ଅଦାଲତରେ ମାନିଲା ଆଷ୍ଟ୍ରାଜେନେକା: ଘାତକ ହେଉଛି କୋଭିଡ୍ ଟିକା

କରୋନା ଟିକାର ବିରଳ ପାର୍ଶ୍ବ ପ୍ରତିକ୍ରିୟା ରହିଛି, ରକ୍ତ ଜମାଟ ବାନ୍ଧିବା ସହିତ ପ୍ଲେଟଲେଟ୍ ସଂଖ୍ୟା କମୁଛି

ନୂଆଦିଲ୍ଲୀ: ଆଷ୍ଟ୍ରାଜେନେକା ଦ୍ବାରା ପ୍ରସ୍ତୁତ କୋଭିଡ୍‌-୧୯ ଟିକା ଯେଉଁମାନେ ନେଇଛନ୍ତି ସେମାନଙ୍କ ଠାରେ ବିରଳ ପାର୍ଶ୍ବ ପ୍ରତିକ୍ରିୟା ଦେଖାଦେଇପାରେ। ଉକ୍ତ କମ୍ପାନି ପ୍ରଥମ ଥର ପାଇଁ ବ୍ରିଟେନର ଏକ କୋର୍ଟ ସତ୍ୟପାଠ ଦାଖଲ କରି ଏହା ସ୍ବୀକାର କରିଛି। କଂପାନିର ସ୍ବୀକାରୋକ୍ତି ପରେ ଟିକା ନେଇଥିବା ଲୋକମାନଙ୍କ ମଧ୍ୟରେ ଆତଙ୍କ ଖେଳି ଯାଇଛି। ଅକ୍ସଫୋର୍ଡ-ଆଷ୍ଟ୍ରାଜେନେକା ପକ୍ଷରୁ ମିଳିତଭାବେ ବିକଶିତ ଟିକା ବିଶ୍ବରେ କୋଭିସିଲ୍‌ଡ ଏବଂ ଭାକ୍ସଜେଭରିଆ ଆଦି ବ୍ରାଣ୍ଡ୍‌ ନାମରେ ବିକ୍ରି ହୋଇଥିଲା। ଭାରତରେ ପୁନେସ୍ଥିତ ସିରମ୍ ଇନଷ୍ଟିଚ୍ୟୁଟ୍ ସହ ମିଶି ଏହି କଂପାନି ଟିକା ଉତ୍ପାଦନ କରିଥିଲା। ଏହି ଟିକା ବହୁସଂଖ୍ୟାରେ ବିକ୍ରି କରିଛି।

ଉକ୍ତ କମ୍ପାନିର ଟିକା ନେଇଥିବା ବ୍ୟକ୍ତିଙ୍କ ଠାରେ ଗୁରୁତର ଅସୁସ୍ଥତା ଏବଂ ମୃତ୍ୟୁ ଦେଖାଦେଇଛି ବୋଲି ବ୍ରିଟେନ ହାଇକୋର୍ଟରେ ଅଭିଯୋଗ ହୋଇଥିଲା। ଅନେକ ପରିବାର ଅଦାଲତରେ ଅଭିଯୋଗ କରିଥିଲେ ଆଷ୍ଟ୍ରାଜେନେକା ଟିକାର ପାର୍ଶ୍ବ ପ୍ରତିକ୍ରିୟା ଦ୍ବାରା ସାଂଘାତିକ ସମସ୍ୟା ଦେଖାଦେଉଛି। ଜେମି ସ୍କଟ୍ ନାମକ ଜଣେ ବ୍ୟକ୍ତି ପ୍ରଥମେ ଅଦାଲତରେ ଏହି ଅଭିଯୋଗ ଆଣିଥିଲେ। ୨୦୨୧ ଏପ୍ରିଲରେ ଆଷ୍ଟ୍ରାଜେନେକାର ଟିକା ନେବାପରେ ସେ ସ୍ଥାୟୀ ମସ୍ତିଷ୍କଘାତ ସମସ୍ୟାରେ ପୀଡ଼ିତ ହୋଇଥିଲେ। ଜେମିଙ୍କ ସମେତ ଅନ୍ୟ କେତେକ ବ୍ୟକ୍ତି ମଧ୍ୟ ଏଭଳି ଅଭିଯୋଗ ଆଣିଥିଲେ। ମାମଲା ଅଦାଲତକୁ ଆସିବା ପରେ ଉକ୍ତ ଟିକାର ବିରଳ ପାର୍ଶ୍ବ ପ୍ରତିକ୍ରିୟା ସାମ୍ନାକୁ ଆସିଥିଲା। ଏହି ପାର୍ଶ୍ବ ପ୍ରତିକ୍ରିୟାକୁ ଟ୍ରମ୍ବୋସିସ୍‌ ସହ ଟ୍ରମ୍ବୋସାଇଟୋପେନିଆ ସିଣ୍ଡ୍ରୋମ (ଟିଟିଏସ୍‌) କୁହାଯାଉଛି। ଏଥିରେ ସାଧାରଣତଃ ରକ୍ତ ଜମାଟ ବାନ୍ଧିବା ସହିତ ପ୍ଲେଟଲେଟ୍ ସଂଖ୍ୟା କମିବା ଲକ୍ଷଣ ଦେଖାଦେଇଥାଏ। ବ୍ରିଟେନ ହାଇକୋର୍ଟରେ ଆଷ୍ଟ୍ରାଜେନେକା ଦାଖଲ କରିଥିବା ସତ୍ୟପାଠରେ ସ୍ବୀକାର କରିଛି ଯେ ଏହାର ଟିକା ଅତି ବିରଳ କ୍ଷେତ୍ରରେ ଟିଟିଏସ୍‌ ସୃଷ୍ଟି କରିପାରେ।
କୌଣସି ନିର୍ଦ୍ଦିଷ୍ଟ କ୍ଷେତ୍ରରେ ଟିକା ଯୋଗୁ ବିରଳ ରୋଗ ଦେଖାଦେଇଛି କିମ୍ବା ଏଥିରେ ମୃତ୍ୟୁ ହୋଇଥିବା ବିଷୟକୁ କମ୍ପାନି ସ୍ବୀକାର କଲେ ଏଥିପାଇଁ ମୋଟା ଅଙ୍କର ଅର୍ଥରାଶି ପୈଠ କରିବାକୁ ପଡ଼ିପାରେ। ଏହି ସ୍ବୀକାରୋକ୍ତି ସହିତ କଂପାନି ପକ୍ଷରୁ କୁହାଯାଇଛି ଯେ ଟିକାରେ ବ୍ୟାପକ ତ୍ରୁଟି ରହିଛି ବୋଲି ଯାହା କୁହାଯାଉଛି, ତାହା ଠିକ୍ ନୁହେଁ। ଏହାକୁ ଅତିରଞ୍ଜିତ କରାଯାଉଛି ବୋଲି କମ୍ପାନି କହିଛି। ସୁରକ୍ଷା‌ କାରଣରୁ ଆଷ୍ଟ୍ରାଜେନେକା-ଅକ୍ସଫୋର୍ଡ ଟିକା ବ୍ରିଟେନରେ ଆଉ ଦିଆଯାଉନାହିଁ। କରୋନା ମହାମାରୀକୁ ରୋକିବା କ୍ଷେତ୍ରରେ ଏହାର ପ୍ରଭାବକୁ ବିଭିନ୍ନ ସ୍ବାଧୀନ ଅନୁଧ୍ୟାନରେ ଦର୍ଶାଯାଇଛି ତଥାପି ବର୍ତ୍ତମାନ କମ୍ପାନିର ଏହି ବିରଳ ପାର୍ଶ୍ବ ପ୍ରତିକ୍ରିୟା ସଂପର୍କିତ ସ୍ବୀକାରୋକ୍ତି ନିୟାମକ ସଂସ୍ଥାର ଯାଞ୍ଚ ଏବଂ ଆଇନଗତ କାର୍ଯ୍ୟାନୁଷ୍ଠାନକୁ ବ୍ୟାପକ କରିପାରେ।

ଅକ୍ସଫୋର୍ଡ ବିଶ୍ବବିଦ୍ୟାଳୟ ସହିତ ମିଳିତଭାବେ ଆଷ୍ଟ୍ରାଜେନେକା ଏହି ଟିକାର ବିକାଶ କରିଥିଲେ ମଧ୍ୟ ଭାରତରେ ପୁଣେସ୍ଥିତ ସିରମ ଇନଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆ (ଏସଆଇଆଇ)ରେ ଏହାର ପର୍ଯ୍ୟାପ୍ତ ଉତ୍ପାଦନ ହୋଇଥିଲା। ଭାରତ ସରକାରଙ୍କ କୋୱିନ୍ ୱେବ ପୋର୍ଟାଲ ଅନୁଯାୟୀ ୨୦୨୪ ଏପ୍ରିଲ ୨୯ ତାରିଖ ସୁଦ୍ଧା ୧୭୪ କୋଟି ୯୪ ଲକ୍ଷ ୧୭ ହଜାର ୯୭୮ ଡୋଜ୍‌ କୋଭିସିଲଡ ଟିକା ଦେଶରେ ଦିଆଯାଇଛି। ଏହି ସର୍ବବୃହତ୍ ଟିକାକରଣ କାର୍ଯ୍ୟକ୍ରମ ଭାରତରେ ୨୦୨୧ ଜାନୁଆରିରେ ଆରମ୍ଭ ହୋଇଥିଲା। ଆଷ୍ଟ୍ରାଜେନେକାର ମୁଖ୍ୟାଳୟ କେମ୍ବ୍ରିଜରେ ରହିଛି। ବ୍ରିଟେନ ଏବଂ ସ୍ବିଡେନର ଏହା ଏକ ବଡ଼ ଔଷଧ ଓ ବାୟୋଟେକ୍ନୋଲୋଜି କମ୍ପାନି। ଜେମିଙ୍କ ପତ୍ନୀ କେଟ୍‌ କହିଛନ୍ତି, ମେଡିକାଲ ଦୁନିଆ ସ୍ବୀକାର କରିଛି ଯେ ଟିକା ଦ୍ବାରା ବିରଳ ରୋଗ ସୃଷ୍ଟି ହୋଇଛି। ଏଥିପାଇଁ କେଟ୍ କ୍ଷମା ଦାବି କରିବା ସହିତ ପ୍ରଭାବିତ ତାଙ୍କ ପରିବାର ସମେତ ଅନ୍ୟ ପରିବାରକୁ ଉପଯୁକ୍ତ କ୍ଷତିପୂରଣ ପ୍ରଦାନ ଲାଗି କହିଛନ୍ତି।

ସମ୍ବନ୍ଧିତ ଖବର