୨୨,୮୪୨ କୋଟିର ବ୍ୟାଙ୍କ ଋଣ ଠକେଇ : ଏବିଜି ସିପୟାର୍ଡର ୨୭୪୭ କୋଟିର ସଂପତ୍ତି ଜବତ କଲା ଇଡି

ନୂଆଦିଲ୍ଲୀ : ଏବିଜି ସିପୟାର୍ଡ କମ୍ପାନିର ଅଧ୍ୟକ୍ଷ ଋଷି ଅଗ୍ରଓ୍ବାଲଙ୍କୁ ସିବିଆଇ ଗିରଫ କରିବାର ଦିନକ ପରେ ଇଡି ଏହି କମ୍ପାନିର ପ୍ରାୟ ୨୭୪୭ କୋଟି ଟଙ୍କାର ସଂପତ୍ତି ଜବତ କରିଛି । ଏସବୁ ସଂପତ୍ତି ମଧ୍ୟରେ ରହିଛି ସୁରତ ଓ ଦହେଜଠାରେ ଥିବା କମ୍ପାନିର ସିପୟାର୍ଡ ( ଜାହାଜ ତିଆରି ଓ ମରାମତି କେନ୍ଦ୍ର), ଏହି କମ୍ପାନିର କେତେକ ଶାଖା କମ୍ପାନିର ସଂପତ୍ତି, କୃଷି ଜମି ଓ ବ୍ୟବସାୟିକ ପ୍ଲଟ୍, ଗୁଜୁରାଟ ଓ ମହାରାଷ୍ଟ୍ରରେ ଥିବା କମ୍ପାନିର ବ୍ୟବସାୟିକ ଓ ଆବାସିକ କୋଠା, ବ୍ୟାଙ୍କ ଖାତା ଇତ୍ୟାଦି । ବେଆଇନ ଅର୍ଥ କାରବାର ନିରୋଧ ଆଇନ ୨୦୦୨ ଅନୁସାରେ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି ।

ଏହି କମ୍ପାନି ବିଭିନ୍ନ  ଜାଲ କାରବାର ମାଧ୍ୟମରେ ୨୦୧୨  ରୁ ୨୦୧୭ ମଧ୍ୟରେ ଷ୍ଟେଟବ୍ୟାଙ୍କ ନେତୃତ୍ବରେ ଥିବା ଏକ ବ୍ୟାଙ୍କ କନସୋର୍ଟିଅମକୁ ୨୨,୮୪୨ କୋଟି ଟଙ୍କା ଠକିଥିଲା । ମାତ୍ର ଯେଉଁ ଉଦ୍ଦେଶ୍ୟରେ ଏହି ଋଣ ଅଣାଯାଇଥିଲା, ସେହି କାମରେ ଏହି ଅର୍ଥକୁ ବିନିଯୋଗ ନକରି ଅନ୍ୟ କାମରେ ବିନିଯୋଗ କରାଯାଇଥିଲା । ୨୦୧୬ରେ ଏହି ଋଣକୁ ଅନାଦେୟ ଋଣ ଘୋଷଣା କରାଯାଇଥିଲା ଓ ୨୦୧୯ରେ ଏହା ଏକ ବଡ଼ ଠକେଇ ବୋଲି ଜଣାପଡ଼ିଥିଲା ।

ଏହି ମାମଲାରେ ସିବିଆଇ ଚଳିତ ବର୍ଷ ଫେବ୍ରୁଆରି ମାସରେ  ଏବିଜି କମ୍ପାନି ଓ ସିଏମଡି ଋଷି ଅଗ୍ରଓ୍ବାଲଙ୍କ ନାଁରେ ଏକ ମାମଲା ରୁଜ୍ଜୁ କରି ତଦନ୍ତ ଆରମ୍ଭ କରିଥିଲା । ସେହି ମାସରେ ମଧ୍ୟ ଇଡି କମ୍ପାନି ବିରୋଧରେ ଏକ ମାମଲା ରୁ୍ଜ୍ଜୁ କରି ତଦନ୍ତ ଆରମ୍ଭ କରିଥିଲା ।

ସମ୍ବନ୍ଧିତ ଖବର