ପ୍ରୟାଗରାଜ: ଆଜି ପବିତ୍ର ମାଘ ପୂର୍ଣ୍ଣିମା । ପ୍ରୟାଗରାଜ ସଙ୍ଗମରେ ବୁଡ଼ ପକାଉଛନ୍ତି ଶ୍ରଦ୍ଧାଳୁ । ବହୁ ସଂଖ୍ୟାରେ ଭକ୍ତ ଆସି ଅମୃତ ସ୍ନାନ କରୁଛନ୍ତି । ମାଘ ପୂର୍ଣ୍ଣିମା ଥିବାରୁ ଭୋରୁ ଭୋରୁ ସଂଗମ ଘାଟରେ କୋଟି କୋଟି ଶ୍ରଦ୍ଧାଳୁଙ୍କ ସମାଗମ ହୋଇଛି । ତେବେ ମାଘ ପୂର୍ଣ୍ଣିମା ପରି ପବିତ୍ର ଦିନରେ ସଂଗମରେ ବୁଡ ପକାଇବାକୁ ଛୁଟି ଆସିଛନ୍ତି ସମସ୍ତେ । ମିଳିଥିବା ସୂଚନା ଅନୁସାରେ ଆଜି ସକାଳ 8ଟା ସୁଦ୍ଧା ସଂମରେ 1 କୋଟିରୁ ଅଧିକ ଶ୍ରଦ୍ଧାଳୁ ବୁଡ ପକାଇ ସାରିଲେଣି ।
ତେବେ ମାଘ ପୂର୍ଣ୍ଣିମା ଅବସରରେ ତ୍ରିବେଣୀ ସଂଗମରେ ପ୍ରଥମେ ନାଗାସାଧୁ ପରେ ଅନ୍ୟ ସାଧୁ ସନ୍ଥଙ୍କ ସହ କୋଟି କୋଟି ଶ୍ରଦ୍ଧାଳୁ ବୁଡ ପକାଇ ସାରିଛନ୍ତି । ଆଜିକୁ ଲଗାଇଲେ ଏଯାଏଁ ମହାକୁମ୍ଭରେ ମୋଟ 46 କୋଟିରୁ ଅଧିକ ଶ୍ରଦ୍ଧାଳୁ ବୁଡ ପକାଇ ସାରିଲେଣି । ମହାଶିବରାତ୍ରୀ ଯାଏଁ ମହାକୁମ୍ଭ ଚାଲିବ ଆଉ ଏଭଳି ସବୁଦିନ ଯଦି ଭିଡ ହୁଏ ତାହାଲେ ଅନୁମାନ କରାଯାଉଥିବା 50 କୋଟିକୁ ଟପି 60 କୋଟି ବି ଛୁଇଁପାରେ ଶ୍ରଦ୍ଧାଳୁଙ୍କ ସଂଖ୍ୟା ।
ମାଘ ପୂର୍ଣ୍ଣିମା ପାଇଁ ଭିଡ ବଢୁଥିବାରୁ ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି । ପାହାନ୍ତା ପହରର ବହୁ ପୂର୍ବରୁ ଘାଟମାନଙ୍କରେ ବହୁ ସଂଖ୍ୟକ ଜନସମାଗମ ଆରମ୍ଭ ହୋଇଯାଇଛି। ଅନ୍ୟପଟେ ଅମୃତ ସ୍ନାନକୁ ଦୃଷ୍ଟିରେ ରଖି ପ୍ରଶାସନ ମେଳା ଅଞ୍ଚଳରେ ଏକ ନୂତନ ଟ୍ରାଫିକ ନିୟମ ଜାରି କରିଛି । ମେଳା କ୍ଷେତ୍ର ସମେତ ସମଗ୍ର ସହରକୁ ନୋ-ଭେଇକିଲ୍ ଜୋନ୍ ଘୋଷିତ କରାଯାଇଛି । ଏପରିକି ଭିଆପି ଗାଡିଗୁଡିକ ମଧ୍ୟ ପ୍ରବେଶ କରିବାକୁ ଦିଆଯାଉ ନାହିଁ ।