ନୂଆଦିଲ୍ଲୀ: ଚିକିତ୍ସା ପ୍ରତି ଦୃଷ୍ଟି ଦେଇ ଆଜି ସୁପ୍ରିମ୍ କୋର୍ଟ ଦିଲ୍ଲୀର ପୂର୍ବତନ ସ୍ବାସ୍ଥ୍ୟମନ୍ତ୍ରୀ ତଥା ‘ଆପ୍’ ନେତା ସତ୍ୟେନ୍ଦ୍ର ଜୈନ୍ଙ୍କୁ ‘ମନି ଲଣ୍ଡରିଙ୍ଗ୍’ ମାମଲାରେ ୬ ସପ୍ତାହ ପାଇଁ ମଧ୍ୟବର୍ତ୍ତୀକାଳୀନ ଜାମିନ ମଞ୍ଜୁର କରିଛନ୍ତି।
କିନ୍ତୁ, ଏହି ସମୟରେ ବିନା ଅନୁମତିରେ ସତ୍ୟେନ୍ଦ୍ର ଜୈନ୍ ଦିଲ୍ଲୀ ଛାଡ଼ି ଯାଇ ପାରିବେ ନାହିଁ କିଂବା ଗଣମାଧ୍ୟମରେ କୌଣସି ବିବୃତି ଦେଇପାରିବେ ନାହିଁ ବୋଲି ସୁପ୍ରିମ୍ କୋର୍ଟ ନିର୍ଦେଶ ଦେଇଛନ୍ତି।
ସୁପ୍ରିମ୍ କୋର୍ଟ କହିଛନ୍ତି, ସ୍ବାସ୍ଥ୍ୟ ସମସ୍ୟାଜନିତ ଡାକ୍ତରୀ ଚିକିତ୍ସା କାରଣରୁ ଆମେ ମଧ୍ୟବର୍ତ୍ତିକାଳୀନ ଜାମିନ କଥା ବିଚାର କଲୁ ଏବଂ ତାଙ୍କ ପସନ୍ଦ ଅନୁସାରେ ଘରୋଇ ଡାକ୍ତରଖାନାରେ ଚିକିତ୍ସା ନିମନ୍ତେ ୬ ସପ୍ତାହ ଜାମିନ ମଞ୍ଜୁର କଲୁ। ଡାକ୍ତରୀ ଚିକିତ୍ସା ପାଇଁ ତାଙ୍କୁ ଜେଲ୍ରୁ ମୁକ୍ତ କରାଗଲା। କିନ୍ତୁ, ତାଙ୍କ ପ୍ରତି ଟ୍ରାଏଲ୍ କୋର୍ଟ ଲାଗୁ କରିଥିବା ସର୍ତ୍ତାବଳି ବଳବତ୍ତର ରହିବ ଏବଂ ସେ କୌଣସି ସାକ୍ଷୀଙ୍କୁ ପ୍ରଭାବିତ କରିପାରିବେ ନାହିଁ କି, ଭେଟି ପାରିବେ ନାହିଁ। ଏହି ଆଦେଶ ଜୁଲାଇ ୧୧ ତାରିଖ ପର୍ଯ୍ୟନ୍ତ କାଏମ ରହିବ।

ସ୍ମରଣଯୋଗ୍ୟ, ‘ମନି ଲଣ୍ଡରିଙ୍ଗ୍’ ମାମଲାରେ ଗତବର୍ଷ ମେ ମାସରେ ଜୈନ୍ଙ୍କୁ ଗିରଫ କରାଯାଇ ଜେଲ୍ ପଠାଯାଇଥିଲା।
ଶ୍ବାସପ୍ରଶ୍ବାସ ଜନିତ ସମସ୍ୟା ପାଇଁ ଜୈନ୍ଙ୍କୁ ଦିଲ୍ଲୀସ୍ଥିତ ‘ଲୋକ ନାୟକ ଜୟପ୍ରକାଶ ନାରାୟଣ’ (ଏଲ୍ଏନ୍ଜେପି) ହସ୍ପିଟାଲ୍ରେ ଭର୍ତ୍ତି କରାଯାଇଥିଲା। ଗତକାଲି ତାଙ୍କୁ ସେଠାରେ ‘ଆଇସିୟୁ’ରେ ରଖାଯାଇଥିଲା।
ଗୁରୁବାର ଦିନ ତିହାର ଜେଲ୍ ‘ଡିଜି’ଙ୍କ କହିଥିଲେ, ଜେଲ୍ ପରିସରସ୍ଥିତ ସେଲ୍ ନମ୍ବର ୭ରେ ରଖାଯାଇଥିବା ସତ୍ୟେନ୍ଦ୍ର ଜୈନ୍ ଗୁରୁବାର ସନ୍ଧ୍ୟା ପ୍ରାୟ ୬ଟା ବେଳେ ୱାସ୍ରୁମ୍ରେ ପଡ଼ିଯାଇଥିଲେ। ତାଙ୍କୁ ତୁରନ୍ତ ଡାକ୍ତରଖାନା ନିଆଯାଇ କେତେଗୁଡ଼ିଏ ପରୀକ୍ଷା ନିରୀକ୍ଷା କରାଯାଇଥିଲା। ତାଙ୍କ ମେରୁଦଣ୍ଡରେ ଅସ୍ତ୍ରୋପଚାର କରାଯିବ।