ପ୍ରାୟ ଦେଢ଼ ଲକ୍ଷ ଦୈନିକ ସଂକ୍ରମଣ: ଦିନକରେ ୨୧% ବୃଦ୍ଧି, ଦିଲ୍ଲୀରେ ପଜିଟିଭ୍‌ ହାର ୧୯%

ନୂଆ ସଂକ୍ରମଣ ୨୦ ହଜାର ଟପିଲା, ମୁମ୍ବାଇରେ ଅକ୍ସିଜେନ୍‌ ବେଡ୍‌ରେ ଥିବା ୯୬% ରୋଗୀ ଗୋଟିଏ ବି ଡୋଜ୍‌ ନେଇନାହାନ୍ତି

ନୂଆଦିଲ୍ଲୀ : ଦେଶରେ ଗତ ୨୪ ଘଣ୍ଟାରେ ୧,୪୧,୯୮୬ ନୂଆ କୋଭିଡ୍‌ ସଂକ୍ରମଣ ମାମଲା ଚିହ୍ନଟ ହୋଇଛି। ସଂକ୍ରମଣ ମାମଲା ୧୦ ହଜାର ଟପିବାର ସପ୍ତାହକ ପରେ ୧ ଲକ୍ଷ ଟପିଛି। ସଂକ୍ରମଣ ଅତ୍ୟନ୍ତ ଅପ୍ରତ୍ୟାଶିତ ଭାବେ ବଢ଼ି ଚାଲିଛି। ଦେଶରେ ସକ୍ରିୟ ମାମଲା ମୋଟ୍‌ ସଂକ୍ରମଣ ମାମଲାର ୧.୩୪ ପ୍ରତିଶତ। ଅନ୍ୟପକ୍ଷେ ଆରୋଗ୍ୟ ହାର ୯୭.୩୦ ପ୍ରତିଶତ ରହିଛି। । ୨୪ ଘଣ୍ଟା ମଧ୍ୟରେ ସକ୍ରିୟ ମାମଲାରେ ୧,୦୦,୮୦୬ ବୃଦ୍ଧି ପାଇଛି। ଏହି ସମୟ ମଧ୍ୟରେ ୨୮୨ ଜଣଙ୍କ କରୋନାରେ ମୃତ୍ୟୁ ସହ ଦେଶରେ ମୋଟ୍‌ ମୃତ୍ୟୁସଂଖ୍ୟା ୪,୮୩,୪୬୩ ପହଞ୍ଚିଛି। ଅନ୍ୟପ‌‌କ୍ଷେ ସକ୍ରିୟ ମାମଲା ୪,୭୨,୧୬୯ ରହିଛି। ଗତକାଲି ୪୦,୮୯୫ ଜଣ କରୋନାରୁ ସୁସ୍ଥ ହେବା ସହ ଦେଶରେ ମୋଟ୍‌ ଆରୋଗ୍ୟଙ୍କ ସଂଖ୍ୟା ୩,୪୪,୧୨,୭୪୦। ୨୭ ରାଜ୍ୟରେ ମୋଟ୍‌ ଓମିକ୍ରନ ଆକ୍ରାନ୍ତଙ୍କ ସଂଖ୍ୟା ୩,୦୭୧। ୧୨୦୩ ଓମିକ୍ରନ୍‌ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ମହାରାଷ୍ଟ୍ରରେ ସର୍ବାଧିକ ୮୭୬ ଓମିକ୍ରନ୍‌ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଦିଲ୍ଲୀରେ ୫୧୩ , କର୍ଣ୍ଣାଟକରେ ୩୩୩, ରାଜସ୍ଥାନରେ ୨୯୧ , କେରଳରେ ୨୮୪ ଏବଂ ଗୁଜରାଟରେ ୨୦୪ ଓମିକ୍ରନ୍‌ ମାମଲା ଚିହ୍ନଟ ହୋଇଛି।

ତେଲେଙ୍ଗାନା, ଆନ୍ଧ୍ରପ୍ର‌ଦେଶ, ହରିୟାଣା, ପଶ୍ଚିମବଙ୍ଗ, ମଧ୍ୟପ୍ରଦେଶ, ଓଡ଼ିଶା, ଉତ୍ତରାଖଣ୍ଡ, ଚଣ୍ଡିଗଡ଼, ଜମ୍ମୁ କାଶ୍ମୀର, ଉତ୍ତରପ୍ରଦେଶ, ଗୋଆ, ହିମାଚଳପ୍ରଦେଶ, ଲଦାଖ, ମଣିପୁର ଏବଂ ପଂଜାବରେ ଓମିକ୍ରନ୍‌ର ପ୍ରଭାବ ଦେଖିବାକୁ ମିଳିଛି। ଦେଶରେ ଦୈନିକ ପଜିଟିଭ୍‌ ହାର ୯.୨୮ ପ୍ରତିଶତ ଏବଂ ସାପ୍ତାହିକ ପଜିଟିଭ୍‌ ହାର ୫.୬୬ ପ୍ରତିଶତ ରହିଛି।

ନୂଆଦିଲ୍ଲୀ : ଦିଲ୍ଲୀରେ ଦୈନିକ ସଂକ୍ରମଣ ମାମଲା ଆଜି ୨୦ ହଜାର ଟପିଯାଇଛି। ଗତ ୨୪ ଘଣ୍ଟାରେ ଦିଲ୍ଲୀରେ ୨୦,୧୮୧ ସଂକ୍ରମଣ ମାମଲା ଚିହ୍ନଟ ହୋଇଥିବା ବେଳେ ଏବଂ ୭ ଜଣଙ୍କ ମୃତ୍ୟୁ ହୋଇଛି। ଆଜି ସକାଳେ ଦିଲ୍ଲୀ ସ୍ବାସ୍ଥ୍ୟ ମନ୍ତ୍ରୀ ସତ୍ୟେନ୍ଦ୍ର ଜୈନ ଆକଳନ କରିଥିଲେ ଯେ ସହରରେ ସଂକ୍ରମଣ ୨୦ ହଜାର ଟପିଯିବ। ଦିଲ୍ଲୀରେ ପଜିଟିଭ୍‌ ହାର ୧୯.୬୦ ପ୍ରତିଶତ ରହିଛି। ସକ୍ରିୟ ମାମଲା ୪୮,୧୭୮ ଥିବା ବେଳେ ୧୫୮୬ ରୋଗୀ ଡେଡିକେଟେଡ କୋଭିଡ ହସ୍ପିଟାଲ‌ରେ ରହିଛନ୍ତି। ଅନ୍ୟପକ୍ଷେ ମୁମ୍ବାଇରେ ଗତ ୨୪ ଘଣ୍ଟାରେ ୨୦,୩୧୮ ନୂଆ ସଂକ୍ରମଣ ମାମଲା ରହିଛି। ଗତକାଲିର ସଂକ୍ରମଣ ୨୦,୯୭୧ ଠାରୁ ଆଜି ସଂକ୍ରମଣ କମ୍‌ ରହିଛି। ମୁମ୍ବାଇରେ ମୋଟ୍‌ ସଂକ୍ରମଣ ମାମଲାରୁ ୮୨ ପ୍ରତିଶତ ମାମଲାରେ କୌଣସି ଲକ୍ଷଣ ନାହିଁ। ମୁମ୍ବାଇରେ ୧୨୫୭ ରୋଗୀ ହସ୍ପିଟାଲରେ ଥିବାବେଳେ ୧୦୮ ରୋଗୀ ଅକ୍ସିଜେନ୍‌ ସପୋର୍ଟରେ ଅଛନ୍ତି। ୬,୦୦୩ ଜଣ କରୋନାରୁ ସୁସ୍ଥ ହୋଇ ହସ୍ପିଟାଲରୁ ଡିସଚାର୍ଜ ହୋଇଛନ୍ତି। ମୁମ୍ବାଇରେ ଆରୋଗ୍ୟ ହାର ୮୬ ପ୍ରତିଶତ। ମୁମ୍ବାଇରେ ୧୮୬ ହସ୍ପିଟାଲ୍‌ରେ ଅକ୍ସିଜେନ୍‌ ବେଡରେ ଥିବା ୯୬ ପ୍ରତିଶତ ରୋଗୀ ଗୋଟିଏ ବି ଡୋଜ୍‌ ଟିକା ନେଇନାହାନ୍ତି ବୋଲି ବିଏମ୍‌ସି କମିସନର ଇକବଲ ଚହଲ କହିଛନ୍ତି।

ସମ୍ବନ୍ଧିତ ଖବର