ବିଶ୍ବର ୭୦% ବାଘ ଭାରତରେ

ନୂଆଦିଲ୍ଲୀ : ଅନ୍ତର୍ଜାତୀୟ ବ୍ୟାଘ୍ର ଦିବସ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଭାରତରେ ବ୍ୟାଘ୍ର ସଂରକ୍ଷଣର ପ୍ରୟାସ, ବାଘମାନଙ୍କ ପାଇଁ ନିରାପଦ ବାସସ୍ଥାନ ତଥା ବାଘ ଅନୁକୂଳ ସ୍ଥାନ ପାଇଁ ସରକାରଙ୍କ ପ୍ରତିବଦ୍ଧତାକୁ ଦୋହରାଇଛନ୍ତି। ବନ୍ୟଜନ୍ତୁପ୍ରେମୀଙ୍କୁ ଶୁଭେଚ୍ଛା ଜଣାଇ ପ୍ରଧାନମନ୍ତ୍ରୀ ମୋଦୀ ମାଇକ୍ରୋବ୍ଲଗିଂ ୱେବ୍‌ସାଇଟ୍‌ରେ ତାଙ୍କ ଅଫିସିଆଲ ହ୍ୟାଣ୍ଡେଲରୁ ଅନେକ ଟ୍ୱିଟ୍ ପୋଷ୍ଟ କରିଛନ୍ତି, ଯେଉଁଥିରେ ସେ ଗତ ବର୍ଷ ମଧ୍ୟରେ ବ୍ୟାଘ୍ର ସଂରକ୍ଷଣ ପ୍ରୟାସକୁ ସରକାର କିପରି ଆଗେଇ ନେଇଛନ୍ତି ଏବଂ ଏ କ୍ଷେତ୍ରରେ ଗୁରୁତ୍ୱପୂର୍ଣ୍ଣ ମାଇଲଖୁଣ୍ଟ ହାସଲ କରିଛନ୍ତି ତା’ ଉପରେ ଆଲୋକପାତ କରିଛନ୍ତି।

ପ୍ରଧାନମନ୍ତ୍ରୀ ମୋଦୀ ଦର୍ଶାଇଛନ୍ତି ଯେ, ପୃଥିବୀ ବାଘ ଜନସଂଖ୍ୟାର ୭୦%ରୁ ଅଧିକ ଭାରତର ୧୮ଟି ରାଜ୍ୟରେ ଥିବା ୫୧ଟି ବ୍ୟାଘ୍ର ଅଭୟାରଣ୍ୟରେ ରହିଛନ୍ତି। ସେ କହିଛନ୍ତି ଯେ ୨୦୧୮ ବାଘ ଗଣନାରେ ବାଘସଂଖ୍ୟା ବୃଦ୍ଧି ପାଇଛି। ବ୍ୟାଘ୍ର ସଂରକ୍ଷଣ ଉପରେ ସେଣ୍ଟ ପିଟର୍ସବର୍ଗ ଘୋଷଣାନାମା ଅନୁଯାୟୀ ଧାର୍ଯ୍ୟ ଲକ୍ଷ୍ୟର ୪ବର୍ଷ ପୂର୍ବରୁ ଆମେ ବାଘସଂଖ୍ୟାକୁ ଦ୍ୱିଗୁଣିତ କରିବାର ଲକ୍ଷ୍ୟ ହାସଲ କରିଛୁ। ଭାରତର ବାଘ ସଂରକ୍ଷଣ ରଣନୀତି ଅତୁଳନୀୟ। ସ୍ଥାନୀୟ ସମ୍ପ୍ରଦାୟକୁ ଏହି ପ୍ରୟାସରେ ଦେଶ ବିଶେଷ ଗୁରୁତ୍ୱ ଦେଇଥାଏ। ବହୁ ଶତାବ୍ଦୀ ପୁରୁଣା ନୈତିକତା ଦ୍ୱାରା ଅନୁପ୍ରାଣିତ ହୋଇ ଆମେ ଦେଶର ସମସ୍ତ ଉଦ୍ଭିଦ ଓ ଜୀବଜନ୍ତୁଙ୍କ ସହ ମିଳିମିଶି ଜୀବନଯାପନ କରୁଛୁ। ବାଘ ପ୍ରାୟ ବିପନ୍ନ ପ୍ରଜାତି ଭାବେ ପରିଗଣିତ ହେବାକୁ ଯାଉଥିବା ବେଳେ ବର୍ତ୍ତମାନ ସୁଦ୍ଧା ଭାରତରେ ୨,୯୬୭ରୁ ଅଧିକ ବାଘ ଅଛନ୍ତି, ଯାହା ସମଗ୍ର ବିଶ୍ୱ ବାଘସଂଖ୍ୟାର ୭୦%। ଜାତୀୟ ବ୍ୟାଘ୍ର ସଂରକ୍ଷଣ ପ୍ରାଧିକରଣ ଅଧୀନରେ ‘ପ୍ରୋଜେକ୍ଟ ଟାଇଗର’ ଅଭିଯାନ ଦ୍ୱାରା ଭାରତର ବ୍ୟାଘ୍ର ଅଭୟାରଣ୍ୟଗୁଡ଼ିକ ପରିଚାଳିତ।

ସମ୍ବନ୍ଧିତ ଖବର