ୱିଙ୍ଗ୍‌ କମାଣ୍ଡର ଅଭିନନ୍ଦନଙ୍କ ୫୧ ସ୍କ୍ବାଡ୍ରନ୍‌ ସମ୍ମାନିତ ହେବ

ନୂଆଦିଲ୍ଲୀ : ବାଲାକୋଟ୍‌ ଏୟାର୍‌ ଷ୍ଟ୍ରାଇକ୍‌ ପରେ ପାକିସ୍ତାନ ପକ୍ଷରୁ ହୋଇଥିବା ଆକ୍ରମଣକୁ ପଣ୍ଡ କରିଥିବା ଭାରତୀୟ ବାୟୁସେନାର ୱିଙ୍ଗ୍‌ କମାଣ୍ଡର୍‌ ଅଭିନନ୍ଦନ ବର୍ତମାନଙ୍କ ୫୧ ସ୍କ୍ବାଡ୍ରନକୁ ବାୟୁସେନା ଦିବସ ଅବସରରେ ସମ୍ମାନିତ କରାଯିବ। ଏୟାର୍‌ ଚିଫ୍‌ ମାର୍ସଲ ଆର୍‌କେଏସ୍‌ ଭାଦୋରିଆ ବାୟୁସେନାର ୮୭ତମ ଜୟନ୍ତୀ ପାଳନ ଅବସରେ ଏହି ସମ୍ମାନ ପ୍ରଦାନ କରିବେ। ଏହି ଅବସରରେ ସ୍କ୍ବାଡ୍ରନ ଲିଡର୍‌ ମିଣ୍ଟି ଅଗ୍ରଓ୍ଵାଲଙ୍କୁ ବାଲାକୋଟ ଆକ୍ରମଣକୁ ସଫଳ କରିଥିବା ଯୋଗୁଁ ପୁରସ୍କୃତ କରାଯିବ। ଉଲ୍ଲେଖଯୋଗ୍ୟ, ଗତ ଫେବ୍ରୁଆରି ୧୪ ତାରିଖରେ ଆତଙ୍କବାଦୀ ସଂଗଠନ ଜୈଶ୍‌-ଏ-ମହମ୍ମଦର ଆତଙ୍କବାଦୀମାନେ ଜମ୍ମୁ-କଶ୍ମୀର ପୁଲ୍‌ଓ୍ଵାମାଠାରେ ଆକ୍ରମଣ ଘଟାଇଥିବାରୁ ୪୦ ଯବାନ ସହିଦ ହୋଇଥିଲେ। ଏହି ଆକ୍ରମଣର ଠିକ୍‌ ୧୩ ଦିନ ପରେ ଭାରତୀୟ ବାୟୁସେନା ପାକିସ୍ତାନର ବାଲାକୋଟ୍‌ରେ ପଶି ଆତଙ୍କବାଦୀ ଶିବିରକୁ ଧ୍ୱସ୍ତବିଧ୍ୱସ୍ତ କରିଥିଲା। ଏହି ପାଲଟା ଯବାବରେ ପ୍ରାୟ ୩୦୦ ଆତଙ୍କବାଦୀ ନିପାତ ହୋଇଥିଲେ। ବାଲାକୋଟ୍‌ ଏୟାର୍‌ ଷ୍ଟ୍ରାଇକ୍‌ର ପ୍ରତିଶୋଧ ନେବାକୁ ପରଦିନ ପାକିସ୍ତାନ ଭାରତୀୟ ସୀମାରେ ପଶିବାକୁ ଚେଷ୍ଟା କରିଥିବା ବେଳେ ଵିଙ୍ଗ୍‌ କମାଣ୍ଡର୍‌ ଅଭିନନ୍ଦନ ମିଗ୍‌-୨୧ ଯୁଦ୍ଧ ବିମାନ ନେଇ ପାକିସ୍ତାନର ଏଫ୍‌-୧୬ ବିମାନକୁ ଗୁଳି କରି ପାକ୍‌ ସୀମାରେ ଖସାଇ ଦେଇଥିଲେ।

ସମ୍ବନ୍ଧିତ ଖବର