୧୯ ହଜାର କର୍ମଚାରୀଙ୍କୁ ଛଟେଇ କରିବ ଆକ୍ସେଞ୍ଚର

ନୂଆଦିଲ୍ଲୀ : ବିଶ୍ବର ପ୍ରମୁଖ ଟେକନଲୋଜୀ କମ୍ପାନିରେ ଛଟେଇ ଜାରି ରହିଛି । ପୂର୍ବରୁ ମେଟା, ମାଇକ୍ରୋସଫ୍ଟ, ଆମାଜନ, ଟୁଇଟର, ଗୁଗୁଲ ଆଦି କମ୍ପାନି ଛଟେଇ କରିବା ପରେ ଏବେ ଆଇଟି କମ୍ପାନି ଆକସେଞ୍ଚର ମଧ୍ୟ ହଜାର ହଜାର କର୍ମଚାରୀଙ୍କୁ ଛଟେଇ କରିବା ସମ୍ପର୍କରେ ଘୋଷଣା କରିଛି ।

ଆକ୍ସେଞ୍ଚର ଗୁରୁବାର କହିଛି ଯେ ଏହା ପ୍ରାୟ ୧୯,୦୦୦ କର୍ମଚାରୀଙ୍କୁ ଛଟେଇ  କରିବ । ଏହାର ବାର୍ଷିକ ରାଜସ୍ୱ ଏବଂ ଲାଭ ଆକଳନ ହ୍ରାସ ଆଶଙ୍କା ମଧ୍ୟରେ କମ୍ପାନି ଏହି ନିଷ୍ପତ୍ତି ନେଇଛି । ଏହା ଏକ ନୂତନ ସଙ୍କେତ ଯାହା ବୁଝାଏ ଯେ ବିଶ୍ୱର ଖରାପ ଅର୍ଥନୈତିକ ସ୍ଥିତି ଯୋଗୁଁ ଆଇଟି ସେବା ଉପରେ କର୍ପୋରେଟ୍ ଖର୍ଚ୍ଚ ହ୍ରାସ ପାଉଛି ।

ମାନ୍ଦାବସ୍ଥା ଆଶଙ୍କା ମଧ୍ୟରେ ସତର୍କ ହୋଇ ଟେକ୍ ଇଣ୍ଡଷ୍ଟ୍ରି ବଜେଟ୍ ହ୍ରାସ କରୁଛି । ଆକସେଞ୍ଚର ଗତ ଗୁରୁବାର ଏହାର ବାର୍ଷିକ ରାଜସ୍ୱ ଅଭିବୃଦ୍ଧି ଏବଂ ଲାଭ ପୂର୍ବାନୁମାନକୁ ମଧ୍ୟ ହ୍ରାସ କରିଛି । କମ୍ପାନୀ ବର୍ତ୍ତମାନ ଆକଳନ କରିଛି ଯେ ବାର୍ଷିକ ରାଜସ୍ୱ ଅଭିବୃଦ୍ଧି ୮ ପ୍ରତିଶତରୁ ୧୦ ପ୍ରତିଶତ ମଧ୍ୟରେ ରହିବ, ଯାହା ପୂର୍ବରୁ ଆଶା କରାଯାଉଥିଲା ୮ରୁ ୧୧ ପ୍ରତିଶତ ।

ଗତ ସପ୍ତାହରେ ମେଟା (ଫେସବୁକ) ଘୋଷଣା କରିଥିଲା ଯେ କମ୍ପାନି ଆଉ ୧୦ ହଜାର କର୍ମଚାରୀଙ୍କୁ ଛଟେଇ କରିବ । ୪ ମାସ ତଳେ ମେଟାରୁ ୧୧ ହଜାର କର୍ମଚାରୀଙ୍କୁ ଚାକିରିରୁ ଛଟେଇ କରାଯାଇଥିଲା ।

 

ସମ୍ବନ୍ଧିତ ଖବର