ପଂଜାବ : ୱିଙ୍ଗ୍ କମାଣ୍ଡର ଅଭିନନ୍ଦନ ବର୍ତ୍ତମାନ ଆଜି ପୁଣିଥରେ ଆକାଶକୁ ଫେରିଛନ୍ତି ଏବଂ ମିଗ୍-୨୧ ଯୁଦ୍ଧ ବିମାନ ଉଡ଼ାଇଛନ୍ତି। ବାୟୁସେନା ମୁଖ୍ୟ ବିଏସ୍ ଧନୋଆଙ୍କ ସହ ଅଭିନନ୍ଦନ ଯୁଦ୍ଧ ବିମାନ ଉଡ଼ାଣ କରିଛନ୍ତି। ଅବସର ନେବାର ଦିନକ ପୂର୍ବରୁ ବାୟୁସେନା ମୁଖ୍ୟ ଧନୋଆଙ୍କର ଆଜି ଶେଷ ଯୁଦ୍ଧ ବିମାନ ଉଡ଼ାଣ ଥିଲା। ଧନୋଆ ତାଙ୍କର ଶେଷ ବିମାନ ଉଡ଼ାଣ ପରେ କହିଛନ୍ତି, ଆମେ ଉଭୟ ପାକିସ୍ତାନ ବିରୋଧରେ ଲଢ଼ିଥିଲୁ ଏବଂ ଉଭୟ କିଛି ମାସ ପାଇଁ କାର୍ଯ୍ୟରୁ ବିରତ ହୋଇଥିଲୁ। ଅଭିନନ୍ଦନଙ୍କ ବାପାଙ୍କ ସହ ଧନୋଆ ବିମାନ ଉଡ଼ାଣ କରିଥିଲେ ଏବଂ ଆଜି ଅଭିନନ୍ଦନଙ୍କ ସହ ଶେଷ ଥର ପାଇଁ ଯୁଦ୍ଧ ବିମାନ ଉଡ଼ାଇଥିବାରୁ ଖୁବ୍ ଖୁସିବ୍ୟକ୍ତ କରିଛନ୍ତି। ଅଭିନନ୍ଦନଙ୍କ ସହ ଶେଷ ଉଡ଼ାଣ ଏକ ଗର୍ବର ବିଷୟ ବୋଲି ଧନୋଆ କହିଛନ୍ତି। ୧୯୯୮ରେ ଧନୋଆ ବିମାନ ଉଡ଼ାଣରୁ ବିରତ ହୋଇଥିଲେ କିନ୍ତୁ ଏହାର ଠିକ୍ ୯ ମାସ ପରେ ସେ ପୁଣିଥରେ ତାଙ୍କ ପୂର୍ବ ପଦବିକୁ ଫେରି ଆସିଥିଲେ। କିନ୍ତୁ ଅଭିନନ୍ଦନ ମାତ୍ର ୬ ମାସରେ ତାଙ୍କ ପୂର୍ବ ପଦବିକୁ ଫେରି ଆସିଛନ୍ତି। ଅଭିନନ୍ଦନ ଏବେ ଜଣେ ଟ୍ରେନର କ୍ୟାପଟେନ୍ ଅଛନ୍ତି ଏବଂ ସେ ତାଙ୍କର ପୂର୍ବ ସ୍ଥିତି ଫେରି ପାଇଥିବା ଧନୋଆ କହିଛନ୍ତି। ବୀର ଚକ୍ରରେ ସମ୍ମାନିତ ଅଭିନନ୍ଦନ ବାଲାକୋଟ୍ ବିମାନ ଆକ୍ରମଣ ପରେ ପାକିସ୍ତାନର ଏଫ୍-୧୬ ଯୁଦ୍ଧ ବିମାନ ଖସାଇ ଦେଇଥିଲେ। ପାକିସ୍ତାନ ହାତରେ ଧରା ପଡ଼ିଥିବା ଅଭିନନ୍ଦନଙ୍କୁ ପୁଣିଥରେ ସସମ୍ମାନେ ଭାରତ ଫେରାଇ ଆଣିବାକୁ ଭାରତର କୂଟନୀତି ସଫଳ ହୋଇଥିଲା। ଅଭିନନ୍ଦନଙ୍କୁ ଗତ ୨୩ ତାରିଖରେ ମେଡିକାଲ କ୍ଲିଅରାନ୍ସ ମିଳିବା ପରେ ସେ ପୁଣିଥରେ ବିମାନ ଉଡ଼ାଣ ଆରମ୍ଭ କରିଛନ୍ତି।
Advertisment
Sambad is now on WhatsApp
Join and get latest news updates delivered to you via WhatsApp