ଭାରତ ଓ ଭୁଟାନ ଉପରେ ଚାପ ପକାଇବାକୁ ବି ଚୀନ୍ର ଦୂରଗାମୀ କ୍ଷେପଣାସ୍ତ୍ର ମୁତୟନ
ଟୋକିଓ : ତାଇୱାନ ଓ ଗୁଆମ୍ ଆଡ଼କୁ ଲକ୍ଷ୍ୟ କରି ଚୀନ୍ ୮୨ରୁ ଊର୍ଦ୍ଧ୍ବ ମଧ୍ୟମ ଦୂରଗାମୀ କ୍ଷେପଣାସ୍ତ୍ର ଲଞ୍ଚର ବସାଇଥିବା ବେଳେ ଭାରତ ଓ ଭୁଟାନ ଉପରେ ଚାପ ପକାଇବା ପାଇଁ ତିବ୍ବତରେ ଦୂରଗାମୀ କ୍ଷେପଣାସ୍ତ୍ର ଖଞ୍ଜିଛି। ଏହି ଅବସରରେ ଜାପାନର ପୂର୍ବତନ ପ୍ରଧାନମନ୍ତ୍ରୀ ସିଞ୍ଜୋ ଆବେ ଚୀନ୍କୁ ଚେତାବନୀ ଦେଇ କହିଛନ୍ତି, ଚୀନ୍ ଯଦି ତାଇୱାନ ଉପରେ ଆକ୍ରମଣ କରେ, ତେବେ ଜାପାନ ଓ ଆମେରିକା ଚୁପ୍ ହୋଇ ବସିବେ ନାହିଁ।
ଏକ ତାଇୱାନୀ ଥିଙ୍କ୍ ଟ୍ୟାଙ୍କ୍ ଦ୍ବାରା ଆୟୋଜିତ ଆଭାସୀ କାର୍ଯ୍ୟକ୍ରମରେ ଉଦ୍ବୋଧନ ଦେଇ ଆବେ କହିଥିଲେ, ତାଇୱାନ ଭିତରେ ସଶସ୍ତ୍ର ଅନୁପ୍ରବେଶ ବା ଜବରଦଖଲ ଜାପାନ ପ୍ରତି ମଧ୍ୟ ବିପଦ ସୃଷ୍ଟି କରିବ। ତାଇୱାନର ଜରୁରୀ ପରିସ୍ଥିତି ହେଉଛି ଜାପାନ ପାଇଁ ବି ଜରୁରୀ ପରିସ୍ଥିତି ଏବଂ ଯାହା ଜାପାନ ପାଇଁ ଜରୁରୀ ପରିସ୍ଥିତି ତାହା ଜାପାନ-ଆମେରିକା ମେଣ୍ଟ ପାଇଁ ବି ଜରୁରୀ ପରିସ୍ଥିତି। ବେଜିଂର ଲୋକ, ବିଶେଷତଃ ରାଷ୍ଟ୍ରପତି ସି ଜିନ୍ପିଙ୍ଗ୍ଙ୍କର ଏ ବିଷୟରେ କିଛି ଅବୁଝା ରହିବା ଉଚିତ ନୁହେଁ।
ପୂର୍ବତନ ପ୍ରଧାନମନ୍ତ୍ରୀ ଆବେଙ୍କର ଏହି ବିବୃତି ସେତେବେଳେ ଆସିଛି, ଯେତେବେଳେ ତା’ର ୧୦୦-୨୦୦ କିମି କ୍ଷମତାବିଶିଷ୍ଟ କ୍ଷେପଣାସ୍ତ୍ରଗୁଡ଼ିକୁ ଅପ୍ଗ୍ରେଡ୍ କରି ୧୦୦୦ କିମି ଦୂରଗାମୀ କରିବାକୁ ସରକାର ନିଷ୍ପତ୍ତି ନେଇଛନ୍ତି। ମିସୁବିସି ହେଭି ଇଣ୍ଡଷ୍ଟ୍ରି ଦ୍ବାରା ଚଳିତ ଦଶନ୍ଧିର ଦ୍ବିତୀୟାର୍ଦ୍ଧରେ ଏହି କ୍ଷେପଣାସ୍ତ୍ରଗୁଡ଼ିକ ପ୍ରସ୍ତୁତ ହୋଇଯିବ। ତେବେ ଚୀନ୍ ଏବେ ଆକ୍ରମଣାତ୍ମକ ମୁଡ୍ରେ ଅଛି। ଏହା ଯେଉଁ କ୍ଷେପଣାସ୍ତ୍ର ଖଞ୍ଜିଛି ତାହା ନିମିଷକେ ଗୁଆମ୍ସ୍ଥିତ ଜାପାନ ଓ ଆମେରିକା ଘାଟିକୁ ଧ୍ବଂସ କରିଦେଇପାରିବ। ଅପରପକ୍ଷେ ଆମେରିକା ବି ଚେତାବନୀ ଦେଇଛି ଯେ ଯଦି ଚୀନ୍ ତାଇୱାନର ସ୍ଥିତାବସ୍ଥାକୁ ବଳପୂର୍ବକ ବଦଳାଇବାକୁ ଚେଷ୍ଟା କରେ ତେବେ ସେ କାର୍ଯାନୁଷ୍ଠାନ ଗ୍ରହଣ କରିବ। କିନ୍ତୁ କି ପ୍ରକାର କାର୍ଯ୍ୟାନୁଷ୍ଠାନ ତାହା ଆମେରିକା ସ୍ପଷ୍ଟ କରିନାହିଁ। ତେବେ ଓକିନାୱା (ଯେଉଁଠି ଆମେରିକାର ଏକ ଘାଟି ଅଛି)ରୁ ତାଇୱାନ ଓ ଫିଲିପାଇନ୍ସକୁ ସଂଯୋଗ କରୁଥିବା ଦ୍ବୀପପୁଞ୍ଜରେ ମଧ୍ୟମ ଦୂରଗାମୀ କ୍ଷେପଣାସ୍ତ୍ର ଖଞ୍ଜିବାକୁ ଆମେରିକା ଚିନ୍ତା କରୁଥିବା ଜଣାପଡ଼ିଛି। ଏ ପରିସ୍ଥିତିରେ ସିଞ୍ଜୋ ଆବେଙ୍କ ବିବୃତିକୁ ହାଲୁକା ଭାବେ ନିଆଯାଇ ନ ପାରେ।
ତେବେ ଚୀନ୍ ଏସବୁ ଧମକକୁ ଖାତିର କରୁ ନ ଥିବା ପରି ଜଣାପଡ଼ୁଛି। ସେ ବିଭିନ୍ନ ଅଞ୍ଚଳରେ ତା’ର ସାମରିକ କାର୍ଯ୍ୟକଳାପ ବୃଦ୍ଧି କରିବାରେ ଲାଗିଛି। ଭାରତ ସୀମାନ୍ତରେ ଭିତ୍ତିଭୂମି ନିର୍ମାଣ ସହ ସୈନ୍ୟସଂଖ୍ୟା ବୃଦ୍ଧି କରିଛି। ତେଣେ ତାଇୱାନ ଓ ଗୁଆମ୍ ଆଡ଼କୁ ଲକ୍ଷ୍ୟ କରି କ୍ଷେପଣାସ୍ତ୍ର ମୁତୟନ କରିଛି। ଲିପୁ-ଲେଖ ପାସ୍ର ଠିକ୍ ଉତ୍ତରକୁ ବୁରାଙ୍ଗ କାଉଣ୍ଟିଠାରେ ଏହା ଏକ ବିମାନଘାଟି ନିର୍ମାଣ ଆରମ୍ଭ କରିଛି। ଚୀନ ସେନା ଭାରତ ବିରୋଧରେ ତିବ୍ବତରେ ଦୁଇଟି ଏସ୍-୪୦୦ ଡିଫେନ୍ସ ସିଷ୍ଟମ୍ ସ୍ଥାପନ କରିସାରିଛି। ତା’ଛଡ଼ା ପୂର୍ବାଞ୍ଚଳରେ ଆମେରିକା ଓ ଜାପାନ ଆଡ଼ୁ ସମ୍ଭାବ୍ୟ ବିପଦର ମୁକାବିଲା କରିବା ପାଇଁ ଏହା ତିନୋଟି ଏସ୍-୪୦୦ ସ୍ଥାପନ କରିଛି। ଚୀନ୍ ଉପରେ ନଜର ରଖୁଥିବା ଅନେକ ବିଶେଷଜ୍ଞଙ୍କ କହିବା ଅନୁସାରେ ବେଜିଂଠାରେ ଅନୁଷ୍ଠିତ ହେବାକୁ ଥିବା ଫେବ୍ରୁଆରି ୨୦୨୨ ୱିଣ୍ଟର ଅଲିମ୍ପିକ୍ସ ପରେ ଏହା ତାଇୱାନ ପ୍ରତି ଅଧିକ ଆକ୍ରମଣାତ୍ମକ ହୋଇପାରେ।