ଅଭିଷେକଙ୍କ ସ୍ତ୍ରୀଙ୍କୁ ବିମାନବନ୍ଦରରେ ଅଟକ

କୋଲକାତା: ତୃଣମୂଳ କଂଗ୍ରେସ ଜାତୀୟ ସାଧାରଣ ସମ୍ପାଦକ ତଥା ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ପୁତୁରା ଅଭିଷେକ ବାନାର୍ଜୀଙ୍କ ସ୍ତ୍ରୀ ରୁଜିର ନରୁଲା ବାନାର୍ଜୀଙ୍କୁ ପୁଣି ଥରେ ନେତାଜୀ ସୁଭାଷ ଚନ୍ଦ୍ର ବୋଷ ଅନ୍ତର୍ଜାତୀୟ ବିମାନବନ୍ଦରରେ ଅଟକାଯାଇଛି। ତାଙ୍କର ବିମାନ ଯୋଗେ ଦୁବାଇ ଯିବାର ଥିଲା। ସେ ତାଙ୍କର ଦୁଇ ପିଲାଙ୍କ ସହ ବିମାନରେ ଚଢ଼ୁଥିବା ବେଳେ ଆଜି ସକାଳ ୭ଟା ସମୟରେ ଆପ୍ରବାସନ ବିଭାଗ କର୍ମଚାରୀମାନଙ୍କ ପକ୍ଷରୁ ତାଙ୍କୁ ଅଟକାଯାଇଛି। ଦୁଇଦିନ ପରେ ଜେରା ପାଇଁ ତାଙ୍କୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ପକ୍ଷରୁ ସମନ ଜାରି କରାଯାଇଛି। ପ୍ରାପ୍ତ ସୂଚନା ଅନୁସାରେ, ରୁଜିରଙ୍କ ବିରୋଧରେ ଲୁକ୍‌-ଆଉଟ୍‌-ସର୍କୁଲାର ଜାରି କରାଯାଇଥିବାରୁ ତାଙ୍କୁ ବିମାନରେ ଦୁବାଇ ଯିବାକୁ ଦିଆଯାଇ ନ ଥିଲା। ଇଡିର କହିବା ଅନୁସାରେ, ଦୁଇଟି କମ୍ପାନି ଲିପ୍ସ ଆଣ୍ଡ ବାଉଣ୍ଡ ପ୍ରାଇଭେଟ୍ ଲିମିଟେଡ୍ ଏବଂ ଲିପ୍ସ ଆଣ୍ଡ ବାଉଣ୍ଡ ମ୍ୟାନେଜମେଣ୍ଟ ସର୍ଭିସେସ୍ ସହ ଅଭିଷେକ ବାନାର୍ଜୀ ଓ ତାଙ୍କ ପରିବାର ଜଡ଼ିତ।

କୋଇଲା ଚୋରା ଚାଲାଣ ମାମଲାରେ ଅଭିଯୁକ୍ତମାନଙ୍କ ଜରିଆରେ ଏକ ନିର୍ମାଣ କମ୍ପାନିରୁ ଏହି କମ୍ପାନିଗୁଡ଼ିକ ୪.୩୭ କୋଟି ଟଙ୍କା ପାଇଥିବା ଇଡି ଅଭିଯୋଗ କରିଛି। ଅଭିଷେକ ବାନାର୍ଜୀଙ୍କ ବାପା ଅମିତ ବାନାର୍ଜୀ ହେଉଛନ୍ତି ଲିପ୍ସ ଆଣ୍ଡ ବାଉଣ୍ଡ ପ୍ରାଇଭେଟ୍ ଲିମିଟେଡ୍‌ର ଜଣେ ନିର୍ଦ୍ଦେଶକ। ତାଙ୍କ ସ୍ତ୍ରୀ ରୁଜିର ବାନାର୍ଜୀ ଓ ତାଙ୍କ ବାପା ଲିପ୍ସ ଆଣ୍ଡ ବାଉଣ୍ଡ ମ୍ୟାନେଜମେଣ୍ଟ ସର୍ଭିସେସ୍ ଲିମିଟେଡ୍‌ର ନିର୍ଦ୍ଦେଶକ ଅଛନ୍ତି। ରୁଜିରଙ୍କ ଓକିଲଙ୍କ କହିବା ଅନୁସାରେ ସେ ଜୁନ୍ ୫ରୁ ୧୩ ପର୍ଯ୍ୟନ୍ତ ତାଙ୍କର ଦୁବାଇ ଯାତ୍ରା ଯୋଜନା ବିଷୟରେ ପୂର୍ବରୁ ଇଡିକୁ ସୂଚନା ଦେଇଥିଲେ। ଇଡି ଏହା ଉପ‌ରେ କୌଣସି ଉତ୍ତର ଦେଇ ନ ଥିଲା। ସୁପ୍ରିମ୍‌କୋର୍ଟଙ୍କ ଆଦେଶ ପତ୍ରକୁ ବି ସେ ଆଗରୁ ଦେଖି ନ ଥିଲେ। ତେଣୁ ବିମାନବନ୍ଦରରେ ଦୁଇ ପିଲାଙ୍କ ସହ ତାଙ୍କୁ ଅଟକାଯିବା ଠିକ୍ ହୋଇ ନାହିଁ। ତାଙ୍କୁ ପୁଣି ସେହି ବିମାନବନ୍ଦରରେ ହିଁ ଜୁନ୍ ୮ ତାରିଖରେ ଜେରା ପାଇଁ ସମନ କାଗଜର କପି ଧରାଇ ଦିଆଯାଇଛି। ଏହା ସୁପ୍ରିମ୍‌କୋର୍ଟଙ୍କ ଆଦେଶନାମାର ଉଲ୍ଲଂଘନ ହୋଇଥିବାରୁ ଏହା ବିରୋଧରେ ସେ କୋର୍ଟର ଦ୍ବାରସ୍ଥ ହେବେ ବୋଲି ରୁଜିରଙ୍କ ଓକିଲ କହିଛନ୍ତି।

ସମ୍ବନ୍ଧିତ ଖବର