ଏକ ସାମ୍ବାଦିକ ସମ୍ମିଳନୀରେ ଆମ୍‌ ଆଦମୀ ପାର୍ଟିର ଜାତୀୟ ସଂଯୋଜକ ତଥା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଘୋଷଣା କରିବେ। ଦଳ ଗୋଆ ବାସୀଙ୍କ ଉପରେ ମୁଖ୍ୟମନ୍ତ୍ରୀ ଭାବେ କାହାରିକି ଲଦି ଦେବାକୁ ଚାହୁଁନାହିଁ। ଲୋକେ ଯାହାଙ୍କୁ ଚାହିଁବେ ଦଳ ତାଙ୍କୁ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ କରିବ ବୋଲି ଆପ୍‌ ସୁପ୍ରିମୋ କେଜ୍ରିଓ୍ଵାଲ ସ୍ପଷ୍ଟ କରି ଦେଇଛନ୍ତି।

(ଆଜି) ମଙ୍ଗଳବାର ଅପରାହ୍ନରେ ଆପ୍‌ ସାଂସଦ ଭଗବନ୍ତ ମାନଙ୍କୁ ଆଗାମୀ ପଞ୍ଜାବ ବିଧାନସଭା ନିର୍ବାଚନ ପାଇଁ ଦଳର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଭାବେ ନାମିତ କରିଛନ୍ତି ‘ଆପ୍‌’ ସୁପ୍ରିମୋ ଅରବିନ୍ଦ କେଜ୍ରିଓ୍ଵାଲ। ମୋହାଲିରେ ଏକ ସାମ୍ବାଦିକ ସମ୍ମିଳନୀକୁ ସମ୍ବୋଧିତ କରି କେଜ୍ରିୱାଲ କହିଛନ୍ତି, ପଞ୍ଜାବର ସଙ୍ଗରୁର ନିର୍ବାଚନ ମଣ୍ଡଳୀରୁ ଆମ୍‌ ଆଦମୀ ପାର୍ଟି ଲୋକସଭା ସାଂସଦ ଭାଗବନ୍ତ ମାନ ଆଗାମୀ ବିଧାନସଭା ନିର୍ବାଚନ ପାଇଁ ଦଳର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ହେବେ।

ଆପ୍‌ ଗତ ସପ୍ତାହରେ ଏକ ଫୋନ୍‌ ନମ୍ବର ଜାରି କରି ଲୋକଙ୍କୁ ପଞ୍ଜାବରେ ଦଳ ପାଇଁ ସେମାନଙ୍କର ପସନ୍ଦର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀଙ୍କ ନାମ ଦେବାକୁ କହିଥିଲ। ଆପ୍‌ କହିଛି ଯେ ଏହା ଉପରେ ଦଳକୁ ପ୍ରାୟ ୨୨ ଲକ୍ଷ ପ୍ରତିକ୍ରିୟା ମିଳିଛି। ମାନ୍‌ ଙ୍କୁ ତାଙ୍କର ସାନ ଭାଇ ବୋଲି କହି କେଜ୍ରିୱାଲ କହିଛନ୍ତି ଯେ ସମୁଦାୟ ଅଂଶଗ୍ରହଣକାରୀଙ୍କ ମଧ୍ୟରୁ ୯୩.୩ ପ୍ରତିଶତ ଚାହୁଁଛନ୍ତି ଯେ ଭାଗବନ୍ତ ମାନ ଦଳର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ହୁଅନ୍ତୁ। ଭାଗବନ୍ତ ମାନ ବର୍ତ୍ତମାନ ପଞ୍ଜାବର ସଙ୍ଗରୁର ଲୋକସଭା ଆସନରୁ ଦଳର ସାଂସଦ ଅଛନ୍ତି।

ସମ୍ବନ୍ଧିତ ଖବର