ନୂଆଦିଲ୍ଲୀ : ନିକଟରେ ଗୁଜରାଟ ଓ ପଞ୍ଜାବର କେତେକ ଆସନରେ ହୋଇଥିବା ଉପନିର୍ବାଚନରେ ଆମ ଆଦମୀ ପାର୍ଟି (ଆପ୍ ) ଗୋଟିଏ ଲେଖାଏଁ ଆସନରେ ବିଜୟୀ ହୋଇ ଉତ୍ସାହିତ ହୋଇଯାଇଛି । ଏବେ ଆପ ମୁଖ୍ୟ ଅରବିନ୍ଦ କେଜ୍ରିଓ୍ବାଲ ବିହାର ଉପରେ ଆଖି ପକାଇଛନ୍ତି । ସେ ଘୋଷଣା କରିଛନ୍ତି ଯେ ଆଗାମୀ ବିହାର ବିଧାନସଭା ନିର୍ବାଚନରେ ତାଙ୍କ ଦଳ ଏକାକୀ ଲଢିବ ।
ବିହାରରେ ଏକାକୀ ଲଢିବାକୁ ଆପ୍ର ନିଷ୍ପତ୍ତି କେତେକ ରାଜନୈତିକ ଦଳଙ୍କ ଖେଳ ଗୋଳମାଳ କରିପାରେ । କାରଣ ବିହାରରେ ଆପ୍ର ଉପସ୍ଥିତି ନଗଣ୍ୟ କହିଲେ ଚଳେ । ରାଜ୍ୟରେ ଦଳର ସଂଗଠନ ନାହିଁ, ସେପରି କୌଣସି ଚିହ୍ନା ଚେହେରା ନାହାନ୍ତି । ଏହା ସତ୍ତ୍ବେ ଦଳ ଏକାକୀ ଲଢିଲେ ତାହାର ପ୍ରଭାବ କଣ ରହିବ ? ଏହାର ଉତ୍ତର ହେଉଛି, ଏହି ନିର୍ବାଚନରେ ଆପ୍ ସେପରି କୌଣସି ବଡ଼ ସଫଳତା ନ ପାଇଲେ ବି ଅନ୍ୟମାନଙ୍କ ଖେଳ ଖରାପ କରିପାରେ, ଠିକେ ଯେପରି ଅସଦୁଦ୍ଦିନ ଓଓ୍ବେସୀଙ୍କ ଦଳ ଏଆଇଏମଆଇଏମ ପୂର୍ବ ବିହାର ନିର୍ବାଚନରେ କରିଥିଲା । ଏଥର ବିହାର ନିର୍ବାଚନରେ ଉଭୟ ଆପ୍ ଓ ଏଆଇଏମଆଇଏମ ଏକାକୀ ଲଢୁଥିବାରୁ ତାହା ଅନ୍ୟ ମୁଖ୍ୟ ଦଳମାନଙ୍କ ଖେଳ ବିଗାଡ଼ିବାର ସମ୍ଭାବନା ରହିଛି । କାରଣ ଉଭୟ ଦଳଙ୍କର କିଛି ନିଜସ୍ବ ଭୋଟବ୍ୟାଙ୍କ ରହିଛନ୍ତି ।