ନୂଆଦିଲ୍ଲୀ : ଭାରତୀୟ ବାୟୁସେନାର ୱିଙ୍ଗ୍ କମାଣ୍ଡର ଅଭିନନ୍ଦନ ବର୍ତ୍ତମାନଙ୍କ ମୁକ୍ତି ପ୍ରସଙ୍ଗରେ ପାକିସ୍ତାନର ମୁଖା ଖୋଲି ଦେଇଥିବା ପାକ୍ ସାଂସଦ ଅୟାଜ ସାଦିକ୍ ତାଙ୍କ ବୟାନରେ କାଏମ ରହିଛନ୍ତି ଏବଂ ଏହି ପ୍ରସଙ୍ଗରେ ସେ ଆହୁରି ଅନେକ ରହସ୍ୟ ଜାଣିଛନ୍ତି ବୋଲି କହିଛନ୍ତି। ପିଏମ୍ଏଲ୍-ଏନ୍ ନେତା ତଥା ପାକିସ୍ତାନ ସଂସଦର ପୂର୍ବତନ ବାଚସ୍ପତି ସାଦିକ୍ ଆଜି ଗଣମାଧ୍ୟମକୁ କହିଛନ୍ତି ଯେ ଅଭିନନ୍ଦନଙ୍କୁ ପାକିସ୍ତାନ ସେନା ଗିରଫ କରିବା ପରେ ବହୁତ କିଛି ଘଟିଛି ଏବଂ ସେ ଅନେକ ରହସ୍ୟ ଜାଣିଛନ୍ତି। ସାଦିକ୍ଙ୍କ ଏହି ବୟାନ ପାକିସ୍ତାନ ସରକାର ଏବଂ ସେନା ପାଇଁ ବଡ଼ ସମସ୍ୟା ସୃଷ୍ଟି କରିବ ବୋଲି କୁହାଯାଉଛି।
ପୁଲୱାମା ଆକ୍ରମଣର ଜବାବରେ ଭାରତ ଗତବର୍ଷ ଫେବ୍ରୁଆରି ୨୬ ତାରିଖରେ ବାଲାକୋଟରେ ବିମାନ ଆକ୍ରମଣ କରି ଜୈସ୍ ଏ ମହମ୍ମଦର ଆତଙ୍କବାଦୀ ଶିବିରକୁ ଧ୍ବସ୍ତ କରିଥିଲା। ଏହାର ପରଦିନ ଫେବ୍ରୁଆରି ୨୭ରେ ୱିଙ୍ଗ୍ କମାଣ୍ଡର ଅଭିନନ୍ଦନ ବିଚକ୍ଷଣ ସାହସ ପ୍ରଦର୍ଶନ କରି ପାକିସ୍ତାନର ଏକ ଏଫ୍-୧୬ ଯୁଦ୍ଧ ବିମାନକୁ ଖସାଇ ଦେଇଥିଲେ। ତେବେ ତାଙ୍କ ବିମାନ ମଧ୍ୟ କ୍ଷତିଗ୍ରସ୍ତ ହୋଇ ଖସିପଡ଼ିବାରୁ ସେ ପାକିସ୍ତାନୀ ସେନା ଦ୍ବାରା ଗିରଫ ହୋଇଥିଲେ। ଏହାପରେ ଅଭିନନ୍ଦନଙ୍କ ମୁକ୍ତିକୁ ନେଇ ଭାରତ ଅତି କଠୋର ଆଭିମୁଖ୍ୟ ଗ୍ରହଣ କରିଥିଲା ଏବଂ ଭାରତ ବଡ଼ ଆକ୍ରମଣ କରିପାରେ ବୋଲି ଶୁଣିବା ମାତ୍ରେ ପାକ୍ ସେନାମୁଖ୍ୟ କମର ଜାଭେଦ ବାଜୱା ଭୟରେ ଥରୁଥିଲେ ଏବଂ ସରକାର ଅତିମାତ୍ରାରେ ବିଚଳିତ ହୋଇ ପଡ଼ିଥିଲେ ବୋଲି ସାଦିକ୍ ତଥ୍ୟ ପ୍ରଘଟ କରି ହଇଚଇ ସୃଷ୍ଟି କରିଥିଲେ। ସାଦିକ୍ଙ୍କ ବୟାନକୁ ନେଇ ପାକିସ୍ତାନରେ ରାଜନୈତିକ ଝଡ଼ ସୃଷ୍ଟି ହୋଇଛି ଏବଂ ସେ ଅଧିକ ରହସ୍ୟ ଉନ୍ମୋଚନ କରିବେ ବୋଲି ସଙ୍କେତ ଦେଇଥିବାରୁ ଆଗକୁ ଇମ୍ରାନ ଖାନ୍ ସରକାରର ସଙ୍କଟ ବଢ଼ିବ ବୋଲି ଚର୍ଚ୍ଚା ହେଉଛି।
OpIndiaସାଦିକ୍ ସଂସଦରେ କହିଥିଲେ ଯେ ବିଦେଶ ମନ୍ତ୍ରୀ ଶାହ ମହମ୍ମଦ କୁରେସି ଅଭିନନ୍ଦନଙ୍କୁ ଛାଡ଼ିବା ପ୍ରସଙ୍ଗରେ ପିପିପି, ପିଏମ୍ଏଲ୍-ଏନ୍, ସଂସଦୀୟ ଦଳ ନେତା ଏବଂ ସେନାମୁଖ୍ୟ ବାଜୱାଙ୍କ ସହିତ ଏକ ବୈଠକ କରିଥିଲେ। ଯଦି ଅଭିନନ୍ଦନଙ୍କୁ ଛାଡ଼ିବାରେ ସାମାନ୍ୟ ବିଳମ୍ବ ହେବ ତା’ହେଲେ ଭାରତ ଆକ୍ରମଣ କରିବ ବୋଲି ସେ ବୈଠକରେ କହିବା ପରେ ବାଜୱାଙ୍କ ହାତଗୋଡ଼ ଥରିବା ଆରମ୍ଭ କରିଥିଲା ଏବଂ ଦେହରୁ ଝାଳ ବୋହି ଯାଇଥିଲା। ପାକିସ୍ତାନ ସହିତ ସେତେବେଳେ ସରକାର ନ୍ୟାୟ କରି ନ ଥିଲେ ଏବଂ ମୁଁ ଏ ବାବଦରେ ଅଧିକ ରହସ୍ୟ ଜାଣିଥିବାରୁ ଭବିଷ୍ୟତରେ ଆପଣମାନେ ଏ ସଂପର୍କରେ ଅବଗତ ହେବେ ବୋଲି ସାଦିକ୍ କହିଛନ୍ତି।
ଅନ୍ୟପକ୍ଷରେ ସାଦିକ୍ଙ୍କ ବୟାନକୁ ପାକିସ୍ତାନ ସେନା ଓ ସରକାର ଖଣ୍ଡନ କରିଥିବାବେଳେ ସାଦିକ୍ଙ୍କ ବୟାନକୁ ଭାରତୀୟ ଗଣମାଧ୍ୟମ ବିକୃତକରି ପରିବେଷଣ କରିଛି ବୋଲି ପାକିସ୍ତାନର ପ୍ରମୁଖ ଖବରକାଗଜ ‘ଡନ୍’ ପ୍ରକାଶ କରିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2019/04/iaf-pilot-abhinandan-varthaman-arrives-in-india_d68dccec-62cb-11e9-bb04-32a78a0b0bbe.jpg)