ବର୍ଦ୍ଧମାନ: କୁହାଯାଏ ଜେଲ ଯାଉଥିବା ମଣିଷଟିର ସାମାଜିକ ଜୀବନ ସହ ପରିବାର ସମ୍ପର୍କୀୟଙ୍କ ସହ ସମ୍ପର୍କ ଭାଙ୍ଗିଯାଇଥାଏ | କିନ୍ତୁ ଆମେ ଯଦି ଆପଣଙ୍କୁ କହିବୁ ଜେଲରେ ଯୋଡିହୋଇଯାଏ ସାତ ଜନ୍ମର ସମ୍ପର୍କ, ତେବେ ଆପଣ ପଚାରିବେ ଏହା କେମିତି ସମ୍ଭବ | ଆଜି ଆମେ ଆପଣଙ୍କୁ ପଶ୍ଚିମବଙ୍ଗ ବର୍ଦ୍ଧମାନର ଏମିତି ଏକ କାହାଣୀ କହିବୁ ଯେଉଁଠି କାଳ କୋଠରୀ ପାଲଟିଥିଲା ନୂଆ ସମ୍ପର୍କର ସାକ୍ଷୀ | ପଶ୍ଚିମବଙ୍ଗର ପୂର୍ବ ଵର୍ଦ୍ଧମାନ ଜିଲ୍ଲାରେ ଅବଦୁଲ ହାସିମ ନାମକ କଏଦୀ ରହୁଥିବାବେଳେ ଶାହନାରା ଖାତୁନ ନାମକ ଆଉ ଜଣେ କଏଦୀ ରୁହନ୍ତି | ଏବେ ସେମାନଙ୍କ ପ୍ରେମ କାହାଣୀକୁ ନେଇ ଚର୍ଚ୍ଚା ଜୋର ଧରିଛି | ବାସ୍ତବରେ ଦୁହେଁ ଏବେ ବିବାହ କରିବାକୁ ମନସ୍ଥ କରିଥିବାରୁ ସେମାନଙ୍କୁ ୫ ଦିନର ପାରୋଲ ମିଳିଛି | ମିଳିଥିବା ସୂଚନା ମୁତାବକ ଉଭୟ ଅବଦୁଲ ଓ ଶାହନାରା ଦୁଇଟି ଭିନ୍ନ ହତ୍ୟା ମାମଲାରେ ଜେଲରେ ଥିଲେ |

Advertisment

ଏହି ସମୟରେ ଉଭୟଙ୍କ ମଧ୍ୟରେ ବନ୍ଧୁତା ସୃଷ୍ଟି ହୋଇଥିଲା | ବନ୍ଧୁତା କେତେବେଳେ ପ୍ରେମରେ ବଦଳି ଯାଇଥିଲା ଉଭୟ ଜାଣିପାରିନଥିଲେ | ଏହାପରେ ଉଭୟ ବିବାହ କରିବାକୁ ମନସ୍ଥ କରିଥିଲେ | ଏନେଇ ଜେଲ କର୍ତ୍ତୃପକ୍ଷଙ୍କ ସହ ଉଭୟଙ୍କ ପରିବାରକୁ ଅବଦୁଲ ଓ ଶାହନାରା ଜଣାଇଥିଲେ | ଏହାପରେ ସେମାନଙ୍କ ବିବାହ ପାଇଁ ଦିନ ସ୍ଥିର ହୋଇଛି, ଆଉ ଏବେ ସେମାନେ ପାରୋଲରେ ଅଛନ୍ତି | ଅବଦୁଲଙ୍କ ଘର ଆସାମରେ ହୋଇଥିବାବେଳେ ସେ ୮ ବର୍ଷ ହେଲା ଜେଲରେ ଅଛନ୍ତି | ଆଉ ଦୁଇ ବର୍ଷ ତାଙ୍କୁ ସଜ୍ଜା କାଟିବାକୁ ଥିବାବେଳେ ଶାହନାରାଙ୍କୁ ୬ ବର୍ଷର ଜେଲ ଦଣ୍ଡ ହୋଇଥିଲା | ଉଭୟ ପରସ୍ପରକୁ ତିନିବର୍ଷ ତଳେ ଜେଲରେ ଭେଟିଥିବାବେଳେ ଉଭୟଙ୍କ ମଧ୍ୟରେ ବନ୍ଧୁତା ସୃଷ୍ଟି ହୋଇଥିଲା | ଏହାପରେ ଦୁହେଁ ପ୍ରେମରେ ପଡ଼ିଥିଲେ ଓ ପରସ୍ପରର ଜୀବନସାଥୀ ହେବାକୁ ଶପଥ ନେଇଥିଲେ |