ଦୈନିକ ବିଶ୍ବ ସଂକ୍ରମଣରେ ଭାରତର ଅଂଶ ୧୨%, ଆରୋଗ୍ୟ ହାର ୬୨.୯୫%

୨୪ ଘଣ୍ଟାରେ ପ୍ରାୟ ୨୯ ହଜାର ନୂଆ ମାମଲା

ନୂଆଦିଲ୍ଲୀ: ଦେଶରେ କରୋନା ସଂକ୍ରମଣ ମାମଲା ୮ ଲକ୍ଷ ଟପିବାର ଠିକ୍‌ ଦିନକ ପରେ ଆଜି ପୁଣି କ‌ରୋନା ମାମଲା ୮ ଲକ୍ଷ ୫୦ ହଜାର ଛୁଇଁଛି। ଲଗାତାର ୪ ଦିନ ଧରି ଦେଶରେ ସଂକ୍ରମଣ ମାମଲା କ୍ରମାଗତ ଭାବେ ବଢ଼ିଚାଲିଛି। ବିଗତ ୨୪ ଘଣ୍ଟା ମଧ୍ୟରେ ପ୍ରାୟ ୨୯ ହଜାର ହଜାର ନୂଆ ମାମଲା ରେକର୍ଡ କରାଯାଇଛି ଏବଂ ୫୪୦ ଜଣଙ୍କ କରୋନାରେ ମୃତ୍ୟୁ ହୋଇଛି। ମୋଟାମୋଟି ଭାବେ ଗତ ୯ ଦିନ ମଧ୍ୟରେ ଦେଶରେ ସଂକ୍ରମଣ ମାମଲା ଲଗାତାର ୨୨ ହଜାରରୁ ଅଧିକ ରହିଛି। ୱାର୍ଲ୍ଡମିଟର ତଥ୍ୟ ଅନୁଯାୟୀ ସଂକ୍ରମଣ ବଢ଼ିବା ଯୋଗୁଁ ସମଗ୍ର ବିଶ୍ବରେ ଦୈନିକ ସଂକ୍ରମଣ କ୍ଷେତ୍ରରେ ଭାରତର ଅଂଶ ୧୨ ପ୍ରତିଶତ ରହିଛି। ଭାରତ ଶନିବାର ଦିନ ୨୭ ହଜାର ୧୧୪ ନୂଆ ସଂକ୍ରମଣ ମାମଲା ରିପୋର୍ଟ କରିଥିଲା। ଅନ୍ୟପକ୍ଷେ ବିଶ୍ବରେ ଶନିବାର ସଂକ୍ରମଣ ମାମଲା ୨ ଲକ୍ଷ ୧୪ ହଜାର ୭୪୧ ରହିଥିଲା। ଭାରତର ମାମଲା ସମଗ୍ର ବିଶ୍ବର ଦୈନିକ ସଂକ୍ରମଣ ମାମଲାର ୧୨.୬ ପ୍ରତିଶତ। ଜୁନ୍‌ ୩୦ ତାରିଖ ପରଠାରୁ ଏହା ବଢ଼ୁଛି। ଜୁନ୍‌ ୩୦ରେ ଭାରତର ଅଂଶ ବିଶ୍ବ ଦୈନିକ ସଂକ୍ରମଣ ମାମଲା ‌କ୍ଷେତ୍ରରେ ୧୦.୪ ପ୍ରତିଶତ ଥିଲା। କିନ୍ତୁ ଏହା ପରଠାରୁ ସଂକ୍ରମଣ ବଢ଼ିଚାଲିଛି। ଅନ୍ତର୍ଜାତୀୟ ଦୈନିକ ସଂକ୍ରମଣ ହାର ତୁଳନାରେ ଭାରତରେ ସଂକ୍ରମଣ ବୃଦ୍ଧିହାର ଅଧିକ ରହୁଛି। ଭାରତରେ ଆଜି ୨୮ ହଜାର ୬୩୭ ନୂଆ ମାମଲା ଚିହ୍ନଟ ହୋଇଛି। ଏଥିସହ ଦେଶରେ ମୋଟ୍‌ ସଂକ୍ରମଣ ମାମଲା ୮ ଲକ୍ଷ ୪୯ ହଜାର ୫୫୩ରେ ପହଞ୍ଚିଛି। ଅନ୍ୟପକ୍ଷେ ମୃତ୍ୟୁସଂଖ୍ୟା ୨୨ ହଜାର ୬୭୪ରେ ପହଞ୍ଚିଛି।

କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରାଳୟ ତଥ୍ୟ ମୁତାବକ ଦେଶରେ ଆରୋଗ୍ୟ ହାର ୬୨.୯୩ ପ୍ରତିଶତକୁ ବୃଦ୍ଧି ପାଇଛି। ସକ୍ରିୟ ମାମଲା ତୁଳନାରେ ଆରୋଗ୍ୟଙ୍କ ସଂଖ୍ୟା ୨ ଲକ୍ଷ ୪୨ ହଜାର ୩୬୨ ଅଧିକ ରହିଛି। ଦେଶରେ ଏବେ ୨ ଲକ୍ଷ ୯୨ ହଜାର ୨୫୮ ସକ୍ରିୟ ମାମଲା ରହିଛି। ଗତ ୨୪ ଘଣ୍ଟା ମଧ୍ୟରେ ୧୯ ହଜାର ୨୩୫ ଜଣ କରୋନାରୁ ସୁସ୍ଥ ହୋଇଛନ୍ତି। ଏଥିସହ ଦେଶରେ ମୋଟ୍‌ ଆରୋଗ୍ୟଙ୍କ ସଂଖ୍ୟା ୫ ଲକ୍ଷ ୩୪ ହଜାର ୬୨୦କୁ ବୃଦ୍ଧି ପାଇଛି। ଦେଶରେ କରୋନା ଟେଷ୍ଟିଂ ମଧ୍ୟ ବୃଦ୍ଧି ପାଇଛି। ଏବେ ପ୍ରତି ୧୦ ଲକ୍ଷ ଜନସଂଖ୍ୟାରେ ଭାରତ ୮,୩୯୬.୪ ଟେଷ୍ଟ୍‌ କରୁଛି। ଆଇସିଏମ୍‌ଆର ଅନୁଯାୟୀ ଦେଶରେ ସର୍ବମୋଟ୍‌ ୧ କୋଟି ୧୫ ଲକ୍ଷ ୮୭ ହଜାର ୧୫୩ ନମୁନା ପରୀକ୍ଷା ହୋଇଛି।

ସମ୍ବନ୍ଧିତ ଖବର