ବିହାର ସରକାରଙ୍କ ନିଷ୍ପତ୍ତି: ବାପା ମା’ଙ୍କୁ ଖରାପ୍‌ ବ୍ୟବହାର ଦେଖାଇଲେ ଜେଲ୍‌

ପାଟନା : ଅନେକ କ୍ଷେତ୍ରରେ ଦେଖାଯାଇଛି ବୃଦ୍ଧ ବୟସରେ ବାପା ମା’ଙ୍କ ପ୍ରତି ଆଉ ପିଲାମାନଙ୍କ ମନରେ ସମ୍ମାନ କି ଆଦର ରହୁନି। ପରିଣତ ବୟସରେ ଅନେକ ବୃଦ୍ଧ ବାପା ମା’ ସେମାନଙ୍କ ପିଲାମାନଙ୍କ କ୍ରୁର ବ୍ୟବହାରର ଶିକାର ହୋଇ ବଞ୍ଚିବାକୁ ପଡ଼ୁଛି। ବାପା ମା’ଙ୍କ ଦାୟିତ୍ବ ନେବାକୁ ଭାଇ ଭାଇ ଭିତରେ ଛକାପଞ୍ଝା। କେଉଁଠି ବାପା ମା’ଙ୍କ ସହ କଥା ହେବାକୁ କାହା ପାଖରେ ସମୟ ନାହିଁ ତ ପୁଣି କେଉଁଠି ଖାଇବାକୁ ଦେବାପାଇଁ ବି ପୁଅ ନାରାଜ। ନିଃସଙ୍ଗତାର ଜ୍ବାଳାରେ ବଞ୍ଚିବାକୁ ବାଧ୍ୟ ହେଉଛନ୍ତି ବୃଦ୍ଧ ବାପା ମା’। କିନ୍ତୁ ଏଭଳି ଏକ ପରିସ୍ଥିତିରେ ବିହାର ସରକାର ଏକ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି। ଯେଉଁ ପିଲାମାନେ ସେମାନଙ୍କ ବାପା ମା’ଙ୍କର ଦାୟିତ୍ବ ନେବେନି ଏବଂ ବାପା ମା’ଙ୍କୁ ଖରାପ୍‌ ବ୍ୟବହାର ଦେଖାଇବେ ସେମାନଙ୍କୁ ଜେଲ୍‌ଦଣ୍ଡ ଭୋଗିବାକୁ ପଡ଼ିବ। ନୀତୀଶ ସରକାର ଏହି ନିଷ୍ପତ୍ତି ନେଇଛନ୍ତି।

ଅନ୍ୟପକ୍ଷେ ଅବହେଳାର ଶିକାର ହୋଇଥିବା ବୃଦ୍ଧ ପିତାମାତାଙ୍କୁ ସରକାରଙ୍କ ଦ୍ବାରା ଆର୍ଥିକ ସହାୟତା ଦିଆଯିବ। ନୀତୀଶଙ୍କ କ୍ୟାବିନେଟ୍‌ ଦ୍ବାରା ଏହି ପଦକ୍ଷେପକୁ ଗତ ମେ’ ମାସରେ ସ୍ବୀକୃତି ଦିଆଯାଇଛି। ଏଥିପାଇଁ ୩୮୪ କୋଟି ଟଙ୍କାର ପାଣ୍ଠି ମଂଜୁର ହୋଇଛି। ମୁଖ୍ୟମନ୍ତ୍ରୀ ବାର୍ଦ୍ଧକ୍ୟ ପେନସନ୍‌ ଯୋଜନା ଅନ୍ତର୍ଗତ ପାଣ୍ଠି ରିଲିଜ୍‌ ହୋଇ ସାରିଛି ବୋଲି ଜଣେ ଅଧିକାରୀ କହିଛନ୍ତି। ପିତାମାତାଙ୍କ ଅଭିଯୋଗ ଆଧାରରେ ତଦନ୍ତ ପରେ ଦୋଷୀକୁ ଦଣ୍ଡ ଦିଆଯିବ। ଜାମିନ ବିହୀନ ଧାରା ଅଧୀନରେ ଅଭିଯୁକ୍ତଙ୍କ ବିରୋଧରେ ମାମଲା ରୁଜୁ ହେବ ବୋଲି ଜଣାପଡ଼ିଛି।

ସମ୍ବନ୍ଧିତ ଖବର