ନୂଆଦିଲ୍ଲୀ : ଜାପାନର ପୂର୍ବ ପ୍ରଧାନମନ୍ତ୍ରୀ ସିଂଜୋ ଆବେଙ୍କର ଭାରତ ସହ ଅତି ଘନିଷ୍ଠ ସମ୍ପର୍କ ଥିଲା। ପ୍ରଧାନମନ୍ତ୍ରୀ ମୋଦୀ ସିଂଜୋ ଆବେଙ୍କ ମୃତ୍ୟୁ ଘଟଣାରେ ଶୋକ ପ୍ରକାଶ କଲାବେଳେ ତାଙ୍କୁ ପ୍ରିୟ ବନ୍ଧୁ ବୋଲି ସମ୍ବୋଧନ କରିଛନ୍ତି । ଆବେ ମଧ୍ୟ ପୂର୍ବରୁ ଅନେକ ଥର ମୋଦୀଙ୍କୁ ତାଙ୍କର ସବୁଠୁ ନିର୍ଭରଯୋଗ୍ୟ ବନ୍ଧୁ ବୋଲି କହିଥିଲେ। ମୋଦୀ-ଆବେଙ୍କ ମଧ୍ୟରେ ଘନିଷ୍ଠ ସମ୍ପର୍କ ଦ୍ବାରା ଭାରତ-ଜାପାନ ସମ୍ପର୍କ ମଧ୍ୟ ବେଶ୍ ସୁଦୃଢ଼ ହୋଇପାରିଛି। ୨୦୧୫ରେ ସିଂଜୋ ଆବେ ଭାରତ ଗସ୍ତରେ ଆସିଥିଲେ। ଏହି ସମୟରେ ଆବେଙ୍କୁ ମୋଦୀ ତାଙ୍କ ଲୋକସଭା ନିର୍ବାଚନମଣ୍ଡଳୀ ବାରଣାସୀ ନେଇଥିଲେ। ବାରଣାସୀରେ ଆବେ ଗଙ୍ଗା ଆରତୀରେ ସାମିଲ ହୋଇଥିଲେ। ଏହାର ୨ ବର୍ଷ ପରେ ଆବେ ପୁଣିଥରେ ଭାରତ ଗସ୍ତରେ ଆସିଥିଲେ। ଆବେ ଅହମଦାବାଦ ଗସ୍ତ କରି ମୋଦୀଙ୍କ ସହ ଭାରତର ପ୍ରଥମ ବୁଲେଟ୍ ଟ୍ରେନ୍ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ।
ଏହାର ଠିକ୍ ବର୍ଷକ ପରେ ପ୍ରଧାନମନ୍ତ୍ରୀ ମୋଦୀ ଜାପାନ ଗସ୍ତରେ ଯାଇଥିଲେ। ବାର୍ଷିକ ଭାରତ-ଜାପାନ ସମ୍ମିଳନୀ ପାଇଁ ମୋଦୀ ଜାପାନ ଗସ୍ତରେ ଯାଇଥିବା ବେଳେ ତାଙ୍କୁ ଭବ୍ୟ ସ୍ବାଗତ କରାଯାଇଥିଲା। ୨୦୨୧ରେ ସିଂଜୋଙ୍କୁ ଭାରତର ଦ୍ବିତୀୟ ସର୍ବୋଚ୍ଚ ନାଗରିକ ସମ୍ମାନ ପଦ୍ମ ବିଭୂଷଣ ଦିଆଯାଇଥିଲା। ଉପା ସରକାର ସମୟରେ ସେ ମଧ୍ୟ ସାଧାରଣତନ୍ତ୍ର ଦିବସ ପରେଡ୍ରେ ଭାରତର ମୁଖ୍ୟ ଅତିଥି ଥିଲେ। ସିଂଜୋ ଆବେଙ୍କ ଅଜାଙ୍କର ଭାରତ ସହ ଘନିଷ୍ଠ ସମ୍ପର୍କ ରହିଥିଲା। ୨୦୦୭ରେ ଭାରତୀୟ ସଂସଦର ମିଳିତ ଅଧିବେଶନରେ ଉଦ୍ବୋଧନ ଦେବା ସମୟରେ ଆବେ କହିଥିଲେ, ନେହରୁ ପ୍ରଧାନମନ୍ତ୍ରୀ ଥିବା ସମୟରେ ୧୯୫୭ରେ ତାଙ୍କ ଅଜା ନୋବୁସୁକେ କିଶି ଭାରତ ଗସ୍ତରେ ଆସିଥିଲେ ଏବଂ ଭାରତକୁ ସେ ବହୁତ ଭଲ ପାଉଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/07/pm.jpg)