ନୂଆଦିଲ୍ଲୀ: ୨୦୨୪ ଲୋକସଭା ନିର୍ବାଚନ ପାଖେଇ ଆସୁଛି। ଏଭଳି ସ୍ଥିତିରେ ରାଜନୈତିକ ଦଳ ବ୍ୟତୀତ ଲୋକଙ୍କ ମଧ୍ୟରେ ମଧ୍ୟ କଳ୍ପନାଜଳ୍ପନାର ବଜାର ଗରମ ରହିଛି। କିଏ ପାଇବ କ୍ଷମତାର ଚାବି, ନରେନ୍ଦ୍ର ମୋଦି ତୃତୀୟ ଥର ପାଇଁ ପ୍ରଧାନମନ୍ତ୍ରୀ ହେବେ ନା ଆଉ କାହାର ଭାଗ୍ୟ ଉଠିବ, ବିଜେପିକୁ ଟକ୍କର ଦେବାର ନିକଟତର ହୋଇଥିବା ୨୮ଟି ଦଳର ବିରୋଧୀ ମେଣ୍ଟ 'ଇଣ୍ଡିଆ'ର କ'ଣ ହେବ, ଏଭଳି ସବୁ ପ୍ରଶ୍ନ ଲୋକଙ୍କ ମନରେ ରହିଛି।

Advertisment

ଆଗାମୀ ନିର୍ବାଚନକୁ ନେଇ ଏବିପି ନ୍ୟୁଜ-ସିଭୋଟର ପକ୍ଷରୁ ଏକ ମତାମତ ସର୍ଭେ କରାଯାଇଥିଲା । ଏହି ଜନମତ ସର୍ଭେ ଅନୁଯାୟୀ, ଯଦି ଆଜି ନିର୍ବାଚନ ହୁଏ ତେବେ ଶାସକ ଏନଡିଏ ମୋଟ ୫୪୩ ଆସନରୁ ୨୯୫-୩୩୫ ଆସନ ରେ ବିଜୟୀ ହୋଇ ତୃତୀୟ ଥର ପାଇଁ ସରକାର ଗଠନ କରିପାରେ । ଅର୍ଥାତ ଏଥର ପୁଣି ମୋଦୀ ସରକାର ହୋଇପାରେ । ସେପଟେ ବିରୋଧୀ ମେଣ୍ଟ ଇଣ୍ଡିଆକୁ ୧୬୫ରୁ ୨୦୫ ଆସନ ମିଳିଥିବା ବେଳେ ଅନ୍ୟମାନଙ୍କୁ ୩୫ରୁ ୬୫ ଟି ଆସନ ମିଳିବ ବୋଲି ଆକଳନ କରାଯାଇଛି।

ସର୍ଭେ ଅନୁଯାୟୀ, ଏନଡିଏ ହେଉଛି ଦକ୍ଷିଣରେ ଏକମାତ୍ର ଜୋନ୍ ଯେଉଁଠାରେ ଇଣ୍ଡିଆ ମେଣ୍ଟ  ଏନଡିଏଠାରୁ ଆଗୁଆ ରହିବ । ଇଣ୍ଡିଆ ଏଠାରେ ୭୦-୮୦ ଟି ଆସନ ଜିତିବ ବୋଲି ଆକଳନ କରାଯାଇଛି। ଅନ୍ୟ ତିନୋଟି ଜୋନ୍ ଉତ୍ତର, ପୂର୍ବ ଓ ପଶ୍ଚିମରେ ଏନଡିଏ ମେଣ୍ଟ ଆଗୁଆ ରହିବ । ଏହି ୩ଟି ଜୋନରେ ଇଣ୍ଡିଆ ମେଣ୍ଟକୁ ଯଥାକ୍ରମେ ୨୦-୩୦, ୫୦-୬୦ ଏବଂ ୨୫-୩୫ ଆସନ ମିଳିବ ବୋଲି ଆକଳନ କରାଯାଇଛି।

ଉତ୍ତର ଜୋନରେ ୧୮୦ ଆସନରୁ ୧୫୦ରୁ ୧୬୦ ଟି ଆସନ ବିଜେପି ନେତୃତ୍ୱାଧୀନ ଏନଡିଏକୁ ଯିବ ବୋଲି ଆଶା କରାଯାଉଛି । ଦକ୍ଷିଣ ଜୋନର ୧୩୨ ଟି ଆସନମଧ୍ୟରୁ ଏନଡିଏକୁ ୨୦-୩୦ ଟି ଆସନ ମିଳିପାରେ । ପୂର୍ବାଞ୍ଚଳରେ ୧୫୩ ଟି ଆସନରୁ ୮୦ରୁ ୯୦ଟି ଏନଡିଏକୁ ଯାଇପାରେ । ସେହିପରି ପଶ୍ଚିମ ଜୋନର ୭୯ଟି ଆସନରୁ ଏନଡିଏକୁ ୪୫ରୁ ୫୫ଟି ଆସନ ମିଳିବ ବୋଲି ଆକଳନ କରାଯାଇଛି।