ମସ୍କୋ: କ୍ରେମ୍‌ଲିନ୍‌ ଆଦେଶକ୍ରମେ ‘ୱାଗ୍‌ନର୍‌’ ମୁଖ୍ୟ ୟେଭ୍‌ଗେନି ପ୍ରିଗୋଜିନ୍‌ଙ୍କୁ ହତ୍ୟା କରାଯାଇଛି ବୋଲି ପାଶ୍ଚାତ୍ୟ ରାଷ୍ଟ୍ର କରୁଥିବା ଦାବି ‘ଡାହା ମିଛ’ ବୋଲି ଶୁକ୍ରବାର ଦିନ ରୁଷ୍‌ କହିଛି।

Advertisment

କିନ୍ତୁ, ପ୍ରିଗୋଜିନ୍‌ଙ୍କ ମୃତ୍ୟୁର କାରଣ ବିଷୟରେ କିଛି ସୁନିଶ୍ଚିତ ନ କରି ରୁଷ୍‌ କହିଛି ଯେ, ସେ ସଂକ୍ରାନ୍ତରେ ଚାଲିଥିବା ପରୀକ୍ଷା ଫଳାଫଳକୁ ଅପେକ୍ଷା କରାଯାଇଛି।

ସୂଚନାଯୋଗ୍ୟ, ରୁଷୀୟ ବିମାନ ଚଳାଚଳ କର୍ତ୍ତୃପକ୍ଷ କହିଛନ୍ତି ଯେ, ବୁଧବାର ସନ୍ଧ୍ୟାରେ ମସ୍କୋର ଉତ୍ତରପଶ୍ଚିମରେ ଦୁର୍ଘଟଣାଗ୍ରସ୍ତ ହୋଇଥିବା ଘରୋଇ ଜେଟ୍‌ରେ ‘ୱାଗ୍‌ନର୍‌’ ମୁଖ୍ୟ ଥିଲେ। ଏହି ଦୁର୍ଘଟଣାରେ ସମସ୍ତ ଯାତ୍ରୀ ପ୍ରାଣ ହରାଇଛନ୍ତି।

Absolute lie': Kremlin denies Prigozhin killed on its orders Image Courtesy of France24

ଏହି ଘଟଣା ସଂକ୍ରାନ୍ତରେ ବିବୃତି ଦେଇ ପାଶ୍ଚାତ୍ୟ ରାଜନେତା ଓ ସ‌ମ‌ାଲୋଚକମାନେ ବିନା କୌଣସି ପ୍ରମାଣରେ ମତ ଦେଇଛନ୍ତି ଯେ, ଜୁନ୍‌ ୨୩-୨୪ ସେନା ବିଦ୍ରୋହ ଦଣ୍ଡସ୍ବରୂପ ପ୍ରିଗୋଜିନ୍‌ଙ୍କୁ ହତ୍ୟା କରିବା ଲାଗି ପୁଟିନ ଆଦେଶ ଦେଇଥିଲେ। ପ୍ରିଗୋଜିନ୍‌ଙ୍କ ନେତୃତ୍ବରେ ଆକସ୍ମିକ ଭାବେ ଆରମ୍ଭ ହୋଇଥିବା ଉକ୍ତ ସେନା ବିଦ୍ରୋହ ପୁଟିନ୍‌ଙ୍କ ପାଇଁ ବଡ଼ ଚାଲେଞ୍ଜ୍‌ ଭାବେ ଉଭା ହୋଇଥିଲା। ୧୯୯୯ରୁ କ୍ଷମତାକୁ ଆସିବା ପରଠାରୁ ସେ କେବେ ଏଭଳି ଚାଲେଞ୍ଜ୍‌ର ସମ୍ମୁଖୀନ ହୋଇ ନ ଥିଲେ।

କ୍ରେମ୍‌ଲିନ୍‌ ମୁଖପାତ୍ର ଡିମିତ୍ରି ପେସ୍‌କୋଭ୍‌ କହିଛନ୍ତି, ଯାହା ସବୁ ଅଭିଯୋଗ କରାଯାଉଛି ସେ ସବୁ ମିଥ୍ୟା। ସାମ୍ବାଦିକମାନଙ୍କୁ ସେ କହିଛନ୍ତି, ବିମାନ ଦୁର୍ଘଟଣା ଓ ସେଥିରେ ଥିବା ୟେଭ୍‌ଜେନି ପ୍ରିଗୋଜିନ୍‌ଙ୍କ ସମେତ ଅନ୍ୟ ଯାତ୍ରୀମାନଙ୍କର ଦୁଃଖଦ ମୃତ୍ୟୁକୁ ନେଇ ନାନା ଧରଣର କଳ୍ପନାଜଳ୍ପନା ଚାଲିଛି। ଅବଶ୍ୟ ଏକ ନିର୍ଦ୍ଦିଷ୍ଟ ଦୃଷ୍ଟିକୋଣ ନେଇ ପାଶ୍ଚାତ୍ୟରୁ ହିଁ ଏହି କଳ୍ପନାଜଳ୍ପନା ଉପସ୍ଥାପନ କରାଯାଉଛି।

ଏ ସବୁ ଡାହା ମିଛ। ତେଣୁ, ଏ ବିଷୟରେ ରିପୋର୍ଟ କରିବା ବେଳେ ଆପଣମାନେ ପ୍ରକୃତ ତଥ୍ୟ ଜାଣିବା କଥା। କିନ୍ତୁ, ଏପର୍ଯ୍ୟନ୍ତ ବିଶେଷ କିଛି ତଥ୍ୟ ମିଳିନାହିଁ। ତଦନ୍ତ ପରେ ହିଁ ସବୁ ଜଣାପଡ଼ିବ ବୋଲି ସେ କହିଛନ୍ତି।