ନୂଆଦିଲ୍ଲୀ: ଶିଶୁ ପ୍ରବଚକ ଭାବରେ ଜଣାଶୁଣା ୧୦ବର୍ଷିୟ ସୋସିଆଲ ମିଡିଆ ଇନଫ୍ଲୁଏନସର ଅଭିନବ ଆରୋରାଙ୍କୁ ହତ୍ୟା ଧମକ। ଅଭିନବଙ୍କ ପରିବାର ଲୋକେ ଦାବି କରିଛନ୍ତି ଯେ ତାଙ୍କୁ ସୋମବାର ଲରେନ୍ସ ବିଷ୍ଣୋଇଙ୍କ ଗ୍ୟାଙ୍ଗ ତରଫରୁ ହତ୍ୟା ଧମକ ମିଳିଛି।
ତାଙ୍କ ମା’ ଜ୍ୟୋତି ଆରୋରା କହିଛନ୍ତି ଯେ, "ସୋସିଆଲ ମିଡିଆ ମାଧ୍ୟମରେ ଆମର ସାମାଜିକ ପ୍ରତିଷ୍ଠା କ୍ଷୁର୍ଣ୍ଣ କରିବା ପାଇଁ ଉଦ୍ୟମ କରାଯାଉଛି। ଅଭିନବ ସେଭଳି କିଛି ଭୁଲ୍ କରିନାହାଁନ୍ତି। ତଥାପି ତାଙ୍କୁ ଧମକ ମିଳୁଛି। ଅଭିନବ ଭକ୍ତି ବ୍ୟତୀତ ଆଉ କିଛି କରିନାହାଁନ୍ତି, ତଥାପି ତାଙ୍କୁ ଏସବୁ ସହିବାକୁ ପଡୁଛି। ଆଜି ଆମକୁ ଲରେନ୍ସ ବିଷ୍ଣୋଇର ଗ୍ୟାଙ୍ଗ ତରଫରୁ ଫୋନ ଆସିଥିଲା, ଯେଉଁଥିରେ ଆମକୁ ଧମକ ଦିଆଯାଇଥିଲା ଯେ ଅଭିନବଙ୍କୁ ହତ୍ୟା କରାଯିବ। ଆଜି ଆମେ ସମାନ ନମ୍ବରରୁ ଏକ ବାର୍ତ୍ତା ପାଇଲୁ ଯେ ସେମାନେ ଅଭିନବଙ୍କୁ ହତ୍ୟା କରିବେ |" ଅଭିନବଙ୍କ ପରିବାର ଲୋକଙ୍କ ମୁତାବକ, ୩ବର୍ଷ ବୟସରୁ ହିଁ ସେ ଆଧ୍ୟାତ୍ମିକ ଯାତ୍ରା ଆରମ୍ଭ କରିଥିଲେ। ଏବେ ସେ ଆଧ୍ୟାତ୍ମିକ କଣ୍ଟେଣ୍ଟ କ୍ରିଏଟର ଭାବେ ଜଣାଶୁଣା।
ତେବେ ଅଭିନବଙ୍କୁ ଲରେନ୍ସ ବିଷ୍ଣୋଇଙ୍କ ଗ୍ୟାଙ୍ଗ କାହିଁକି ହତ୍ୟା କରିବାକୁ ଧମକ ଦେଉଛି, ତାହା ସାମ୍ନାକୁ ଆସିନାହିଁ।