ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଶନିବାର ଦିନ ଅନୁଷ୍ଠିତ ନିତି ଆୟୋଗର ପରିଚାଳନା ପରିଷଦ ବୈଠକରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସମେତ ୧୧ ରାଜ୍ୟର ମୁଖ୍ୟମନ୍ତ୍ରୀ ଯୋଗ ଦେଇନାହାନ୍ତି। ସେମାନଙ୍କ ମଧ୍ୟରୁ କିଛି ମୁଖ୍ୟମନ୍ତ୍ରୀ ବୈଠକ ବର୍ଜନ ଲାଗି ପୂର୍ବରୁ ଘୋଷଣା କରିଥିବା ବେଳେ ଅନ୍ୟ କେତେକ ମୁଖ୍ୟମନ୍ତ୍ରୀ ବ୍ୟକ୍ତିଗତ କାରଣ ଦର୍ଶାଇଛନ୍ତି। ଯେଉଁ ରାଜ୍ୟର ମୁଖ୍ୟମନ୍ତ୍ରୀ ଆଜି ଅନୁପସ୍ଥିତ ଥିଲେ ସେମାନଙ୍କ ମଧ୍ୟରେ ଅଛନ୍ତି ଓଡ଼ିଶା, ପଶ୍ଚିମବଙ୍ଗ, ବିହାର, ରାଜସ୍ଥାନ, ଦିଲ୍ଲୀ, କେରଳ, ତେଲେଙ୍ଗାନା, ତାମିଲନାଡ଼ୁ, ପଞ୍ଜାବ ଓ କର୍ଣ୍ଣାଟକ।
କୁହାଯାଉଛି ଯେ ଓଡ଼ିଶା ସ୍ବାସ୍ଥ୍ୟମନ୍ତ୍ରୀ ନିରଞ୍ଜନ ପୂଜାରୀଙ୍କୁ ବୈଠକରେ ଯୋଗ ଦେବାପାଇଁ ନିତି ଆୟୋଗଙ୍କୁ ରାଜ୍ୟ ସରକାରଙ୍କ ପକ୍ଷରୁ ଅନୁରୋଧ କରାଯାଇଥିଲା। ହେଲେ କେବଳ ମୁଖ୍ୟମନ୍ତ୍ରୀମାନେ ହିଁ ପରିଚାଳନା ପରିଷଦ ବୈଠକରେ ଯୋଗ ଦେବା ବ୍ୟବସ୍ଥା ଥିବାରୁ ଏହି ଅନୁରୋଧକୁ ଅଗ୍ରାହ୍ୟ କରିଦିଆଯାଇଥିଲା। ପଶ୍ଚିମ ବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ସମାନ ଅନୁରୋଧକୁ ମଧ୍ୟ ଅଗ୍ରାହ୍ୟ କରାଯାଇଛି। ତେବେ ନବୀନ ପଟ୍ଟନାୟକଙ୍କ ନିତି ଆୟୋଗ ପରିଚାଳନା ପରିଷଦ ବୈଠକରେ ଅନୁପସ୍ଥିତ ରହିବା ଏହା ପ୍ରଥମ ଘଟଣା ନୁହେଁ। ନିତି ଆୟୋଗଙ୍କ ମୋଟ ଆଠଟି ପରିଚାଳନା ପରିଷଦ ବୈଠକ ମଧ୍ୟରୁ ନବୀନ ୫ଟିରେ ଯୋଗ ଦେଇଛନ୍ତି।
ବିଜେପି ନେତା ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ ରବି ଶଙ୍କର ପ୍ରସାଦ କହିଛନ୍ତି, ଦେଶର ବିକାଶ ଏବଂ ଯୋଜନା ପାଇଁ ନିତି ଆୟୋଗ ଅତି ଗୁରୁତ୍ବପୂର୍ଣ୍ଣ ବୈଠକ। ଆଜିର ବୈଠକ ପାଇଁ ୧୦୦ଟି ପ୍ରସଙ୍ଗ ରଖାଯାଇଥିଲା। ଯେଉଁ ମୁଖ୍ୟମନ୍ତ୍ରୀମାନେ ଆଜିର ବୈଠକକୁ ଆସିନାହାନ୍ତି ସେମାନେ ସେମାନଙ୍କ ରାଜ୍ୟର ଲୋକଙ୍କ ସ୍ବରକୁ ଏଠାରେ ପହଞ୍ଚାଇ ପାରିନାହାନ୍ତି। କେତେକ ମୁଖ୍ୟମନ୍ତ୍ରୀ ନିତି ଆୟୋଗ ବୈଠକ ବର୍ଜନ କରିବା ଜନବିରୋଧୀ ଏବଂ ଦାୟିତ୍ବହୀନ କାର୍ଯ୍ୟ ବୋଲି ସେ କହିଛନ୍ତି।
ଅନ୍ୟପକ୍ଷରେ ଆୟୋଗର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ବିଭିଆର ସୁବ୍ରମଣିଅମ କହିଛନ୍ତି ଯେ ଯେଉଁ ମୁଖ୍ୟମନ୍ତ୍ରୀ ଆଜିର ବୈଠକରେ ଯୋଗ ଦେଇ ନାହାନ୍ତି, ସେମାନେ ସୁଯୋଗ ହରାଇଛନ୍ତି। ଭାରତ ସରକାର ସମଗ୍ର ଦେଶ ପାଇଁ ନୀତି ପ୍ରସ୍ତୁତ କରନ୍ତି। ଏଥିରେ ମୁଖ୍ୟମନ୍ତ୍ରୀମାନେ ଭାଗ ନେଇ ସେମାନଙ୍କର ସୁଚିନ୍ତିତ ମତାମତ ଦେଇଥିଲେ ଭଲ ହୋଇଥାନ୍ତା। ରାଜ୍ୟ ଓ ଜିଲ୍ଲାର ସ୍ବପ୍ନ ଦେଶ ସହିତ ଯୋଡ଼ି େହଲେ ଏହା ଫଳପ୍ରଦ ହୋଇପାରିବ ବୋଲି େସ କହିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2023/05/niti-aa.jpg)