ରାଷ୍ଟ୍ରପତିଙ୍କୁ ମିଳୁଥିବା ସୁବିଧାସୁଯୋଗ

ଭାରତର ରାଷ୍ଟ୍ରପତି ମାସକୁ ପ୍ରାୟ ୫ ଲକ୍ଷ ଟଙ୍କା ବେତନ ପାଇଥାନ୍ତି। ପ୍ରେସିଡେଣ୍ଟସ ଆଚିଭମେଣ୍ଟ୍ ଆଣ୍ଡ୍ ପେନସନ ଆକ୍ଟ ୧୯୫୧ ଆଧାରରେ ତାଙ୍କୁ ଦରମା ଦିଆଯାଇଥାଏ। ଦେଶର ସେ ସର୍ବାଧିକ ବେତନଧାରୀ ସରକାରୀ ଅଧିକାରୀ। ଏହି ଆଇନ ଅନୁସାରେ ପୂର୍ବରୁ ରାଷ୍ଟ୍ରପତିମାନେ ମାସିକ ୧୦ ହଜାର ଟଙ୍କା ଦରମା ପାଉଥିଲେ। ୧୯୯୮ ମସିହା ପର୍ଯ୍ୟନ୍ତ ରାଷ୍ଟ୍ରପତିଙ୍କ ଦରମା ୫୦ ହଜାର ଟଙ୍କା ଥିଲା। ସେହିବର୍ଷ ରାଷ୍ଟ୍ରପତିଙ୍କ ଦରମା ଦେଢ଼ ଲକ୍ଷ ଟଙ୍କା ଥିଲା ଏବଂ ୨୦୧୮‌ ମସିହାରେ ୫ ଲକ୍ଷ ଟଙ୍କାକୁ ବୃଦ୍ଧି କରାଯାଇଛି। ମାସିକ ଦରମା ବ୍ୟତୀତ ରାଷ୍ଟ୍ରପତିଙ୍କୁ ଅନେକ ପ୍ରକାରର ଭତ୍ତା ମିଳିଥାଏ।

ରାଷ୍ଟ୍ରପତି ଭବନରେ ରହିବେ: ରାଷ୍ଟ୍ରପତି ହେବା ପରେ ଦ୍ରୌପଦୀ ମୁର୍ମୁଙ୍କ ରହଣି ସ୍ଥାନ ରାଷ୍ଟ୍ରପତି ଭବନ, ପ୍ରେସିଡେଣ୍ଟ୍‌ସ ଇଷ୍ଟେଟ, ନୂଆଦିଲ୍ଲୀ, ପିନ ୧୧୦୦୦୪ ହୋଇଯିବ। ବିଶ୍ବର ଯେକୌଣସି ରାଷ୍ଟ୍ରମୁଖ୍ୟଙ୍କ ବାସଭବନ ମଧ୍ୟରେ ଏହା ସର୍ବବୃହତ। ସ୍ବାଧୀନତା ପୂର୍ବରୁ ବ୍ରିଟିସ ଶାସନ ଅମଳରେ ଏହି ଭବନ ଭାରତର ଭାଇସରାୟଙ୍କ ପାଇଁ ନିର୍ମିତ ହୋିଥିଲା। ଏଥିପାଇଁ ସେତେବେଳେ ଏହାକୁ ଭାଇସରାୟ’ସ ହାଉସ ମଧ୍ୟ କୁହାଯାଉଥିଲା। ୧୯୨୯ ମସିହାରେ ଏହାର ନିର୍ମାଣ କାର୍ଯ୍ୟ ଶେଷ ହୋଇଥିଲା। ରାଷ୍ଟ୍ରପତି ଭବନର ମୁଖ୍ୟ କୋଠାରେ ୩୪୦ଟି କକ୍ଷ ରହିଛି। ସେଥିରେ ରାଷ୍ଟ୍ରପତିଙ୍କ କାର୍ଯ୍ୟାଳୟ ବାସଭବନ, ଅଭ୍ୟର୍ଥନ କକ୍ଷ, ଅତିଥି କକ୍ଷ, କାର୍ଯ୍ୟାଳୟ ଆଦି ରହିଛି। ପ୍ରେସିଡେନସିଆଲ ଇଷ୍ଟେଡ ୧୩୦ ହେକ୍ଟର (୩୨୦ ଏକର)ରେ ନିର୍ମିତ। ଏଥିରେ ରାଷ୍ଟ୍ରପତିଙ୍କ ବଗିଚା, ବିଶାଳ ଖୋଲା ସ୍ଥାନ, ଅଙ୍ଗରକ୍ଷୀ ଏବଂ କର୍ମଚାରୀମାନଙ୍କ ବାସସ୍ଥାନ, ଘୋଡ଼ାଶାଳ ଓ ଅନ୍ୟାନ୍ୟ କାର୍ଯ୍ୟାଳୟ ଆଦି ରହିଛି। ସାର୍ ଏଡୱିନ ଲ୍ୟୁଟେନ୍ସ ଏବଂ ହରବର୍ଟ ବେକରଙ୍କ ଭଳି ଖ୍ୟାତିସଂପନ୍ନ ସ୍ଥପତିଙ୍କ ଦ୍ବାରା ଏହାର ନିର୍ମାଣ ହୋଇଥିଲା। ସାର୍ ଲ୍ୟୁଟେନ୍ସ ହିଁ ଉକ୍ତ କୋଠାକୁ ଇଂରାଜୀ ଅକ୍ଷର ‘ଏଚ’ ଆକୃତି ଦେବା ନେଇ ପରିକଳ୍ପନା କରିଥିଲେ। ଏଚ ‌ଆକୃତିର କୋଠାଟି ୫ ଏକର ପରିମିତ ସ୍ଥାନରେ ରହିଛି। ଏହା ସହିତ ଭାରତର ରାଷ୍ଟ୍ରପତିଙ୍କ ପାଇଁ ଦେଶର ଆଉ ଦୁଇଟି ସ୍ଥାନରେ ମଧ୍ୟ ରହିବା ଲାଗି ଆବାସ ରହିଛି। ସେଥିରୁ ଗୋଟିଏ ହାଇଦ୍ରାବାଦ ଏବଂ ଅନ୍ୟଟି ସିମ୍‌ଲାରେ ଅଛି। ସିମଲାର ମାସୋବ୍ରା ପାହାଡ଼ ଉପରେ ଥିବା ଉକ୍ତ ଭବନର ନାମ ରିଟ୍ରିଟ ବିଲ୍‌ଡିଂ ରହିଛି। ଏଠାକୁ ରାଷ୍ଟ୍ରପତି ଅନ୍ତତଃପକ୍ଷେ ବର୍ଷକୁ ଥରେ ଯାଆନ୍ତି। ୧୮୫୦ ମସିହାରେ ନିର୍ମିତ ଏହି କୋଠା ୧୦୬୨୮ ବର୍ଗଫୁଟ ଅଞ୍ଚଳରେ ପରିବ୍ୟାପ୍ତ। ହାଇଦ୍ରାବାଦର ବୋଲାରମ ଠାରେ ରାଷ୍ଟ୍ରପତି ବିଲଡିଂ ନିଳୟମ ରହିଛି। ଦେଶ ସ୍ବାଧୀନ ହେବା ପରେ ହାଇଦ୍ରାବାଦର ନିଜାମଙ୍କ ଠାରୁ ଏହି କୋଠା ନିଆଯାଇ ରାଷ୍ଟ୍ରପତିଙ୍କ ସେକ୍ରେଟେରିଏଟକୁ ହସ୍ତାନ୍ତର କରାଯାଇଥିଲା।

ରାଷ୍ଟ୍ରପତିଙ୍କ ଗାଡ଼ି: ରାଷ୍ଟ୍ରପତିଙ୍କ ଗାଡ଼ି ସମୟ ଓ ପ୍ରଯୁକ୍ତି ଅନୁସାରେ ବଦଳିଥାଏ‌। ତେବେ ସୁରକ୍ଷା ବାଧାପ୍ରାପ୍ତ ହେବା ଦୃଷ୍ଟିରୁ ରାଷ୍ଟ୍ରପତିଙ୍କ ଗାଡ଼ି ନିର୍ମାତା, ମଡେଲ ଓ ପଞ୍ଜୀକରଣ ନମ୍ବର ଗୋପନ ରହିଥାଏ। ଅନ୍ୟ ଏକ ବିଷୟ ହେଲା ଏହି କାରରେ ଲାଇସେନ୍ସ ପ୍ଲେଟ ନଥାଏ। ଲାଇସେନ୍ସ ପ୍ଲେଟ ବଦଳରେ ଜାତୀୟ ଚିହ୍ନ ରହିଥାଏ। ଏକ ସୂଚନା ଅନୁଯାୟୀ, ରାଷ୍ଟ୍ରପତିଙ୍କ ଗାଡ଼ିରେ ଭିଆର୯-ସ୍ତରର କ୍ଷେପଣାସ୍ତ୍ର ସୁରକ୍ଷା ରହିଥାଏ। ରାଷ୍ଟ୍ରପତି ଏବେ ମର୍ସିଡେଜ୍ ମେବ୍ୟାକ୍ ଏସ୬୦୦ ପୁଲମ୍ୟାନ ଗାର୍ଡ ଗାଡ଼ିରେ ଯାତାୟାତ କରୁଛନ୍ତି।

ଅବସରକାଳୀନ ସୁବିଧା: ଅବସର ପରେ ରାଷ୍ଟ୍ରପତିଙ୍କୁ ଏବେ ମାସିକ ଦେଢ଼ ଲକ୍ଷ ଟଙ୍କା ପେନସନ ମିଳୁଛି। ରାଷ୍ଟ୍ରପତିଙ୍କ ପତ୍ନୀ କିମ୍ବା ପତିଙ୍କୁ ‌ସେକ୍ରେଟେରିଆଲ ସହାୟତା ଆକାରରେ ମାସିକ ୩୦ ହଜାର ଟଙ୍କା ଦିଆଯାଇଥାଏ। ଏଥିସହିତ ତାଙ୍କୁ ବିନା ଭଡ଼ାରେ ଟାଇପ-୮ ବଙ୍ଗଳା ଯୋଗାଇ ଦିଆଯାଇଥାଏ। ଦୁଇଟି ଲ୍ୟାଣ୍ଡଲାଇନ ‌ଏବଂ ଗୋଟିଏ ମୋବାଇଲ ଫୋନ ନମ୍ବର ମିଳିଥାଏ। ଜଣେ ସହଯାତ୍ରୀଙ୍କ ସହିତ ସେ ଟ୍ରେନ ଓ ବିମାନରେ ମାଗଣା ଯାତ୍ରା କରିବାର ସୁଯୋଗ ପାଇଥାନ୍ତି।

ସମ୍ବନ୍ଧିତ ଖବର