ଆଫଗାନିସ୍ତାନର ପଞ୍ଜଶୀରରେ ପ୍ରାୟ ୬୦୦ ତାଲିବାନ୍ ନିହତ ହୋଇଛନ୍ତି: ‘ଆଫଗାନ୍ ରେଜିଷ୍ଟାନ୍‌ସ୍‌ ଫୋର୍ସ’

ନୂଆଦିଲ୍ଲୀ: ଆଫଗାନିସ୍ତାନର ଉତ୍ତରପୂର୍ବ ପ୍ରଦେଶ ପଞ୍ଜଶୀରରେ ପାଖାପାଖି ୬୦୦ ତାଲିବାନ୍ ନିହତ ହୋଇଥିବା କଥା ‘ଆଫଗାନ୍ ରେଜିଷ୍ଟାନ୍‌ସ୍‌ ଫୋର୍ସ’ ଘୋଷଣା କରିଛି। କଠୋରପନ୍ଥୀ ଇସ୍‌ଲାମ୍‌ ସଙ୍ଗଠନ ତାଲିବାନ୍‌କୁ ତୀବ୍ର ବିରୋଧ କରୁଥିବା ‘ଆଫଗାନ୍ ପ୍ରତିରୋଧକାରୀ ସେନା’ର ମୁଖପାତ୍ର ଫାହିମ୍‌ ଦାସ୍ତି ଟୁଇଟ୍‌ କରି ଏକଥା ଦାବି କରିଛନ୍ତି ବୋଲି ‘ସ୍ପୁଟ୍‌ନିକ୍‌ ନିଉଜ୍’ ରିପୋର୍ଟ କରିଛି।

ଦାସ୍ତି ଟୁଇଟ୍‌ କରିଛନ୍ତି: ପଞ୍ଜଶୀରର ବିଭିନ୍ନ ଜିଲ୍ଲାରେ ସକାଳୁ ଏଯାବତ୍ ୬୦୦ ତାଲିବାନ୍‌ ଆତଙ୍କବାଦୀ ନିହତ ହୋଇଛନ୍ତି। ୧୦୦୦ରୁ ଅଧିକ ତାଲିବାନ୍ ଉଗ୍ରବାଦୀଙ୍କ ଧରାପଡ଼ିଛନ୍ତି ବା ସ୍ବୟଂ ଆତ୍ମସମର୍ପଣ କରିଛନ୍ତି।

ଆଫଗାନିସ୍ତାନର ଅନ୍ୟାନ୍ୟ ପ୍ରଦେଶରୁ ରଶଦ୍‌ (ଖାଦ୍ୟ ଓ ଅନ୍ୟାନ୍ୟ ସରଞ୍ଜାମ) ପାଇବାରେ ତାଲିବ୍‌ମାନେ ସମସ୍ୟାର ସମ୍ମୁଖୀନ ହେଉଛନ୍ତି ବୋଲି ମଧ୍ୟ ‘ସ୍ପୁଟ୍‌ନିକ୍ ନିଉଜ୍’ ରିପୋର୍ଟ କରିଛି।

Image Courtesy of ANI News

ପଞ୍ଜଶୀର ହେଉଛି ‘ନ୍ୟାସ୍‌ନାଲ୍‌ ରେଜିଷ୍ଟାନ୍ସ୍‌ ଫୋର୍ସ ଅଫ୍ ଆଫଗାନିସ୍ତାନ୍‌’ର ପ୍ରତିରକ୍ଷାକାରୀ ଦୁର୍ଗ। ଏହି ସଙ୍ଗଠନର ନେତୃତ୍ବ ନେଉଛନ୍ତି ପୂର୍ବତନ-ଆଫଗାନ୍‌ ଗରିଲା କମାଣ୍ଡର୍‌ ସ୍ବର୍ଗତଃ ଅହମଦ ଶାହ ମାସୌଦଙ୍କ ପୁତ୍ର ଅହମଦ୍‌ ମାସୌଦ୍‌ ଏବଂ କାର୍ଯ୍ୟନିର୍ବାହୀ ରାଷ୍ଟ୍ରପତି ଅମରୁଲ୍ଲା ଶାହ।

ସୂଚନାଯୋଗ୍ୟ, ଅଗଷ୍ଟ ୩୧ ତାରିଖ ଦିନ ଯୁକ୍ତରାଷ୍ଟ୍ର ଆମେରିକା ନେତୃତ୍ବାଧୀନ ସେନା ସମ୍ପୂର୍ଣ୍ଣ ଅପସାରିତ ହେବା ପୂର୍ବରୁ ତାଲିବାନ ଆଫଗାନିସ୍ତାନକୁ ନିୟନ୍ତ୍ରଣାଧୀନ କରିଥିଲେ ସୁଦ୍ଧା ପଞ୍ଜଶୀର ଉପତ୍ୟକାକୁ ଦଖଲ କରିପାରିନାହିଁ।

ସମ୍ପ୍ରତି ପଞ୍ଜଶୀର ସେମାନଙ୍କ ନିୟନ୍ତ୍ରଣରେ ରହିଥିବା କଥା ଉଭୟ ସଙ୍ଗଠନ ଦାବି କରୁଥିଲେ ମଧ୍ୟ କେହି ବିଶ୍ବାସଯୋଗ୍ୟ ପ୍ରମାଣ ଉପସ୍ଥାପନ କରି ପାରିନାହାନ୍ତି।

ସମ୍ବନ୍ଧିତ ଖବର