ଅଭିଜିତ୍‌ଙ୍କ ନୋବେଲ୍‌ ବିଜୟ : ୨୦୧୯ ପାଇଁ ଅର୍ଥନୀତିରେ ମିଳିବ ନୋବେଲ ପୁରସ୍କାର

ଡୁଫ୍‌ଲୋ ଓ କ୍ରେମରଙ୍କ ସହ ଅର୍ଥନୀତିରେ ନୋବେଲ୍‌, ଭାରତରେ ଜନ୍ମିତ ଅଭିଜିତ୍‌ ଆମେରିକାର ନାଗରିକ

ଷ୍ଟକ୍‌ହୋମ୍‌ : ଭାରତୀୟ-ଆମେରିକୀୟ ଅଭିଜିତ୍‌ ବାନାର୍ଜୀଙ୍କୁ ୨୦୧୯ ପାଇଁ ଅର୍ଥନୀତିର ନୋବେଲ ପୁରସ୍କାର ମିଳିବ।

ରୟାଲ ସ୍ବିଡିସ୍‌ ଏକାଡେମି ପକ୍ଷରୁ ଆଜି ଏହି ଘୋଷଣା କରାଯାଇଛି। ବାନାର୍ଜୀଙ୍କ ସହିତ ତାଙ୍କ ପତ୍ନୀ ଇସ୍ତର ଡୁଫ୍‌ଲୋ ଏବଂ ମାଇକେଲ୍‌ କ୍ରେମରଙ୍କୁ ମଧ୍ୟ ଅର୍ଥନୀତିରେ ନୋବେଲ୍‌ ପୁରସ୍କାର ଦିଆଯିବ। ବିଶ୍ବରେ ଦାରିଦ୍ର୍ୟ ଦୂରୀକରଣ ପାଇଁ ଏମାନଙ୍କର ଉଲ୍ଲେଖନୀୟ ଗବେଷଣା କାର୍ଯ୍ୟକୁ ବିଚାରକୁ ନିଆଯାଇ ଏହି ୩ ଜଣଙ୍କ ନାମ ନୋବେଲ୍‌ ପୁରସ୍କାର ନିମନ୍ତେ ମନୋନୀତ କରାଯାଇଛି ବୋଲି ନୋବେଲ୍‌ କମିଟି ସୂଚନା ଦେଇଛି। ୫୮ ବର୍ଷୀୟ ଅଭିଜିତ୍‌ ବାନାର୍ଜୀ ୧୯୬୧ରେ ମୁମ୍ବାଇରେ ଜନ୍ମଗ୍ରହଣ କରିଥିବା ବେଳେ କୋଲକାତା ବିଶ୍ବବିଦ୍ୟ‌ାଳୟ ଓ ଜବାହରଲାଲ୍‌ ନେହରୁ ବିଶ୍ବବିଦ୍ୟାଳୟରୁ ଉଚ୍ଚ ଶିକ୍ଷାଲାଭ କରିଥିଲେ। ସେ ହାଭାର୍ଡ ବିଶ୍ବବିଦ୍ୟାଳୟରୁ ୧୯୮୮ ମସିହାରେ ପିଏଚ୍‌ଡି ପାଇଥିଲେ।

MSN.com

ପ୍ରଫେସର ବାନାର୍ଜୀ ବର୍ତ୍ତମାନ ମାସାଚୁସେଟ୍‌ସ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ଟେକ୍ନୋଲୋଜିରେ ଫୋର୍ଡ ଫାଉଣ୍ଡେସନ ପ୍ରଫେସର ଭାବେ କାର୍ଯ୍ୟ କରୁଛନ୍ତି। ୨୦୦୩ରେ ପ୍ରଫେସର ବାନାର୍ଜୀ ପ୍ରଫେସର ଡୁଫ୍‌ଲୋ ଏବଂ ସେନ୍ଧିଲ ମୁଲାଏନ୍ଥାନ୍‌ଙ୍କ ସହ ‘ଅବ୍‌ଦୁଲ ଲତିଫ୍‌ ଜାମିଲ୍‌ ପର୍ଭଟି ଆକ୍ସନ୍‌ ଲ୍ୟାବ୍‌’ ଗଠନ କରି ଦାରିଦ୍ର୍ୟ ଦୂରୀକରଣ ଦିଗରେ କାର୍ଯ୍ୟ କରିଛନ୍ତି। ସେ ମଧ୍ୟ ଜାତିସଂଘ ମହାସଚିବଙ୍କ ଉଚ୍ଚସ୍ତରୀୟ ପ୍ୟାନେଲ୍‌ରେ ‘ପୋଷ୍ଟ-୨୦୧୫ ଡେଭ୍‌ଲପମେଣ୍ଟ ଏଜେଣ୍ଡା’ରେ କାର୍ଯ୍ୟ କରିଛନ୍ତି। ଅଭିଜତ୍‌ ଆମେରିକା ଏକାଡେମି ଅଫ୍‌ ଆର୍ଟ‌୍ସ ଆଣ୍ଡ ସାଇନ୍‌ସର ଫେଲୋ ମନୋନୀତ ହୋଇଛନ୍ତି। ସେ ଅର୍ଥନୀତିରେ ଅନେକ ପୁସ୍ତକ ରଚନା କରିଛନ୍ତି। ୨୦୧୯ରେ ତାଙ୍କ ରଚିତ ପୁସ୍ତକ ‘ହ୍ବାଟ୍‌ ଦି ଇକନମି ନିଡ୍‌ସ ନାଓ’ ବେଶ୍‌ ଚର୍ଚ୍ଚିତ ହୋଇଛି। ଏହା ପୂର୍ବରୁ ୨୦୧୧ରେ ‘ପୁଅର୍‌ ଇକନମି’, ୨୦୦୭ରେ ‘ଏଡ୍‌ ୱାର୍କ’ ଭଳି ପୁସ୍ତକ ରଚନା କରି ଚର୍ଚ୍ଚିତ ହୋଇଥିଲେ। ଅନ୍ୟତମ ବିଜେତା ଇସ୍ତର ଡ୍ୟୁଫ୍ଲୋ ହେଉଛନ୍ତି ଅଭିଜିତ୍‌ ବାନାର୍ଜୀଙ୍କ ପତ୍ନୀ। ସେ ପ୍ୟାରିସ୍‌ରେ ୧୯୭୨ରେ ଜନ୍ମଗ୍ରହଣ କରିଥିଲେ। ‌ଡୁଫ୍‌ଲୋ ହେଉଛନ୍ତି ଅର୍ଥନୀତିରେ ନୋବେଲ୍‌ ପୁରସ୍କାର ପାଇଥିବା ଦ୍ବିତୀୟ ଓ ସର୍ବକନିଷ୍ଠ ମହିଳା। ସେହିଭଳି ୧୯୬୪ରେ ଜନ୍ମିତ ଆମେରିକୀୟ ପ୍ରଫେସର ମାଇକେଲ୍‌ କ୍ରେମର ୧୯୯୨ରେ ହାଭାର୍ଡ ବିଶ୍ବବିଦ୍ୟାଳୟରୁ ପିଏଚ୍‌ଡି ଡିଗ୍ରି ପାଇଥିବାବେଳେ ସେହି ବିଶ୍ବବିଦ୍ୟାଳୟରେ ପ୍ରଫେସର ଭାବେ କାର୍ଯ୍ୟ କରୁଛନ୍ତି। ସୂଚନାଯୋଗ୍ୟ, ଆଜି ପର୍ଯ୍ୟନ୍ତ ୮୧ ଜଣଙ୍କୁ ଅର୍ଥନୀତି‌ରେ ନୋବେଲ୍‌ ପୁରସ୍କାର ପ୍ରଦାନ କରାଯାଇଛି।

ସମ୍ବନ୍ଧିତ ଖବର