ନୂଆଦିଲ୍ଲୀ : ଉତ୍ତରପ୍ରଦେଶ ବିଧାନସଭା ନିର୍ବାଚନ ପାଇଁ ଆଉ ମାତ୍ର କିଛି ମାସ ରହିଥିବା ବେଳେ ନିର୍ବାଚନ ପ୍ରଚାର ଏକପ୍ରକାର ଆରମ୍ଭ ହୋଇସାରିଛି । ୨୦୨୨ ଉତ୍ତରପ୍ରଦେଶ ବିଧାନସଭା ନିର୍ବାଚନରେ ବିଜେପି ପୁଣି ବିଜୟ ହାସଲ କରିବ ବୋଲି ଏବିପି-ସିଭୋଟର୍ ସର୍ଭେ ରିପୋର୍ଟରେ କୁହାଯାଇଛି। ୨୦୨୨ରେ ଯୋଗୀ ଆଦିତ୍ୟନାଥ ସରକାରକୁ ହଟାଇବାପାଇଁ କୌଣସି ବିରୋଧୀ ଦଳ ସକ୍ଷମ ହେବେନାହିଁ। ସର୍ଭେ ରିପୋର୍ଟରୁ ଜଣାପଡ଼ିଛି ଯେ ବର୍ତ୍ତମାନର ଯୋଗୀ ସରକାରଙ୍କ ଉପରେ ଅଧିକାଂଶ ଲୋକ ଆସ୍ଥା ରଖିଛନ୍ତି। ଆଗାମୀ ନିର୍ବାଚନରେ ବିଜେପି ୪୧.୩ ପ୍ରତିଶତ ଭୋଟ୍ ପାଇବ ବୋଲି ଆକଳନ କରାଯାଇଛି। ୨୦୧୭ ନିର୍ବାଚନରେ ବିଜେପି ରାଜ୍ୟରେ ମୋଟ୍ ଭୋଟ୍ର ୪୧.୪ ପ୍ରତିଶତ ପାଇଥିଲା। ପୂର୍ବତନ ମୁଖ୍ୟମନ୍ତ୍ରୀ ଅଖିଳେଶ ଯାଦବଙ୍କ ଦଳ ସମାଜବାଦୀ ପାର୍ଟି(ସପା)ର ଭୋଟ୍ ପ୍ରତିଶତ ଆଗାମୀ ନିର୍ବାଚନରେ ୮.୮ ପ୍ରତିଶତ ବୃଦ୍ଧି ପାଇବ। ୨୦୧୭ ନିର୍ବାଚନରେ ସପା ୨୩.୬ ପ୍ରତିଶତ ଭୋଟ୍ ପାଇଥିଲା। ୨୦୨୨ ନିର୍ବାଚନରେ ଏହା ୩୨.୪ ପ୍ରତିଶତକୁ ବୃଦ୍ଧି ପାଇବ। ମାୟାବତୀଙ୍କ ନେତୃତ୍ବାଧୀନ ବସପା (ବହୁଜନ ସମାଜ ପାର୍ଟି) ୨୦୧୭ରେ ୧୭.୭ ପ୍ରତିଶତ ଭୋଟ୍ ପାଇଥିବା ବେଳେ ୨୦୨୨ରେ ଏହା ୨୨.୨ ପ୍ରତିଶତକୁ ବୃଦ୍ଧି ପାଇବ। ବସପାର ଭୋଟ୍ ୭.୫ ପ୍ରତିଶତ ବୃଦ୍ଧି ପାଇବ ବୋଲି ଏହି ସର୍ଭେରେ କୁହାଯାଇଛି। ୧୯୮୯ରୁ ଉତ୍ତରପ୍ରଦେଶରେ କ୍ଷମତାରୁ ବାହାରେ ଥିବା କଂଗ୍ରେସ ଆଗାମୀ ବିଧାନସଭା ନିର୍ବାଚନରେ ମାତ୍ର ୫.୬ ପ୍ରତିଶତ ଭୋଟ୍ ପାଇବ ବୋଲି ସର୍ଭେରୁ ଜଣାପଡ଼ିଛି। ୨୦୧୭ ଉତ୍ତରପ୍ରଦେଶ ବିଧାନସଭା ନିର୍ବାଚନରେ କଂଗ୍ରେସ ୬.୩ ପ୍ରତିଶତ ଭୋଟ୍ ପାଇଥିଲା।
୨୦୨୨ ବିଧାନସଭା ନିର୍ବାଚନରେ ବିଜେପି ୪୦୩ ବିଧାନସଭା ଆସନରୁ ୨୪୧ରୁ ୨୪୯ ଆସନରେ ବିଜୟୀ ହେବ ବୋଲି ଏବିପି-ସିଭୋଟର୍ ସର୍ଭେରେ ଆକଳନ କରାଯାଇଛି। ତେବେ ୨୦୧୭ ତୁଳନାରେ ୨୦୨୨ରେ ବିଜେପି ଏବଂ ଏହାର ସହଯୋଗୀ ଦଳର ଆସନ ସଂଖ୍ୟା କମିବ। ୨୦୧୭ ନିର୍ବାଚନରେ ବିଜେପି ଏବଂ ଏହାର ସହଯୋଗୀ ଦଳ ୩୨୫ ଆସନରେ ଜିତିଥିଲେ। ଅନ୍ୟପକ୍ଷେ ସମାଜବାଦୀ ପାର୍ଟିର ଆସନ ସଂଖ୍ୟା ବୃଦ୍ଧି ପାଇବ। ୨୦୧୭ ନିର୍ବାଚନରେ ସପାକୁ ୪୮ ଆସନ ମିଳିଥିବା ବେଳେ ୨୦୨୨ରେ ୧୩୦-୧୩୮ ଆସନ ମିଳିବ। ବସପା ଚଳିତ ଥର ୧୫-୧୯ ଆସନରେ ଜିତିବ ଏବଂ କଂଗ୍ରେସ ୩ରୁ ୭ଟି ଆସନ ମିଳିବ ବୋଲି ଏହି ସର୍ଭେ ରିପୋର୍ଟରେ ଦର୍ଶାଯାଇଛି।