‘ଆତ୍ମନିର୍ଭର ଭାରତ ଅଭିଯାନ’ର ଚତୁର୍ଥ ପର୍ଯ୍ୟାୟ : ଘରୋଇକରଣ ଚିନ୍ତା

ଘରୋଇ କଂପାନିଙ୍କୁ ମିଳିବ କୋଇଲା ଖଣି

ପ୍ରତିରକ୍ଷ‌ାରେ ଏଫ୍‌ଡିଆଇ ସୀମା ୭୪%କୁ ବୃଦ୍ଧି
ଆକାଶ ମାର୍ଗ କଟକଣା କୋହଳ ହେବ
ଘରୋଇ କମ୍ପାନି କରିବେ ମହାକାଶ ଅନ୍ବେଷଣ

ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଘୋଷଣା କରିଥିବା ୨୦ ଲକ୍ଷ କୋଟି ଟଙ୍କାର ‘ଆତ୍ମନିର୍ଭର ଭାରତ ଅଭିଯାନ’ର ଚତୁର୍ଥ ପର୍ଯ୍ୟାୟରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଆଜି ଅର୍ଥନୀତିର ୮ଟି ପ୍ରମୁଖ କ୍ଷେତ୍ର ପାଇଁ ସଂସ୍କାର ପଦକ୍ଷେପ ଘୋଷଣା କରିଛନ୍ତି। କୋଇଲା, ଖଣିଜ ପଦାର୍ଥ, ପ୍ରତିରକ୍ଷା ସାମଗ୍ରୀ ଉତ୍ପାଦନ, ଆକାଶ ମାର୍ଗ ପରିଚାଳନା ଏବଂ ବିମାନବନ୍ଦର, ବିମାନଗୁଡ଼ିକର ମରାମତି, ରକ୍ଷଣାବେକ୍ଷଣ ଓ ଓଭରହାଉଲ୍‌ (ଏମ୍‌ଆର୍‌ଓ), ବିଦ୍ୟୁତ ବଣ୍ଟନ କଂପାନି, ମହାକାଶ ଏବଂ ଆଣବିକ ଶକ୍ତି ଭଳି ଆଠଟି କ୍ଷେତ୍ରରେ ସଂସ୍କାର ଅଣାଯାଇଛି। ସୋଲାର ପିଭି ଉତ୍ପାଦନ ଓ ଆଡଭାନ୍ସଡ୍‌ ସେଲ୍‌ ବ୍ୟାଟେରି ଷ୍ଟୋରେଜ୍ ଲାଗି ପ୍ରୋତ୍ସାହନ ପ୍ୟାକେଜ୍ ଘୋଷଣା କରାଯାଇଛି।

ନିବେଶ ହାତେଇବାକୁ କେଉଁ ରାଜ୍ୟ କେତେ ଆକର୍ଷଣୀୟ ତାହା ଜଣାଇବା ଲାଗି ରୢାଙ୍କିଙ୍ଗ୍‌ ବ୍ୟବସ୍ଥା ଆରମ୍ଭ କରାଯିବ। ଏହା ଦ୍ବାରା ନିବେଶ ଆକୃ‌ଷ୍ଟ କରିବା ଲାଗି ରାଜ୍ୟଗୁଡ଼ିକ ମଧ୍ୟରେ ପ୍ରତିଦ୍ବନ୍ଦ୍ବିତା ବୃଦ୍ଧି ପାଇବ ବୋଲି ଅର୍ଥମନ୍ତ୍ରୀ ଆଶା ରଖିଛନ୍ତି।

କୋଇଲା କ୍ଷେତ୍ରରେ ଘରୋଇ କଂପାନିଗୁଡ଼ିକର ପ୍ରବେଶକୁ ଅନୁମତି ଦିଆଯାଇଛି। ରାଜସ୍ବ ଭାଗବଣ୍ଟା ବ୍ୟବସ୍ଥା ଆଧାରରେ ସେମାନଙ୍କୁ ପ୍ରୋତ୍ସାହିତ କରାଯିବ। ଏହି ସଂସ୍କାର ପଦକ୍ଷେପ ଜରିଆରେ ଭାରତ କୋଇଲା ଆମଦାନି କମ୍ କରି ଆତ୍ମନିର୍ଭରଶୀଳ ହେବାକୁ ଲକ୍ଷ୍ୟ ରଖିଛି। କୋଇଲା କ୍ଷେତ୍ରରେ ଭିତ୍ତିଭୂମିର ବିକାଶ ଲାଗି ୫୦ ହଜାର କୋଟି ଟଙ୍କା ଦିଆଯିବ ବୋଲି ଅର୍ଥମନ୍ତ୍ରୀ କହିଛନ୍ତି। ପାଖାପାଖି ୫୦୦ଟି କୋଇଲା ଖଣିକୁ ନିଲାମ ପାଇଁ ଉପଲବ୍ଧ କରାଯିବ ବୋଲି ସେ କହିଛନ୍ତି। କେବଳ ସେତିକି ନୁହେଁ ଆଲୁମିନିୟମ୍ କଂପାନିଗୁଡ଼ିକ ଲାଗି ଯୁଗ୍ମ ଭାବେ ବକ୍ସାଇଟ୍‌ ଓ କୋଇଲା ଖଣି ନିଲାମ କରିବାକୁ ମଧ୍ୟ ବ୍ୟବସ୍ଥା କରାଯାଇଛି। ଖଣି ଲିଜ୍ ଦେବା ବେଳେ ଆଦାୟ କରାଯାଉଥିବା ଷ୍ଟାମ୍ପ୍‌ ଡ୍ୟୁଟି ମଧ୍ୟ କୋହଳ କରାଯିବ। ଖଣି ଲିଜ୍‌ ସୁବିଧାରେ ଯେଭଳି ହସ୍ତାନ୍ତର ହୋଇପାରିବ ସେଥିପାଇଁ କ୍ୟାପ୍‌ଟିଭ୍ ଓ ଅଣ-କ୍ୟାପ୍‌ଟିଭ୍ ଖଣି ଭିତରେ ଥିବା ପ୍ରଭେଦକୁ ଦୂର କରାଯିବ। ଖଣି ମନ୍ତ୍ରଣାଳୟ ପକ୍ଷରୁ ଖୁବ୍‌ଶୀଘ୍ର ମାଇନିଂ ଇଣ୍ଡେକ୍ସ ପ୍ରସ୍ତୁତ କରାଯିବ।

ଦେଶ ଭିତରେ ଅସ୍ତ୍ରଶସ୍ତ୍ର ଓ ପ୍ଲାଟଫର୍ମ ଉତ୍ପାଦନ ବଢ଼ାଇବା ଲାଗି ପ୍ରତିରକ୍ଷା କ୍ଷେତ୍ରରେ ସଂସ୍କାର ଅଣାଯାଇଛି। ଯେଉଁ ସବୁ ଉପକରଣ ଏବେ ଆମଦାନି କରାଯାଉଛି, ସେଗୁଡ଼ିକୁ ଦେଶ ଭିତରେ ନିର୍ମାଣ କରିବାକୁ ଉଦ୍ୟମ କରାଯିବ। କେଉଁ ସବୁ ଅସ୍ତ୍ରଶସ୍ତ୍ର ଓ ପ୍ଲାଟଫର୍ମ ଆମଦାନି କରିହେବ ନାହିଁ ତାହାର ତାଲିକା ଜାରି କରାଯିବ। କେବଳ ଯେଉଁ ଅସ୍ତ୍ରଶସ୍ତ୍ରଗୁଡ଼ିକର ବିଜ୍ଞପ୍ତି ପ୍ରକାଶ ପାଇବ ସେଗୁଡ଼ିକୁ ଭାରତ ଅଣାଯିବ। ଗୋଳାବାରୁଦ କାରଖାନା ବୋର୍ଡକୁ କର୍ପୋରେଟ୍ ଢାଞ୍ଚା ଦିଆଯିବ। ଏଥି ସହିତ ପ୍ରତିରକ୍ଷା ମାନୁଫାକ୍‌ଚରିଂ କ୍ଷେତ୍ରରେ ପ୍ରତ୍ୟକ୍ଷ ବୈଦେଶିକ ପୁଞ୍ଜିନିବେଶ (ଏଫ୍‌ଡିଆଇ) ସୀମାକୁ ୪୯ ପ୍ରତିଶତରୁ ବଢ଼ାଇ ୭୪ ପ୍ରତିଶତ କରାଯାଇଛି।

ସେହିପରି, ବିମାନ ଚଳାଚଳ କ୍ଷେତ୍ର‌ ପାଇଁ ପ୍ରତିବନ୍ଧକ ଥିବା ଆକାଶ ମାର୍ଗ କଟକଣାକୁ କୋହଳ କରାଯିବ ବୋଲି ଅର୍ଥମନ୍ତ୍ରୀ ଘୋଷଣା କରିଛନ୍ତି। ଏହା ଦ୍ବାରା ବେସାମରିକ ବିମାନ ଚଳାଚଳ କ୍ଷେତ୍ର ପ୍ରତିବର୍ଷ ୧୦୦୦ କୋଟି ଟଙ୍କା ସଞ୍ଚୟ କରିପାରିବ। ଅଧିକରୁ ଅଧିକ ବିମାନବନ୍ଦରକୁ ବିଶ୍ବସ୍ତରୀୟ କରାଯିବ। ଭାରତକୁ ବିମାନ ମରାମତି, ରକ୍ଷଣାବେକ୍ଷଣ, ଇଞ୍ଜିନ ଉପରକଣ ଉତ୍ପାଦନ ଓ ଓଭରହାଉଲ୍‌ର ହବ୍‌ରେ ପରିଣତ କରିବାକୁ ପଦକ୍ଷେପ ‌ଗ୍ରହଣ କରାଯାଇଛି। କେନ୍ଦ୍ରଶାସିତ ଅଞ୍ଚଳଗୁଡ଼ିକର ବିଦ୍ୟୁତ ୟୁଟିଲିଟିଗୁଡ଼ିକର ଘରୋଇକରଣ କରାଯିବ। ଏହା ବ୍ୟତୀତ ଗ୍ରାହକମାନଙ୍କୁ ସ୍ବାର୍ଥକୁ ଜଗିବା ଲାଗି ଏକ ନୂତନ ବିଦ୍ୟୁତ ଟାରିଫ୍‌ ନୀତି ଅଣାଯିବ। ସାମାଜିକ ଭିତ୍ତିଭୂମି ପ୍ରକଳ୍ପଗୁଡ଼ିକ ଲାଗି ଭାୟାବିଲିଟି ଗ୍ୟାପ୍ ଫଣ୍ଡିଂ ବ୍ୟବସ୍ଥା କରାଯାଇଥିବା ବେଳେ ମହାକାଶ କ୍ଷେତ୍ରରେ ଘରୋଇ କଂପାନିଗୁଡ଼ିକୁ ପ୍ରବେଶ ଅନୁମତି ଦିଆଯାଇଛି।

ଏହା ପୂର୍ବରୁ ଅର୍ଥମନ୍ତ୍ରୀ ଶ୍ରୀମତୀ ସୀତାରମଣ ‘ଆତ୍ମନିର୍ଭରଶୀଳ ଭାରତ ଅଭିଯାନ’ର ତିନିଟି ପର୍ଯ୍ୟାୟକୁ ତିନି ଦିନରେ ଘୋଷଣା କରିଛନ୍ତି। ପ୍ରଥମ ପର୍ଯ୍ୟାୟରେ ଏମ୍ଏସ୍‌ଏମ୍ଇ, ବିଦ୍ୟୁତ ବଣ୍ଟନ କଂପାନି ପାଇଁ ପଦକ୍ଷେପ ଘୋଷଣା କରାଯାଇଥିଲା। ଦ୍ବିତୀୟ ପର୍ଯ୍ୟାୟରେ ପ୍ରବାସୀ ଶ୍ରମିକ ଓ ଚାଷୀଙ୍କୁ ଗୁରୁତ୍ବ ଦିଆଯାଇଥିଲା। ତୃତୀୟ ପର୍ଯ୍ୟାୟ ସମ୍ପୂର୍ଣ୍ଣ ରୂପେ କୃଷି କ୍ଷେତ୍ର, ମତ୍ସ୍ୟଚାଷ, ମହୁମାଛି ପାଳନ ଉପରେ ପର୍ଯ୍ୟବେସିତ ଥିଲା। ଆଜି କେବଳ ସଂସ୍କାରମୂଳକ ପଦକ୍ଷେପ ଘୋଷଣା କରାଯାଇଛି।

ସମ୍ବନ୍ଧିତ ଖବର