ନୂଆଦିଲ୍ଲୀ: ଶିଶୁ ପ୍ରବଚକ ଭାବରେ ଜଣାଶୁଣା ୧୦ବର୍ଷିୟ ସୋସିଆଲ ମିଡିଆ ଇନଫ୍ଲୁଏନସର ଅଭିନବ ଆରୋରା ଗତ କିଛି ଦିନ ହେବ ବିଭିନ୍ନ କାରଣକୁ ନେଇ ବିବାଦରେ ଅଛନ୍ତି। ଆଧ୍ୟାତ୍ମିକ ଗୁରୁ ସ୍ବାମୀ ରାମଭଦ୍ରାଚାର୍ଯ୍ୟ ଅଭିନବଙ୍କୁ ଦୁଇଥର ମଞ୍ଚ ଛାଡିବାକୁ କହିବା ପରେ ସୋସିଆଲ ମିଡିଆରେ ତାଙ୍କୁ ଟ୍ରୋଲ କରାଯାଇଥିଲା। ଏହା ସହ ୟୁଟ୍ୟୁବର୍ ଅଙ୍କିତ ଏକ ଭିଡିଓରେ ଦାବି କରିଥିଲେ ଯେ, ଅଭିନବ ଆରୋରାଙ୍କୁ ପୁରାଣ ବିଷୟରେ କିଛି ବି ଜଣା ନାହିଁ । ସେ ତାଙ୍କ ପିତା ତରୁଣ ରାଜ ଆରୋରାଙ୍କଠାରୁ ଶିଖି ପ୍ରବଚନ ଦେଇଛନ୍ତି | ଏସବୁକୁ ନେଇ ଟ୍ରୋଲ ହେଉଥିବା ଅଭିନବ ଏବେ ଭଗବାନ କୃଷ୍ଣଙ୍କୁ ନେଇ ପଚରାଯାଇଥିବା ପ୍ରଶ୍ନର ଭୁଲ ଉତ୍ତର ଦେଇ ଟ୍ରୋଲ ହେଉଛନ୍ତି।

Advertisment

ଜାତୀୟ ଗଣମାଧ୍ୟମ ଏବିପି ନିଉଜର ଜଣେ ସାମ୍ବାଦିକ ଲାଇଭରେ ଅଭିନବଙ୍କୁ ପ୍ରଶ୍ନ କରିଥିଲେ ଯେ, ଆପଣ ଭଗବାନ କୃଷ୍ଣଙ୍କ ବଡ଼ ଭକ୍ତ। ତା’ହେଲେ କୁହନ୍ତୁ କିଏ ଭଗବାନ କୃଷ୍ଣଙ୍କୁ ସୁଦର୍ଶନ ଚକ୍ର ଦେଇଥିଲେ? ଉତ୍ତରରେ ଅଭିନବ କହିଥିଲେ, ଭଗବାନ କୃଷ୍ଣଙ୍କ ପାଖରେ ଯେଉଁ ସୁଦର୍ଶନ ଚକ୍ର ଥିଲା ତାକୁ ସେ ଦେଇଥିଲେ। ଏହା ଶୁଣି ସାମ୍ବାଦିକ ପଚାରିଥିଲେ କିଏ? କେଉଁଠୁ ମିଳିଥିଲା? ଉତ୍ତରରେ ଅଭିନବ କହିଥିଲେ, ଶିବ ମହାପୁରାଣରେ ବି ଲେଖାଅଛି ବିଷ୍ଣୁଙ୍କୁ ସୁଦର୍ଶନ ଚକ୍ର ଦିଆଯାଇଥିଲା। ଲକ୍ଷ୍ମୀଜୀ ଜଣେ ସୁନ୍ଦର ନାରୀ। ଏହା ଶୁଣି ପୁଣି ସାମ୍ବାଦିକ ସ୍ପଷ୍ଟ ଭାବେ ପଚାରିଥିଲେ ଭଗବାନ କୃଷ୍ଣଙ୍କୁ କିଏ ଦେଇଥିଲେ କୁହନ୍ତୁ। ଉତ୍ତରରେ ଅଭିନବ କହିଥିଲେ, ଭଗବାନ ଶିବ।

ହେଲେ ଏହି ଉତ୍ତରଟି ଭୁଲ। କାରଣ ସଠିକ୍ ଉତ୍ତର ହେଲା ଭଗବାନ କୃଷ୍ଣଙ୍କୁ, ଭଗବାନ ପର୍ଶୁରାମ ସୁଦର୍ଶନ ଚକ୍ର ଦେଇଥିଲେ। ଏହା ପରେ ତାଙ୍କୁ ପଚରାଗଲା କୃଷ୍ଣର ଅର୍ଥ କ’ଣ। ଉତ୍ତର ଦେବା ପୂର୍ବରୁ ସେ ଟିକେ ଆଗକୁ ଦେଖିଥିଲେ। ଲାଗୁଥିଲା ଯେମିତି ତାଙ୍କୁ କେହି ଉତ୍ତର କହୁଛନ୍ତି। ତଥାପି ମଧ୍ୟ ସେ ଭୁଲ ଅର୍ଥ କହିଥିଲେ। କୃଷ୍ଣର ଅର୍ଥ କଷ୍ଟ ଦୂର କରୁଥିବା ଲୋକ ବୋଲି କହିଥିଲେ ଅଭିନବ। ହେଲେ ସଠି୍କ ଉତ୍ତର ହେଲା କଳା ବା ଶ୍ୟାମ। ଏହା ପରେ ଭଗବାନ କୃଷ୍ଣଙ୍କ ପୂରା ନାମ ପଚରାଯାଇଥିବା ବେଳେ ସେ ତାହାର ମଧ୍ୟ ଠିକ୍ ଉତ୍ତର ଦେଇନଥିଲେ।

ଏହି ଭିଡିଓ ଭାଇରାଲ ହେବା ପରେ ଏବେ ତାଙ୍କୁ ଟ୍ରୋଲ କରାଯାଉଛି।