ନୂଆଦିଲ୍ଲୀ: ଜଣେ ୧୪ ବର୍ଷୀୟା ଦୁଷ୍କର୍ମ-ପୀଡ଼ିତାଙ୍କ ୩୦ ସପ୍ତାହର ଗର୍ଭକୁ ତୁରନ୍ତ ଡାକ୍ତରୀ ପ୍ରକ୍ରିୟାରେ ନଷ୍ଟ କରିବାକୁ ସୁପ୍ରିମ୍‌କୋର୍ଟ ଅନୁମତି ଦେଇଛନ୍ତି। ଏଥିସହ ବମ୍ବେ ହାଇକୋର୍ଟଙ୍କ ଏକ ଆଦେଶକୁ ମଧ୍ୟ ଖାରଜ କରି ଦେଇଛନ୍ତି, ଯିଏ ଝିଅର ଗର୍ଭପାତ ପାଇଁ ଅନୁମତି ନ ଦେଇ ପ୍ରତି ଘଣ୍ଟା ଝିଅ ପାଇଁ ଗୁରୁତ୍ୱପୂର୍ଣ୍ଣ ବୋଲି ରାୟ ଦେଇଥିଲେ। ପ୍ରଧାନ ବିଚାରପତି ଡିୱାଇ ଚନ୍ଦ୍ରଚୂଡ଼ଙ୍କ ଅଧ୍ୟକ୍ଷତାରେ ଗଠିତ ଖଣ୍ଡପୀଠ ମୁମ୍ବାଇର ସିଓନ୍ ହସ୍ପିଟାଲକୁ ଗର୍ଭପାତ ପାଇଁ ଏକ ଡାକ୍ତରୀ ଦଳ ଗଠନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ନାବାଳିକାଙ୍କୁ ସୁରକ୍ଷିତ ଭାବେ ମେଡିକାଲକୁ ନେବାକୁ କୋର୍ଟ ନିର୍ଦ୍ଦେଶ ଦେଇଥିବା ବେଳେ ମହାରାଷ୍ଟ୍ର ସରକାର ଏହି ପ୍ରକ୍ରିୟାର ଖର୍ଚ୍ଚ ବହନ କରିବାକୁ ରାଜି ହୋଇଛନ୍ତି।

Advertisment

ଦୁଷ୍କର୍ମ-ପୀଡ଼ିତାଙ୍କ ମା’ ବମ୍ବେ ହାଇକୋର୍ଟଙ୍କ ୨୦୨୩ର ଆଦେଶକୁ ଚ୍ୟାଲେଞ୍ଜ କରି ସୁପ୍ରିମ୍‌କୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ତାଙ୍କ କହିବା ଅନୁଯାୟୀ, ୨୦୨୩ ଫେବ୍ରୁଆରିରେ ତାଙ୍କ ଝିଅ ନିଖୋଜ ହୋଇଯାଇଥିଲା ଏବଂ ତିନି ମାସ ପରେ ରାଜସ୍ଥାନରେ ଜଣେ ବ୍ୟକ୍ତି ତାଙ୍କୁ ଯୌନ ନିର୍ଯାତନା ଦେବା ପରେ ଗର୍ଭବତୀ ଥିବା ଜଣାପଡ଼ିଥିଲା। ତାଙ୍କ ବିରୋଧରେ ପୋକ୍ସୋ ଆଇନ ଅନୁଯାୟୀ ମାମଲା ରୁଜୁ କରାଯାଇଥିଲା ଏବଂ ନାବାଳିକା ଜଣକ ନିଜ ପରିବାରକୁ ଫେରିଥିଲେ। ଗତ ଏପ୍ରିଲ ୧୯ ତାରିଖରେ ସୁପ୍ରିମ୍‌କୋର୍ଟ ଦୁଷ୍କର୍ମ-ପୀଡ଼ିତାଙ୍କ ଡାକ୍ତରୀ ମାଇନା ପାଇଁ ନିର୍ଦ୍ଦେଶ ଦେଇଥିଲେ। ଯଦି ଝିଅର ଡାକ୍ତରୀ ଗର୍ଭପାତ କରାଯାଏ କିମ୍ବା ତାଙ୍କୁ ଏହା ନ କରିବାକୁ ପରାମର୍ଶ ଦିଆଯାଏ ତେବେ ତାଙ୍କର ସମ୍ଭାବ୍ୟ ଶାରୀରିକ ଓ ମାନସିକ ଅବସ୍ଥା କ’ଣ ରହିବ ସେ ବିଷୟରେ ମୁମ୍ବାଇର ସିଓନ୍ ହସ୍ପିଟାଲରୁ ରିପୋର୍ଟ ମଗାଯାଇଥିଲା। ଆଜି ଶୁଣାଣି ସମୟରେ ସିଓନ୍ ହସ୍ପିଟାଲର ଡିନ୍ ରିପୋର୍ଟ ଦାଖଲ କରିଥିଲେ, ଯେଉଁଥିରେ କୁହାଯାଇଛି ଯେ ନାବାଳିକାଙ୍କୁ ୬ ଜଣିଆ ଡାକ୍ତରୀ ଦଳ ପରୀକ୍ଷା କରିଥିଲେ। ମେଡିକାଲ ଟର୍ମିନେସନ୍ ଅଫ୍ ପ୍ରେଗ୍ନାନ୍ସି (ଏମ୍‌ଟିପି) ଆଇନ ଅନୁଯାୟୀ, ଯେକୌଣସି ମହିଳାଙ୍କ ପାଇଁ ଗର୍ଭପାତ ସର୍ବୋଚ୍ଚ ସୀମା ୨୪ ସପ୍ତାହ ଅଟେ।