ନୂଆଦିଲ୍ଲୀ: ଉତ୍ତରାଖଣ୍ଡ ସରକାରରେ କ୍ୟାବିନେଟ ମନ୍ତ୍ରୀ ଏବଂ ଋଷିକେଶର ବିଧାୟକ ପ୍ରେମଚାନ୍ଦ ଅଗ୍ରୱାଲଙ୍କ ଏକ ଭିଡିଓର ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଏହି ଭିଡିଓରେ ଦେଖିବାକୁ ମିଳୁଥିବା ଘଟଣା ଉତ୍ତରାଖଣ୍ଡର ଋଷିକେଶର ବୋଲି ଜଣାପଡ଼ିଛି । ଏଥିରେ କ୍ୟାବିନେଟ ମନ୍ତ୍ରୀ ଜଣେ ଯୁବକଙ୍କୁ ରାସ୍ତାରେ ମାଡ଼ ମାରୁଥିବା ଦେଖିବାକୁ ମିଳୁଛି।
କୁହାଯାଉଛି ଯେ ଏହି ଘଟଣା ମଙ୍ଗଳବାର ଦିନ ପ୍ରାୟ ୨ ଟାରେ ଘଟିଥିଲା। ଶ୍ରୀ ଭାରତ ମଣ୍ଡପରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଯୋଗ ଦେଇ କ୍ୟାବିନେଟ ମନ୍ତ୍ରୀ ପ୍ରେମଚାନ୍ଦ ଅଗ୍ରୱାଲ ଫେରୁଥିଲେ। ଏହି ସମୟରେ ହରିଦ୍ୱାର ରୋଡ କୋଏଲ ଗ୍ରାଣ୍ଟ ନିକଟରେ ଶିବାଜୀ ନଗର ବାସିନ୍ଦା ସୁରେନ୍ଦ୍ର ସିଂ ନେଗିଙ୍କ ସହ ପ୍ରେମଚାନ୍ଦ ଅଗ୍ରୱାଲଙ୍କ କଥା କଟାକଟି ହୋଇଥିଲା। କଥା କଟାକଟିରୁ ଝଗଡ଼ା ଆରମ୍ଭ ହୋଇଯାଇଥିଲା। ସୁରେନ୍ଦ୍ରଙ୍କ ଯୁକ୍ତିକୁ ସହ୍ୟ କରି ପାରି ନଥିଲେ କ୍ୟାବିନେଟ ମନ୍ତ୍ରୀ । ଫଳରେ ସେ ଓ ତାଙ୍କ ସୁରକ୍ଷାକର୍ମୀ ଉକ୍ତ ଯୁବକଙ୍କୁ ରାସ୍ତା ମଝିରେ ଗାଡ଼ିରୁ ଓହ୍ଲାଇ ନିସ୍ତୁକ ମାଡ଼ ମାରିଥିଲେ।
ଏହି ଘଟଣା ପରେ କ୍ୟାବିନେଟ ମନ୍ତ୍ରୀ ପ୍ରେମଚାନ୍ଦ ଅଗ୍ରୱାଲ ପରମାର୍ଥ ନିକଟରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ପହଞ୍ଚିଥିଲେ। ଏଠାରେ ସେ ଗଣମାଧ୍ୟମ ନିକଟରେ ଅଭିଯୋଗ କରି କହିଥିଲେ ଯେ, ‘ ସୁରେନ୍ଦ୍ର ସିଂ ନେଗି ମୋର କାର ନିକଟକୁ ଆସି ଅଶ୍ଳୀଳ ଇଙ୍ଗିତ କରିଥିଲେ, ଯାହାକୁ ମୁଁ ବିରୋଧ କରିଥିଲି। ଏହାପରେ ସୁରେନ୍ଦ୍ର ମୋ ଉପରକୁ ଆକ୍ରମଣ କରିଥିଲେ। ଏମିତି କି ସୁରେନ୍ଦ୍ର ମୋର କୁର୍ତ୍ତା ବି ଚିରି ଦେଇଥିଲେ। ଏଥିସହିତ ମୋ କୁର୍ତ୍ତା ପକେଟରେ ଥିବା ସାମଗ୍ରୀ, ଟଙ୍କା ଇତ୍ୟାଦି ହଜି ଯାଇଛି। ଉକ୍ତ ଯୁବକଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।