ଇଂଲଣ୍ଡରେ ବି ଏସି ଦରକାର ପଡ଼ିଲାଣି

ଲଣ୍ଡନ : ବ୍ରିଟେନ ସମେତ ୟୁରୋପର କେତେକ ଦେଶରେ ଏବର୍ଷ ପ୍ରବଳ ଗ୍ରୀଷ୍ମପ୍ରବାହ ଅନୁଭୂତ ହେଉଛି । ଏକ ଥଣ୍ଡା ସ୍ଥାନ ଭାବେ ପରିଚିତ ଲଣ୍ଡନରେ ଏବର୍ଷ ପାରା ୪୦ ଡିଗ୍ରୀ ଛୁଇଁଛି । ଆଗାମୀ କିଛି ଦିନ ପର୍ଯ୍ୟନ୍ତ ଏପରି ଗ୍ରୀଷ୍ମପ୍ରବାହ ଜାରି ରହିବ ବୋଲି ବ୍ରିଟିଶ ପାଣିପାଗ ବିଭାଗ କହିଛି ।

ପ୍ରବଳ ଗରମ ପଡ଼ିବା ପରେ ଇଂଲଣ୍ଡରେ ଏବେ ପୂର୍ବରୁ ଚିନ୍ତା ମଧ୍ୟ କରିହେଉନଥିବା ଘଟଣା ଘଟୁଛି । ତାହା ହେଉଛି ଲୋକମାନେ ଏୟାର କଣ୍ଡିସନର, ଫ୍ୟାନ ଆଦି କିଣିବା ଆରମ୍ଭ କରିଦେଇଛନ୍ତି । ଇଂଲଣ୍ଡରେ ବି ଦିନେ ଏୟାର କଣ୍ଡିସନର (ଏସି) ଦରକାର ହେବ ତାହା ପୂର୍ବରୁ କେହି ଭାବି ପାରୁନଥିଲେ । କିନ୍ତୁ ଜଳବାୟୁ ପରିବର୍ତ୍ତନ ତାହାକୁ ସମ୍ଭବ କରିଦେଖାଇଛି ।

ସମସ୍ୟା ହେଉଛି ଲଣ୍ଡନର ଏସି ବିକ୍ରି କରୁଥିବା ଦୋକାନ ସଂଖ୍ୟା କମ । କାରଣ ସେଠାରେ ଏହାର କୌଣସି ଆବଶ୍ୟକତା ନଥିଲା । କେବଳ ଅଳ୍ପ କେତୋଟି ଅଫିସରେ ଏସି ଲଗାଯାଇଥାଏ ।

ଏକ ଅଟକଳ ଅନୁସାରେ ୨୦୦୮ରେ ବ୍ରିଟେନର ମାତ୍ର ୦.୦୫ ପ୍ରତିଶତ ଘରେ ଏସି ଲାଗିଥିଲା, ଏବେ ତାହା ୩ ପ୍ରତିଶତକୁ ବୃଦ୍ଧି ପାଇଛି । ଆଗକୁ ବ୍ରିଟେନରେ ଏସି ବ୍ୟବହାର ଆହୁରି ବଢିବାର ସମ୍ଭାବନା ରହିଛି । କାରଣ ଏପରି ଗ୍ରୀଷ୍ମପ୍ରବାହ ଧୀରେ ଧୀରେ ଏହା ସ୍ବାଭାବିକ କଥା ହୋଇଯିବ ବୋଲି ପାଣିପାଗ ବିଶେଷଜ୍ଞମାନେ ଚେତାଇଦେଇଛନ୍ତି ।

 

 

ସମ୍ବନ୍ଧିତ ଖବର