ନୂଆଦିଲ୍ଲୀ: ପାକିସ୍ତାନ କବ୍‌ଜାରେ ୬୦ ଘଣ୍ଟା କଟାଇବା ପରେ ଭାରତ ଫେରିଥିବା ୱିଙ୍ଗ୍‌ କମାଣ୍ଡର ଅଭିନନ୍ଦନଙ୍କ ପଂଜରା ହାଡ଼ ଏବଂ ମେରୁଦଣ୍ଡରେ ଆଘାତ ଦେଖିବାକୁ ମିଳିଛି। ସେନାର ରିସର୍ଚ୍ଚ ଆଣ୍ଡ ରେଫରାଲ ହସ୍ପିଟାଲରେ ହୋଇଥିବା ମେଡିକାଲ ଯାଞ୍ଚରୁ ଏହି ତଥ୍ୟ ସାମ୍ନାକୁ ଆସିଛି। ତେବେ ଏମ୍‌ଆର୍‌ଆଇ ସ୍କାନ୍‌ରେ ଅଭିନନ୍ଦନଙ୍କ ଶରୀରରୁ କୌଣସି ଚିପ୍‌ ମିଳିନାହିଁ। ତଳ ପଂଜରାରେ ଶକ୍ତ ଆଘାତ ଲାଗିଥିବା ବେଳେ ମେରୁଦଣ୍ଡରେ ମଧ୍ୟ ଆଘାତ ଲାଗିଥିବା ସ୍ପଷ୍ଟ ହୋଇଛି । ପାରାଚ୍ୟୁଟ୍‌ ସହାୟତାରେ ପାକ୍‌ ଅଧିକୃତ କଶ୍ମୀରରେ ଓହ୍ଲାଇବା ପରେ ପାକିସ୍ତାନୀ ନାଗରିକଙ୍କ ଆକ୍ରମଣରେ ତାଙ୍କୁ ଏହି ଆଘାତ ଲାଗିଥିବା ଜଣାପଡ଼ିଛି। ଗତକାଲିଠାରୁ ଚାଲିଥିବା ‘କୁଲିଂ ଡାଉନ୍‌’ ପ୍ରୋସେସ୍‌ ସଂପୂର୍ଣ୍ଣ ହୋଇଥିଲେ ମଧ୍ୟ ଅଭିନନ୍ଦନଙ୍କ ଆଉ କେତେକ ଚିକିତ୍ସା ଜାରି ରହିବ ବୋଲି ଜଣାପଡ଼ିଛି।

Advertisment

ଅଭିନନ୍ଦନ ଏକ ମିଗ୍‌ ୨୧ ବିମାନ ମାଧ୍ୟମରେ ପାକିସ୍ତାନର ଅତ୍ୟାଧୁନିକ ଯୁଦ୍ଧ ବିମାନ ଏଫ୍‌-୧୬କୁ ଖସାଇ ଦେଇଥିଲେ। ଅଭିନନ୍ଦନଙ୍କ ରଣକୌଶଳ ଏବଂ ଅସୀମ ସାହସ ଏବେ ବିଶ୍ବବ୍ୟାପୀ ଚର୍ଚ୍ଚାର ପ୍ରସଙ୍ଗ ପାଲଟିଛି। ଆମେରିକାଠାରୁ ଏଫ୍‌-୧୬ ଯୁଦ୍ଧ ବିମାନ ଆତଙ୍କବାଦୀ ଦମନ ଲକ୍ଷ୍ୟରେ ହାସଲ କରିଥିବା ପାକିସ୍ତାନ ଏହାକୁ ଭାରତ ବିରୋଧରେ ବ୍ୟବହାର କରିଥିବାରୁ ଆମେରିକା କ୍ଷୁବ୍ଧ ହୋଇଛି ଏବଂ ପାକିସ୍ତାନଠାରୁ ଜବାବ ମାଗିଛି। ଆଜି ଅଭିନନ୍ଦନ କହିଛନ୍ତି ଯେ ସେ ସଂପୂର୍ଣ୍ଣ ସୁସ୍ଥ ହେବାପରେ ପୁଣି ଥରେ ଯୁଦ୍ଧ ବିମାନ ଉଡ଼ାଇବାକୁ ଚାହିବେ।