ତିନିବର୍ଷରେ ବିଜ୍ଞାପନରେ ପ୍ରାୟ ୧,୭୦୦ କୋଟି ଖର୍ଚ୍ଚ ହୋଇଛି: କେନ୍ଦ୍ର

ନୂଆଦିଲ୍ଲୀ: କେନ୍ଦ୍ର ସରକାର ୨୦୧୮ରୁ ୨୦୨୧ ତିନିବର୍ଷରେ ଉଭୟ ଛାପା ଓ ବୈଦ୍ୟୁତିକ ଗଣମାଧ୍ୟମଗୁଡ଼ିକରେ ବିଜ୍ଞାପନ ବାବଦକୁ ମୋଟ ପ୍ରାୟ ୧୭୦୦ କୋଟି ଟଙ୍କା ଖର୍ଚ୍ଚ କରିଥିବା ମଙ୍ଗଳବାର ପାର୍ଲାମେଣ୍ଟରେ ପ୍ରକାଶ କରିଛନ୍ତି। ଅଖିଳ ଭାରତ ସଂଯୁକ୍ତ ଗଣତାନ୍ତ୍ରିକ ମେଣ୍ଟ (ଏଆଇୟୁଡିଏଫ୍‌) ସାଂସଦ ବାଦରୁଦ୍ଦିନ ଆଜମଲଙ୍କ ଏକ ପ୍ରଶ୍ନର ଉତ୍ତର ଦେଇ ସୂଚନା ଓ ପ୍ରସାରଣ ମନ୍ତ୍ରୀ ଅନୁରାଗ ଠାକୁର କହିଥିଲେ ଯେ ୨୦୧୮-୧୯, ୨୦୧୯-୨୦ ଓ ୨୦୨୦-୨୧ ଆର୍ଥିକ ବର୍ଷରେ ଛାପା ଓ ବୈଦ୍ୟୁତିକ ଗଣମାଧ୍ୟମଗୁଡ଼ିକୁ ମୋଟ ୧,୬୯୮.୯୮ କୋଟି ଟଙ୍କାର ବିଜ୍ଞାପନ ଦିଆଯାଇଛି।

ସରକାରୀ ବିଜ୍ଞାପନଗୁଡ଼ିକର ଉଦ୍ଦେଶ୍ୟ ହେଉଛି ସରକାରୀ ନୀତି ଓ ଯୋଜନାଗୁଡ଼ିକ ବିଷୟରେ ଜନସଚେତନତା ସୃଷ୍ଟି କରିବା। ଗାଁଗହଳ ଓ ନିପଟ ଅଞ୍ଚଳର ହିତାଧିକାରୀମାନେ ସରକାର ସେମାନଙ୍କ ପାଇଁ କି କି ଯୋଜନା କରୁଛନ୍ତି ତାହା ଜାଣିଲେ ହିଁ ତା’ର ଲାଭ ନେଇପାରିବେ।

ମନ୍ତ୍ରୀ ପ୍ରଦାନ କରିଥିବା ତଥ୍ୟ ଅନୁସାରେ ସରକାର ଖବରକାଗଜ ବିଜ୍ଞାପନ ବାବଦକୁ ୮୨୬.୫ କୋଟି ଟଙ୍କା ଖର୍ଚ୍ଚ କରିଛନ୍ତି। ୨୦୨୦-୨୧ରେ ୬,୦୮୫ଟି ଖବରକାଗଜକୁ ୧୧୮.୫୯ କୋଟି ଏବଂ ୨୦୧୯-୨୦ରେ ୫,୩୬୫ଟି ଖବରକାଗଜକୁ ୨୦୦ କୋଟି ଟଙ୍କା ଦିଆଯାଇଛି। ସେହିପରି ୨୦୧୮-୧୯ରେ ୬,୧୧୯ଟି ଖବରକାଗଜକୁ ୫୦୭.୯ କୋଟି ଟଙ୍କା ବିଜ୍ଞାପନ ବାବଦକୁ ଦିଆଯାଇଛି। ସେହିପରି ବୈଦ୍ୟୁତିକ ଗଣମାଧ୍ୟମଗୁଡ଼ିକୁ ଉକ୍ତ ତିନିବର୍ଷରେ ମୋଟ ୧୯୩.୫୨ କୋଟି ଟଙ୍କା ଦିଆଯାଇଛି ବୋଲି ମନ୍ତ୍ରୀ କହିଛନ୍ତି।

ସମ୍ବନ୍ଧିତ ଖବର