ଏବେ ବି ବାଜପେୟୀଙ୍କ ସ୍ୱାସ୍ଥ୍ୟାବସ୍ଥା ସଙ୍କଟଜନକ ; ଏମ୍ସରେ ସୁୂରକ୍ଷା ବ୍ୟବସ୍ଥା କଡ଼ାକଡ଼ି

ନୂଆଦିଲ୍ଳୀ: ଗତ ୩୬ ଘଣ୍ଟା ହେଲା ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ସ୍ୱାସ୍ଥ୍ୟାବସ୍ଥା ଗୁରୁତର ରହିଛି। ଗତକାଲି ସନ୍ଧ୍ୟାରେ ଶ୍ରୀ ବାଜପେୟୀଙ୍କ ଅବସ୍ଥା ଯାହା ଥିଲା, ଆଜି ଦିନ ୧୧ଟା ବେଳେ ଏମ୍ସ ପକ୍ଷରୁ ଜାରି ବୁଲେଟିନ୍‌ରେ କୁହାଯାଇଛି ଯେ ସେହି ଅବସ୍ଥାରେ କୌଣସି ଉନ୍ନତି ହୋଇ ନାହିଁ। ଗତ ଜୁନ ମାସ ୧୧ ତାରିଖରୁ ଏମ୍‌ସରେ ଚିକିତ୍ସିତ ହେଉଥିବା ବାଜପେୟୀଙ୍କ ଅବସ୍ଥା, ଗତ ୩୬ ଘଣ୍ଟା ମଧ୍ୟରେ ଅଧିକ ଗମ୍ଭୀର ହୋଇ ପଡ଼ିଛି ଓ ତାଙ୍କ ଅବସ୍ଥା ସଙ୍କଟାପନ୍ନ ଥିବାରୁ ତାଙ୍କୁ ଲାଇଫ୍‌ ସପୋର୍ଟ ସିଷ୍ଟମରେ ରଖାଯାଇଥିବା ଏମ୍‌ସ ପକ୍ଷରୁ ଦିନ ୧୧ଟା ୦୨ ମିନିଟରେ ଜାରି ଏକ ତାଜା ହେଲଥ ବୁଲେଟିନରେ କୁହାଯାଇଛ।


କିଡନୀରେ ସଂକ୍ରମଣ, ଛାତି ଯନ୍ତ୍ରଣା, ପରିଶ୍ରାର ପରିମାଣ ମାତ୍ରଧିକ ଭାବରେ କମିଯିବାରୁ ଗତ ଜୁନ୍‌ ୧୧ରେ ବାଜପେୟୀଙ୍କୁ ଦିଲ୍ଲୀ ସ୍ଥିତ ଏମ୍‌ସ ହସ୍ପିଟାଲରେ ଭର୍ତି କରାଯାଇଥିଲା । ତେବେ ଗତକାଲି ତାଙ୍କ ସ୍ୱାସ୍ଥାବସ୍ଥାରେ ଗୁରୁତର ଅବନତି ଦେଖା ଦେଇଥିବାନେଇ ଏମ୍‌ସ ପକ୍ଷରୁ କୁହାଯିବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏମ୍‌ସ ହସ୍ପିଟାଲରେ ପହଞ୍ଚି ପୂର୍ବତନ ପ୍ରଧାନମନ୍ତ୍ରୀ ଶ୍ରୀ ବାଜପେୟୀଙ୍କ ସ୍ୱାସ୍ଥ୍ୟାବସ୍ଥା ନେଇ ଡାକ୍ତରମାନଙ୍କ ସହିତ ଆଲୋଚନା କରିଥିଲେ।

ଆଜି ସକାଳୁ ଏମ୍‌ସ୍‌ ଯାଇ ଅନେକ ନେତା ଓ ମନ୍ତ୍ରୀ ତାଙ୍କର ସ୍ୱାସ୍ଥ୍ୟାବସ୍ଥା ପଚାରି ବୁଝିଥିଲେ। ଉପରାଷ୍ଟପତି ଭେଙ୍କୟା ନାଇଡୁ, ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ଵାଲ୍‌, କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ କୁମାର ଚୌବେ, କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ହର୍ଷବର୍ଦ୍ଧନ, କେନ୍ଦ୍ରମନ୍ତ୍ରୀ ସୁରେଶ ପ୍ରଭୁ।, ଧର୍ମେନ୍ଦ୍ର ପ୍ରଧାନ, ବରିଷ୍ଠ ବିଜପି ନେତା ତଥା ବାଜପେୟୀଙ୍କ ଘନିଷ୍ଠ ସହଯୋଗୀ ଲାଲକୃଷ୍ଣ ଆଡଭାନୀ, ବିଜେପି ଅଧ୍ୟକ୍ଷ ଅମିତ ଶାହ ପ୍ରମୁଖ ଏମ୍ସରେ ପହଞ୍ଚିବା ସହିତ ଏମ୍‌ସରେ ଗତିବିଧି ବଢ଼ିଯାଇଥିଲା। ଆଜି ସକାଳୁ କେନ୍ଦ୍ର କ୍ୟାବିନେଟ୍‌ର ଅଧିକାଂଶ ମନ୍ତ୍ରୀଙ୍କ ସହିତ ବରିଷ୍ଠ ବିଜେପି ନେତାମାନେ ଏମ୍‌ସ ପହଞ୍ଚି ବାଜପେୟୀଙ୍କ ସ୍ୱାସ୍ଥ୍ୟାବସ୍ଥା ସମ୍ପର୍କରେ ଡାକ୍ତରଙ୍କ ସହିତ ଆଲୋଚନା କରିଛନ୍ତି।

ତେବେ ହଠାତ ଦିଲ୍ଲୀର ବାତାବରଣରେ ଏକ ପରିବର୍ତ୍ତନ ଦେଖାଦେଇଛି। ଏମ୍‌ସ୍‌ ପରିସରରୁ ଗଣମାଧ୍ୟମକୁ ଦୂରେଇ ରଖିବା ସହିତ ବରିଷ୍ଠ ପୁଲିସ ଅଧିକାରୀମାନଙ୍କ ଉପସ୍ଥିତିିରେ ବହୁ ସଂଖ୍ୟକ ପୁଲିସ ମୁତୟନ କରାଯାଇଛି। ଏପରିକି ବାଜପେୟୀଙ୍କ ଘରେ ମଧ୍ୟ ପୁଲିସ ପହରାକୁ ବଢ଼ାଇ ଦିଆଯାଇଛି। ବାଜପେୟୀଙ୍କ ବାସଭବନର ସୁରକ୍ଷା ବ୍ୟବସ୍ଥାକୁ ଏସପିଜି ତଦାରଖ କରୁଛି।

ସମ୍ବନ୍ଧିତ ଖବର